ଆଶଙ୍କା
ଆଶଙ୍କା
ମ୍ଳେଛ ସଂହାରଣ ନୁହେଁ ଅକାରଣ
ଯେହେତୁ ନୃଶଂସ ପାପୀ
ପରଧର୍ମ ଧ୍ବଂସ କରାଇ ସବଂଶ
ବିଶ୍ବ ସାରା ଯିବେ ବ୍ୟାପି ।
ମସ୍ତକେ ଦୁର୍ବୁଦ୍ଧି ହୋଇଯାଏ ବୃଦ୍ଧି
ପରସ୍ପର ଗଲେ ମିଳି
ହିଂସ୍ର ଆଚରଣେ ଅଧର୍ମର ରଣେ
ସଂସାରକୁ ନେବେ ଗିଳି ।
ଉଦରସ୍ଥ କରି ଅଜଗର ପରି
ଥିବେ ସବୁ ଦରମରା
ସୂର୍ଯ୍ୟେ କୃଷ୍ଣ ଦାଗ ଆଚ୍ଛାଦି ପରାଗ
ଅନ୍ଧକାର ହେବ ଧରା ।
ରଣ ଗଲେ ଥମି ସୀମା ଅତିକ୍ରମି
ଯୋଦ୍ଧାଏ ଆସିବେ ଫେରି
ତାଙ୍କ ଚଉପାଶେ ସମ୍ମାନ ସକାଶେ
ଦେଶବାସୀ ଥିବେ ଘେରି ।
ସେ'କାଳେ ଆସନ୍ନ ଭୟେ ଛାୟାଚ୍ଛନ୍ନ
ବିପକ୍ଷର ଶିରୀ ନାଶି
ଶତ୍ରୁସୈନ୍ୟ ଧରି ଯୁଦ୍ଧବନ୍ଦୀ କରି
ନିଷ୍ଠୁରେ ଆଣିବେ ଶାସି ।
ଶତାବ୍ଦୀର କ୍ଷୁଧା ନମରିଲେ ସୁଦ୍ଧା
ଅବଶ୍ୟ ଗଲେ ବି ଜିତି
ଯୁଦ୍ଧନୀତି ଚୁକ୍ତି ନୋହିବ ବିଚ୍ୟୁତି
ଏହାହିଁ ଆମର ରୀତି ।
ଅସ୍ଥିରେ ନିର୍ମିତ ପ୍ରାଚୀର ନିମିତ୍ତ
ଆକ୍ରୋଶେ ପ୍ରଚଣ୍ଡ କୋପ
ପାରିବ କି ଟଳି ଯାହା ପାଇଁ କଳି
ଅସମର୍ଥ ଶସ୍ତ୍ର ତୋପ ।
ଶଯ୍ୟାରୁ ଉଠି ବି ମରିବ ପୃଥିବୀ
ବିଦ୍ବେଷର ଏହି ରୋଗେ
ଲୋଡ଼ ବା ନଲୋଡ଼ ବିଶ୍ବଯୁଦ୍ଧ ମୋଡ଼
ନେବ ଆକ୍ରାମକ ଯୋଗେ ।
ଜୀବନ ରହିତ ମୃତକ ସହିତ
ବଢିପାରେ ପ୍ରତିପତ୍ତି
ଅଣୁବଳ କଷି ଧ୍ବଂସସ୍ତୂପେ ବସି
ବୋଲାଇବା ଅଧିପତି ।
