ଆତ୍ମନେପଦୀ
ଆତ୍ମନେପଦୀ
ଆତ୍ମନେପଦୀପ ହିଁ ଆତ୍ମ ସ୍ବାର୍ଥପର
ଆତ୍ମହିତ କଥା କହେ,
ସ୍ବାର୍ଥେ ଯାର ମନ ସ୍ବାର୍ଥ ହିଁ ସର୍ବସ୍ବ
ନିଜ ସ୍ବାର୍ଥ ଖାଲି ବହେ |୧|
ଜାତି ସ୍ବାର୍ଥକଥା ହରେ ଜନବ୍ୟଥା
ସର୍ବଦା ମଙ୍ଗଳକର,
ସମୂହ ସ୍ବାର୍ଥର ଉନ୍ନତି ଘଟିଲେ
ହୁଅଇ ଯେ ଶୁଭଙ୍କର |୨|
ଯୁଆଡ଼େ ଦେଖିବ ଆତ୍ମନେପଦୀଙ୍କ
ଲାଗିଅଛି ମହାଭିଡ଼,
କାହାକୁ ଚିହ୍ନିବ କିପରି ଚିହ୍ନିବ
ଲାଗେ ଖାଲି ଗଡ଼ବଡ଼ |୩|
ହେଲେ କଣ୍ଟାବାଡ଼ ଫସଲ ଅଇରି
କିଏ ବା ଜଗିବ କ୍ଷେତ,
ଦେଶ ଅର୍ଥନୀତି ଭୁଷୁଡ଼ି ପଡ଼ିବ
ଖସି ପଡ଼ିଯିବ ନେତ |୪|
ଦେହସାରାଯାକ ଆତ୍ମନେପଦୀର
ଗନ୍ଧବୋଳା ପାଉଡ଼ର,
କେଉଁଠି ପାଇବ ଗୋଲାପ ବାସନା
ସୁଗନ୍ଧଭରା ଅତର |୫|
ସ୍ବାର୍ଥେ ଯାର ମନ ହରିବାକୁ ଧନ
ଲୋଭ ଭରା ପରିଣାମ,
ସେ କାହୁଁ ବୁଝିବ ପର ଦୁଃଖ କଥା
ପରହାତେ ଥିବା ଧନ |୬|
ଦୁନିଆଁ ଯାକର ସମସ୍ତ ସମ୍ପତ୍ତି
ସ୍ବାର୍ଥପର ଠୁଳ କରେ,
ଠୁଳ କରୁ କରୁ ଅମାପ ସମ୍ପତ୍ତି
ନିଜ କରେ ବାନ୍ଧି ଧରେ |୭|
ଅତି ହୀନ କୀଟ ଆତମନେପଦୀ
ଦେଶ ଖାଇ ପୋଲାକରେ,
ମାଟି ଉଇ ଭଳି ସବୁକୁ ଖାଇ ସେ
ଝୁରିଝାରି କରି ସାରେ |୮|
ଭାରି ଭୟଙ୍କର ଏହି ଭଳି ପ୍ରାଣୀ
ସମାଜର ସେ ଇତର,
ଷଟପଦ ଭଳି ଚୁଷି ଖାଇଯାଏ
ଫଳରୁ ରସ ମଧୁର |୯|
ଯେବେ ଚାଲିଯିବେ ସେ ଆତ୍ମନେପଦୀ
ସମାଜ ସୁଧୁରି ଯିବ,
ସୁସ୍ଥ ସମାଜର ସୁସ୍ଥ ପରମ୍ପରା
ପୁଣି ଯେ ଫେରିଆସିବ |୧୦|