ଅଭିମାନ ବୋଲି କିଛି
ଅଭିମାନ ବୋଲି କିଛି
ପ୍ରାୟ ପାଖାପାଖି ଷୋହଳଟି ବସନ୍ତର
ସ୍ବପ୍ନ ଓ ଚାଙ୍ଗୁଡାଏ ଫଗୁଣର ରଙ୍ଗ
ସାଉଁଟି ଆଣିଥିଲି ସେଦିନ
ଖାସ୍ ତୁମେ ଆସିବ ବୋଲି !
ଜହ୍ନକୁ ସଜେଇଥିଲି
ତାରାମାନଙ୍କ ରୋଷଣୀ ରେ
ଟିପିଟିପି ଚିତାରେ
କଜ୍ଜଳ ଗାରରେ
ସ୍ନେହ ଶରଧାର ଶୃଙ୍ଗାରରେ
ରାତି ତ ଗାଉଥିଲା
ସୁରିଲା ସଙ୍ଗୀତ
ନୂପୁର ନିକ୍ଵଣର ଶବ୍ଦରେ ଛନ୍ଦାୟିତ
ଦେହରୁ ଧିରେ ଧିରେ
ଦେହାତୀତ ଏକ ଅଧିରପଣ
ହଁ ସଖା କେବଳ
ତୁମେ ଆସିବ ବୋଲି
ଶେଫାଳି ତ ମୁଠା ମୁଠା ସୁରଭି
ପରଶୁଥିଲା ବିନା ଦ୍ବିଧାରେ
ରଜନୀଗନ୍ଧା ତ ସଜଉଥିଲା ରାସରଚା
ମଞ୍ଚ ସେ ଝୁଲଣ ଦୋଳି ଅପେକ୍ଷାର ଏକ ଅହେତୁକ ନିଶାରେ ।
ଇଚ୍ଛାମାନେ ମାତାଲ୍
କାଦମ୍ଵରୀର ବିଭୋର ବାସ୍ନାରେ
ଧାଉଁ ଥିଲେ କେବେ
କଦମ୍ବର କାମନା କାଖେଇ ତ
କେବେ ନୀଳଯମୁନାର ଯଉବନକୁ ଜାକିଜୁକି ଧରି ।
ସେ ଲଗ୍ନ ଵି ଯେତିକି
ଗମ୍ଭୀର ସେତିକି ମଧୁର ଥିଲା
ହଁ କେବଳ ତୁମେ
ଆସିବବୋଲି କାହ୍ନୁ ।
ଆଖିରୁ ପହଡ଼ ଉଠେଇ ରଖିଦେଇଥିଲି
କୁଞ୍ଜବନର ଅଳଗୁଣୀରେ
କାଳେ ଅକସ୍ମାତ୍ ଆସି
ଫେରିଯିବ ତୁମେ
ଜାଣିଛି ତୁମ ଆସିବା
ଯେତିକି ଅଲୌକିକ
ତୁମ ଫେରିବାଟା ବି
ତା' ଠୁ ଅଧିକ
ବ୍ୟଗ୍ର ଓ ବିଚକ୍ଷଣ !
ହେଉ ପଛେ
ମୋ ଅନନ୍ତପ୍ରତୀକ୍ଷା
ବିଳମ୍ବରେ ଫଳପ୍ରଦ
ତଥାପି ତୁମେ
ଆସ ସଖା !
ଏ ପିଆସୀ ଆତ୍ମାକୁ
ମିଳନ୍ତା ଟିକେ ସେ
ମୋହନରୂପର ଦେଖା
ହାୟ ଏ କ'ଣ
ସ୍ବପ୍ନ ନା ଅବଚେତନ ?
ଆଜିବି ଆସିଲନି ନା
କାହ୍ନୁ ଏ ଅପେକ୍ଷା ବି ଅକାରଣେ ମୂର୍ଚ୍ଛା ଗଲା ସତରେ କ'ଣ ତୁମେ ଵୁଝିପାରୁନ ଗୋଟିଏ ପ୍ରେମୀ ହୃଦୟର ଆକୁଳପଣକୁ ନା ଛଳନା ଏ ସବୁ ।
ଭୟ କରନି କାହ୍ନୁ
ମାଗିଵିନି ଦ୍ଵାରକାରୁ
ଅର୍ଦ୍ଧେକ ଅଂଶ ନା
ରୁକ୍ମିଣୀ ଠାରୁ ମୋ ପ୍ରେମ ଭାଗର ଅବଶେଷ ।
କେମିତି ଭୂଲିପାରିଲ
କାହ୍ନୁ
ଗୋପଦାଣ୍ଡର ଧୂଳି
ଯଶୋଦାଙ୍କ ଗାଳି
ଵୃନ୍ଦାଵନର ଵାଳୀ
ପ୍ରେମିକାର ଅଳି
କଦମ୍ବର କୋହ
ଯମୁନାର ମୋହ
ମଧୁଵନର ସେ ପ୍ରେମିଳ ମୂହୁର୍ତ୍ତ
ତମାଳର କଅଁଳ ମନ !
ତୁମ ଅଫେରାରେ
ଦଗ୍ଧ ମନ ଉପଵନ
ଆପାଦ ମସ୍ତକେ ଭର୍ତ୍ତି
ଅୟୁତ ଅୟୁତ ଅଭିମାନ
ଦେଖ ତୁମ ପ୍ରେମ ସୁହାଗିନୀ ସାଜିଛି
ଏକ ଅଲୋଡା
ଅଭାଗିନୀ
ଅଭିମାନିନୀ !