ଆସିଗଲା ବୋଧେ ରଜ
ଆସିଗଲା ବୋଧେ ରଜ
ରଜଗନ୍ଧ ଆଉ ନାକରେ ବାଜୁନି
ରଜ କିନ୍ତୁ ଆସିଗଲା,
ମାସକ ଆଗରୁ ପ୍ରସ୍ତୁତ ପରବ
ସଜବାଜ ହଜିଗଲା।
ଗାଡିଆ ପୋଖରୀ ନଈନାଳ ତୁଠ
ବାସୁନାହିଁ ଆଗଭଳି,
ଲିରିଲି ଲକ୍ସ ସୁଅଁ ପାଉଡର
ମନରୁ ଗଲାଣି ଭୁଲି।
ବିରି ଚାଉଳକୁ ଚକିରେ ପେଶିବା
ପାଇଁ ଆଜି ବୋଉ ନାହିଁ,
ମମିମାନେ କିନ୍ତୁ ମେହେନ୍ଦି ଲଗେଇ
ହୁଅନ୍ତି ଯାହା ଫୁଲେଇ।
କଟାବଟା ସବୁ ନିଷେଧ ହୋଇବ
ରଜ ତିନିଦିନ ପାଇଁ,
ତେଣୁ ରଜ ପାଇଁ ଜର ଆସିଲାଣି
ମାଇପିଙ୍କୁ ଦେଖ ଯାଇ।
ରଜକ୍ଵିନ୍ ସୋ ଦେଖିବା ପାଇଁକି
ସମୟ ମିଳିବ ନାହିଁ,
ଭାଇଙ୍କ ଗାଡ଼ିରେ ସହର ବୁଲିବା
ଭାଉଜଙ୍କ ଲକ୍ଷ୍ୟ ଏହି।
ମନେପଡେ ରଜ ଆଠଦିନ ଥିବ
ପଇସା ପାଖେ ନ ଥିବ,
ବାପାଙ୍କ ପକେଟମାର ହୋଇଯିବ
ତାସ୍ ମୁଠେ କିଣାହେବ।
ନାଟିସ୍ ଜୋକର ଗୋଲା କ୍ଵିନ୍ ଆଉ
ପଏଣ୍ଟରେ ତାସ୍ ଖେଳ,
ଭୋକ ଶୋଷ ସବୁ ଭୁଲି ଯାଉଥିଲୁ
ଚାରିସାଙ୍ଗ ହୋଇ ମେଳ।
ଲୁଡୁ ପଶାପାଲି ସାପ ସିଡି ଭଳି
ଜୀବନର ଉଠାପକା,
ସମୟ ସୁଅରେ ରଜ ପର୍ବ ଆଜି
ସ୍ଵାର୍ଥେ ହେଲା କିଣାବିକା।
ଠିକ୍ ପନ୍ଦର ଦିନ ରଜ ଥିବ
ବିଲାତି କିଆକୁ କାଟି,
ପଚେଇବା ପାଇଁ ପୋଖରୀରେ ତାକୁ
ବିଡ
ାବାନ୍ଧି ଦେଉ ପୋତି।
କାମ ଭୁଲିଯାଇ ବାପା ଦାଦା ଭାଇ
ଯେତେ ସବୁ ଗାଆଁ ଲୋକ,
ଗାଁ ଗଛ ତୋଟା ଖଳା ନଈପଠା
ବୁଲନ୍ତି ଛକକୁ ଛକ।
କଦଳୀ କାନ୍ଦିଏ ବନ୍ଧା ହୁଏ ବାଜି
ବାଗୁଡ଼ି ଖେଳର ଯୁଦ୍ଧ,
ରଜ ମଉଜର ଓଡ଼ିଆ ସଂସ୍କୃତି
ବାଜେ ଢୋଲ ବୀରବାଦ୍ଯ।
ରଜପାନ ରଜ ପୋଡପିଠା ମଜା
ରଜବୁଲା ବନ୍ଧୁଘର,
ନୂଆ ପ୍ୟାଣ୍ଟ୍ ସାର୍ଟ ଅତର ମହକ
ଗୁଣ ବଢ଼ାଏ ରଜର।
ଗାଆଁ ଝିଅଙ୍କର ସାଙ୍ଗ ସାଥୀ ମେଳ
ବୁଲି ବୁଲି ଦୋଳି ଖେଳ,
ଚରିକି, ବାଉଁଶ,ପଟା ଦୋଳି ଆଦି
ରଜ ପରବର ମୂଳ।
ଝୋଟି ପକା ଚିତା ପାଦରେ ଅଳତା
କଦଳୀ ପଟୁଆ ଜୋତା,
ଖାଲି ପାଦ ଆଉ ପକାନା ବଉଳ
ରଜସ୍ଵଳା ମାଟି ମାତା।
ଯେତେ ପର୍ବ ପାଳେ ଓଡ଼ିଆ ଜାତିଟି
ରଜ ସବୁଠାରୁ ଶ୍ରେଷ୍ଠ,
ତା'ଠାରୁ ମହତ ଓଡ଼ିଆ ନିଜସ୍ଵ
ରଜ ପରମ୍ପରା ପାଠ।
ଯାହାର ଛାତିରେ ପାଦ ରଖି ଆମେ
ଚାଲିବା ତ ଶିଖିଅଛୁ,
ଯାହାର ଅମୃତ ଫସଲ ଆହାରେ
ଏତେ ବଡ଼ ହୋଇଅଛୁ।
ସେହି ମାଆ ଆଜି ଦେଖ ରଜବତୀ
ପହିଲି ଆଷାଢ଼ ହେଲା,
ବସୁମତୀ ସ୍ନାନ ଆଡମ୍ଵରେ କର
ତୁମକୁ ରାଣ ରହିଲା।
ଲଙ୍ଗଳ ଲୁହାକୁ ପୂଜି ଯତନରେ
ଭୂଇଁକୁ ଦହଣ କର,
ଧରିତ୍ରୀ ମାତା ମୋ ଗର୍ଭବତୀ ହେବ
ଅଜାଡିବ ସୁନାଫଳ।।