ଅଭିମାନୀ ହସ୍ତାକ୍ଷର
ଅଭିମାନୀ ହସ୍ତାକ୍ଷର
ଶତାବ୍ଦୀର ସର୍ଵ ନିମ୍ନ ମଣିଷର
ତାଲିକାରେ ମୁଁ ପ୍ରଥମ,
ନିରାକ୍ରୋଶ ଜଣେ ନିରୀହ ମଣିଷ
ଆଶା ନାହିଁ ଉଚ୍ଚାସନ ।
ସାଥୀଙ୍କ ପ୍ରେରଣା ନିଃଶଙ୍କ ସାଧନା
ତପସ୍ୟା ତର୍ପଣ ବଳେ,
କର୍ମ କରିଚାଲେ କାବ୍ୟ କଳ୍ପି ଚାଲେ
କାବ୍ୟଝରର କଲ୍ଲୋଳେ ।
କାହାପାଇଁ ଜଣେ କ୍ଷୀଣ କଥାକାର
କାହା ପାଇଁ କାବ୍ୟମୁନି,
କାହାରି ଆଖିରେ ଶବ୍ଦ ଯାଦୁକର
କା' ପାଇଁ କ୍ଷୁଦ୍ର କାହାଣୀ ।
ନିର୍ଗୁଣ ମୁଁ ସତ, ସ୍ୱଳ୍ପ ସମାଦୃତ,
ତଥାପି ମୋ' କାବ୍ୟଲତା,
ଶବ୍ଦ ଝଙ୍କାରରେ ପ୍ରୀତି ସଂଗୀତରେ
ପ୍ରସାରିଥାଏ ବାରତା ।
ନୁହେଁ ମୁଁ ଉପେନ୍ଦ୍ର ନୁହେଁ କବିଚନ୍ଦ୍ର
ନୁହେଁ କାବ୍ୟ ଶିରୋମଣି,
କାବ୍ୟର ସ୍ରୋତରେ ତ୍ୟାଗ ଓ ନିଷ୍ଠାରେ
କଳ୍ପେ ମୁଁ କାବ୍ୟ କାହାଣୀ ।
ଦୁଃସ୍ଥ ସମାଜରେ ସୁସ୍ଥ ଚିନ୍ତାଧାରା
&
nbsp; ବାଣ୍ଟିବା ମୋ' ମୁଖ୍ୟ ଲକ୍ଷ୍ୟ,
ବେଳେବେଳେ ସେଇ ଚେତନା ଢେଉରେ
ଝରାଏ ଲୁହ ପରୋକ୍ଷ ।
ଦୁନିଆ ବିଚିତ୍ର ରଙ୍ଗ ବେରଙ୍ଗର
ମଣିଷ ମନ ବଜାରେ,
ବନ୍ଧୁ ଖୋଜୁ ଖୋଜୁ ଶତ୍ରୁ ହୋଇଯାଏ
କିଛି ଲୋକଙ୍କ ନଜରେ ।
ନଜର ସତେ କି କାଳ ବଇଶାଖୀ
କବିତ୍ୱର କାଳ ହୁଏ,
ମୋ' କାବ୍ୟ ପୃଷ୍ଠାର ମଧୁ ସମ୍ପର୍କକୁ
ଅଚିରେ ଭସାଇ ନିଏ ।
ଭାସିଯାଏ ସିନା ସମ୍ପର୍କର ସେତୁ
ଦରଦ ଅଲିଭା ରୁହେ,
ସେଇ ଦରଦର ପ୍ରତିବିମ୍ବ ପଣେ
ମୋ' କବିତା ରୂପ ନିଏ ।
ପଠିତବ୍ୟ ଅବା ଅସ୍ଥାୟୀ ଅସ୍ପଷ୍ଟ
ପାଠକ ଅନୁମୋଦିତ,
ସମୟ ଭିତ୍ତିରେ ସାହିତ୍ୟ କୃତିରେ
ଚାହେଁ ମୁଁ ସମାଜ ହିତ !
ମୁଁ ତ ଚାଲିଯିବି ରହିଯିବ ମୋର
ସ୍ୱାକ୍ଷରିତ ହସ୍ତାକ୍ଷର,
ସାରସ୍ୱତ ବକ୍ଷେ ତୋଳି ଦେଇଯିବି
ସଂସ୍କାରର ଶ୍ରୀ ମନ୍ଦିର ।