ଅଭାଗା ମଣିଷ
ଅଭାଗା ମଣିଷ
ଆଲୁଅ ଉପସ୍ଥିତିରେ ବି ଅନ୍ଧାର ଆସେ ଛାଇଟିଏ ହୋଇ
ମନ୍ଦିର ଭିତରେ ବି ଦୁଷ୍କର୍ମ ଘଟିଯାଏ ପାପଟିଏ ହୋଇ,
ସବୁଦେଖି ବି ଅନ୍ଧ ସାଜନ୍ତି ଆଲୁଅ ଓ ଈଶ୍ୱର
ଧର୍ମ ଛିଡି ଖସେ ଶର୍ବରୀ ଆକାଶେ ଉଲକାଟିଏ ହୋଇ ।
ବିଦ୍ୟାଳୟ ବି ସାଜେ ବ୍ୟବସାୟ କ୍ଷେତ୍ର ଅର୍ଥାଗମ ପାଇଁ
ଦରବାର ଆଜି ସ୍ୱତଃ ପାଲଟିଛି ଚାଟୁକାରଙ୍କ ଚରାଭୂଇଁ,
ସମାଜ ଧାଇଁଛି ଆତ୍ମ ବିଜ୍ଞାପନର ପଛେ ପଛେ
ଫଗୁଣ ଆସେନା ନିରସ ହୃଦୟେ ପ୍ରୀତି ସମ୍ଭାଷଣ ପାଇଁ ।
ଚିକିତ୍ସାଳୟେ ବି ଦୁର୍ଘଟଣା ଘଟେ ମୃତ୍ୟୁର ଛାଇ ହୋଇ
ଶ୍ମଶାନ ଭୁଇଁରେ ଗଛଟିଏ ଉଠେ ଜୀବନର ଗୀତ ଗାଇ,
ଗଛରୁ ବରଡ଼ା ଖସିଖସି ଆସେ ବୟସ ପାହାଚ ଦେଇ
ନାହିଁ ନାହିଁ ଘୋଷି ଦିନ ସରିଯାଏ ଥିବା ଚିଜ ଯାଏ ରହି ।
ଦିନ ଦ୍ବିପ୍ରହରେ ହଜିଯାଏ ରାସ୍ତା ମାୟାର ପରସ୍ତ ତଳେ
ଋତୁ ଆସି ଫେରେ ଶ୍ରାବଣ ଆସେନା ଲୁଚେ ଦୂର ପାହାଡ଼ରେ,
କେଜାଣି କାହିଁକି ହସୁଛି ମଣିଷ ଲୁହର ନଦୀରେ ଭାସି
ଅପରାଧ ଆଜି ଦେହସୁହା ହେଲା ସଭ୍ୟତା ଚାଦର ତଳେ ।
ଘର ଭିତରେ ବି ଖାଇ ଗୋଡ଼ାଏ ନିଃସଙ୍ଗତାର ଭୂତ
ଯନ୍ତ୍ର ଭିତରେ ହଜିଯାଇଛି ଆଜି ସମ୍ପର୍କର ମୂଳତତ୍ତ୍ୱ,
ପରାନୁଶୀଳନେ ଦିନ ଯାଏ ବିତି ନିଜ ଘରେ ଲାଗେ ନିଆଁ
ଆତ୍ମଚିନ୍ତା ତେଜି ସ୍ୱାର୍ଥଚିନ୍ତାରେ ସବୁ ଅର୍ଥ ହୁଏ ବ୍ୟର୍ଥ ।
ଅଭାଗା ମଣିଷ ନିୟତିକୁ ନିନ୍ଦେ ନିଜ କର୍ମଫଳ ପାଇଁ
ପାପ ପୁଣ୍ୟ ସଂଜ୍ଞା ନିରୂପଣ କରି ନିଜେ ଯାଏ ଠକି ହୋଇ,
ନିଜେ ଝାଡ଼ି ହୋଇ ଆଙ୍ଗୁଠି ଦେଖାଏ ଅପରକୁ କରି ଦୋଷୀ
ଈଶ୍ୱରଙ୍କୁ ଆଖିଠାର ମାରି ଏଠି ନର୍କଭୋଗ କରୁଥାଇ ।