ଆତ୍ମ ବିଶ୍ଳେଷଣ
ଆତ୍ମ ବିଶ୍ଳେଷଣ
ତୁ ପ୍ରତିଟି ମୁହୂର୍ତ୍ତରେ
ଜାବୁଡି ଧରିଛୁ
ତୋର ଅହଂଭାବକୁ ,
ମିଛ ଅହମିକା କୁ ,ଅସରାଏ ସ୍ବାର୍ଥକୁ ।
ସଠତା ର ଚାଦର ଘୋଡାଇ
ନିଜକୁ ହଜାଇଛୁ ଅପ୍ରାକୃତିକ
ପ୍ରାସାଦର ଭିତରେ ,
ପାଦ ଥାପୁଛୁ ଶଙ୍ଖ ମଲମଲ
ଚଟାଣ ଉପରେ ।
ନିଜକୁ ବୋଲାଉଛୁ ମହାଜ୍ଞାନୀ ,
ଦେଖେଇ ହେବା ପଣରେ
ହଜେଇ ଦେଉଛୁ ନିଜକୁ ।
କେବେ କି ଭାବୁଛୁ ?
ତୋର ପ୍ରତିଟି କର୍ମର
ଆଢୁଆଳରେ
ଲୁଚି ରହିଥିବା କିଛି ଭୁଲକୁ ।
ବିଶ୍ଳେଷିତ କରିଛୁ କି ନିଜକୁ ?
କେତେ ବା କରୁଛୁ ଠିକ୍ ଅବା ଭୁଲ ।
ପାପ ,ପୁଣ୍ୟ ନିକିତି ରେ
କେବେ ତଉଲିଛୁ କି ନିଜକୁ ?
ଧର୍ମ, ନ୍ୟାୟର କଷଟି ରେ ପରଖିଛୁ କି ନିଜକୁ ?
ପ୍ରତିଟି ଦିନର ସମାପ୍ତିରେ
ଗୋଟିଏ ପାଦ ଆଗେଇ ଯାଉଛୁ ତୁ
ମୃତ୍ୟୁର ଆହୁରି ନିକଟକୁ ।
ତଥାପି କି ତୁ କେବେ ବି
ଦୂରେଇ ପାରୁଛୁ ନିଜକୁ
ଭୁଲ ର ସେ
ଅନ୍ଧକାର ପଥରୁ ;
ମୁକ୍ତ କରିପାରିଛୁ କି
ତୋର ଆତ୍ମାକୁ ଆତ୍ମବଢିଆମିରୁ ।
ଏ ଅହମିକାର ମାୟାଜାଲରୁ
ନିଜକୁ ମୁକ୍ତ କରି
ତୁ ବାଛି ପାରିବୁକି
ସେ ସତ୍ ଓ ନ୍ୟାୟର
ଅତି ମନୋଲୋଭା ପଥକୁ ।
