ଅଭାବ
ଅଭାବ


କା ପାଖେ ଧନର କା ପାଖେ ଜ୍ଞାନର
କା ପାଖେ ମନର ଅଭାବ ଥାଏ ।
କିଏ ପାଏ ନାହି ଖାଇବାକୁ ମୁଠେ
କା ପାଖେ ନଥାଏ ଜ୍ଞାନ ଟିକିଏ ।।
ଧନ ଦଉଳତ ଭରପୂର ଥାଇ
କିଏ ପାଏ ନାହିଁ ଜୀବନେ ସୁଖ ।
ପ୍ରିୟ ପରିଜନ ଅଭାବରେ କିଏ
କରଇ ଏଠାରେ ନିଇତି ଶୋକ ।।
ରୋଗାଗ୍ରସ୍ତ ହୋଇ କିଏ ଶଯ୍ୟାଶାୟୀ
ମାନସିକ ସ୍ତରେ କିଏ ଦୁର୍ବଳ ।
ଅବସାଦେ କିଏ ନିତି କାନ୍ଦୁଥାଏ
ଶରୀରରେ ଥାଇ ଶକ୍ତି ପ୍ରବଳ ।।
ଅଭାବମୟ ଏ ଦୁନିଆ ଭିତରେ
ସଭିଙ୍କ ପାଖରେ ଥାଏ ଅଭାବ ।
ଅଭାବ ଦୂରେଇ ବଞ୍ଚିବା ଶିଖିଲେ
ଜୀବନଟା ଆମ ସାର୍ଥକ ହେବ ।।
ଯେଉଁ ଅଭାବକୁ ଦୂର କରିବାଟା
ନୁହଁଇ ଆମର ହାତର କଥା ।
ସେଠାରେ ଅଭାବ ଭିତରେ ବଞ୍ଚିବା
ନ ଦେଇ ଆମର ମନକୁ ବ୍ୟଥା ।।
ହୃଦୟରେ କୋହ ମନରେ ଦୁଃଖକୁ
ଜୀବନରେ ଆମ ଭରିବା ନାହିଁ ।
ସଂଘର୍ଷ କରି ଭଲ ମଣିଷ ହେବା
ଅଭାବ ମନରୁ ଦୂରେଇ ଦେଇ ।।