STORYMIRROR

ବି. ନିରୁପମା

Classics

3  

ବି. ନିରୁପମା

Classics

ଆଶୀର୍ବାଦ ଦେବେ ନାଥ

ଆଶୀର୍ବାଦ ଦେବେ ନାଥ

1 min
469


ମାନବ ଜୀବନ ନୁହଁଇ କେବଳ

ନିଜ ସୁଖ ସାଧିବାକୁ,

ଆନ ହିତ ଲାଗି କରିଯିବା କିଛି

ପୁଣ୍ୟଧନ ଲଭିବାକୁ।


ସ୍ନେହ, ପ୍ରେମ, ଦୟା, କରୁଣା, ମମତା

ମାନବ ଅନ୍ତରେ ଭରି,

ଏ ସୃଷ୍ଟି ମଧ୍ୟରେ ଶ୍ରେଷ୍ଠ ଜୀଵ ରୂପେ

ଜନ୍ମ ଦେଇଛନ୍ତି ହରି।


ସୂର୍ଯ୍ୟ, ଚନ୍ଦ୍ର,ତାରା, ଆକାଶ,ପବନ

ସସାଗରା ବନ-ଭୂଇଁ,

କେଡ଼େ କଉଶଳେ ସେ ସର୍ଵ ନିୟନ୍ତା

ଗଢ଼ିଛନ୍ତି ଆମପାଇଁ।


ପ୍ରତିଦାନ ଆଶା ନ ରଖି ପ୍ରକୃତି 

ଦିଏ ଜଳବାୟୁ ନିତି,

ତାହା ବିନା କୁହ ଦଣ୍ଡେ ବା ନିମିଷେ

କାହାର କି ପାରେ ବିତି।


ଯେତେ ବୁଦ୍ଧି, ଜ୍ଞାନ-ବିଜ୍ଞାନରେ ପୂର୍ଣ୍ଣ

ହେଲେ ବି ମାନବ ଆଜି,

ଏହି ସବୁ ଗ୍ରହ,ନକ୍ଷତ୍ର, ପବନ

ପାରିବ କି କେବେ ସୃଜି।


ଜନନୀ ଜଠରୁ ଜନମିଲା ପରେ

ଅନ୍ତିମ ନିଃଶ୍ବାସ ଯାଏ,

ପ୍ରତ୍ୟକ୍ଷ-ପରୋକ୍ଷ ଭାବେ ଏ ମାନବ

ଆନଠାରେ ଋଣୀ ହୁଏ।


ତେଣୁ ଏ କଥାକୁ ମନେ ହେଜି ଆମେ

କିଞ୍ଚିତ ଜାଗ୍ରତ ହେବା,

ସେହି ଋଣଭାର ଲାଘବ ସକାଶେ

କିଛି ପ୍ରତିଦାନ ଦେବା।


ନିଜ ସୁଖ ସାଥେ କରିବା ସରବେ

ଏଇ ଦେଶ-ଦଶ ହିତ,

ସାର୍ଥକ ହୋଇବ ମାନବ ଜୀବନ

ଆଶୀର୍ବାଦ ଦେବେ ନାଥ।।


Rate this content
Log in

Similar oriya poem from Classics