ଆସିଛି ହୋଲି
ଆସିଛି ହୋଲି
ମୋ ଗାଆଁ ମାଟିରେ ଫୁଲେଇ ଫଗୁଣ
ରଙ୍ଗର ପସରା ମେଲି
ବାରତା ଦିଅନ୍ତି ହଳଦୀ ବସନ୍ତ
ଆସିଛି ପରବ ହୋଲି ।
ମୋ ଗାଆଁ ପବନ ବାସେ ଭୁରୁଭୁରୁ
ବହେ ଚୋରା ଚଇତାଳି
ମନ କିଣିନିଏ ବଉଳ ବାସନା
ମହକଇ ବଣମଲ୍ଲୀ ।
ଆମ୍ର ତରୁକୁଞ୍ଜେ ମତୁଆଲା ହୋଇ
ପିକ ଗାଏ କୁହୁକୁହୁ
ମନ ପ୍ରଜାପତି ଭ୍ରମରେ ଭ୍ରମରେ
ଫୁଲେଫୁଲେ ଖୋଜେ ମହୁ ।
ମୋ ଗାଆଁ ମନ୍ଦିରେ ଭଜନ କୀର୍ତ୍ତନ
ହରିବୋଲ ହୁଳହୁଳି
ମିଳନ ଉଚ୍ଚାଟ ପ୍ରେମ ଅପ୍ରାକୃତ
ରାଧାକୃଷ୍ଣ ନିଉଛାଳି ।
ଦୋଳ ବିମାନରେ ରଙ୍ଗର ଅବିର
ପ୍ରେମମୂର୍ତ୍ତି ଦରଶନ
ବାସନ୍ତୀକ ରାସ ଫଗୁଣ ପୂର୍ଣ୍ଣମୀ
ଷୋଳକଳା ପୂର୍ଣ୍ଣକାମ ।
ମୋ ମନ ମୟୂର ଅଧୀର ବିଭୋର
ପ୍ରେମର ପୀୟୂଷ ପାନେ
ନିର୍ଝରୁ ସୁନ୍ଦର ମଧୁର ମୂର୍ଚ୍ଛନା
ପ୍ରତିକୋଣେ ହୃଦମନେ ।

