ହୃଦୟର ଜୟ ପ୍ରକୃତ ଜୟ
ହୃଦୟର ଜୟ ପ୍ରକୃତ ଜୟ
ସମୟ ଚକଟି ଅବିରତ ଘୁରେ, ମନେ ରଖ
ଭଉଣୀ ଭାଇ, ନିୟତିର ଏହି ନୀତି,
ପ୍ରକୃତିର ଖେଳ ଯେତେବେଳେ ଯିଏ ନ ବୁଝିଛି
ସେହି ସମାଜ ଭୋଗେ ମହା ବିପତ୍ତି ।
ରାମ ରାଜା ହେବେ ଦିନେ ଜାଣିଥିଲେ ସରବେ
ରାଜ୍ୟରେ ଭରି ରହିଥିଲା ଖୁସିର ଲହରୀ
ରାଜ୍ୟ ରାଜସୁଖ ତ୍ୟାଗ କରି ରାମ ଗଲେ ବନବାସ
କୁଟିଳତା ଯୋଗୁ ସମୟ ପାଖରେ ହାରି ।
ସାମ୍ରାଜ୍ୟବାଦର ବିଶାଳ କାୟା ବୃଦ୍ଧି ହୋଇଛି
ବୁଝୁ ନାହେଁ ଆମେ ସବୁ କିଛି
ଧନ ଆଧିପତ୍ୟ ଲାଳସାରେ ସ୍ନେହ, ମଧୁରତା,
ମାନବିକତା ଉଭେଇ ଯାଉଛି ।
ପ୍ରକୃତି ସବୁ ପଦାର୍ଥ ତ ଯୋଗାଇଛି, କଅଣ କୁହ
ସେ ଆମକୁ ଦେଇ ନାହଁ
ଗୋଡ ହାତ ଦୁଇଟି ଦେଇଛି, ପରିଶ୍ରମ କଲେ
କେହି ଓପାସେ ରହିବେ ନାହିଁ ।
ହୃଦୟ ଭିତରେ ବିବେକ ଖଞ୍ଜିଛି, କେଉଁ କଥା
ଭଲ ଅବା ମନ୍ଦ ତଉଲିବା ପାଇଁ
ତ୍ୟାଗ ଆଉ ମହାନତା ଭୁଲିଛି ମଣିଷ ନିଜ ନିହିତ
ସ୍ୱାର୍ଥରେ ଅନ୍ଧ ହୋଇ ଯାଇ ।
କୁଣ୍ଡଳାୟିତ ହେଉଛି ମଣିଷର ଲୋଭୀ ଗୁଣ
ଖାଲି ଅଧିକାର ପାଇବା ଇଛାରେ
ବାଟ ହୁଡ଼ି ଚାଲୁଛି ବାରମ୍ବାର, ନିଜର କର୍ତ୍ତବ୍ୟକୁ
ସମ୍ପୂର୍ଣ ଭୁଲି ଯାଇଛିରେ ।
ମାନବିକତାକୁ ଆଖି ବୁଜି ଚାଲି, ମଣିଷର ପଶୁର
ଭାବନା ଭର୍ତ୍ତି ହୋଇ ଯାଉଛି
ଆଧ୍ୟାତ୍ମିକ ବୋଲାଇ ମଧ୍ୟ ମୂର୍ତ୍ତି ପୂଜାର ଆଡମ୍ବରରେ
ମନୁଷ୍ୟତାର ହିତାହିତ ଜ୍ଞାନ ଭୁଲି ଯାଉଛି ।
ଯୁଗ ପରେ ଯୁଗ ଧରି ବିତି ଯାଉଛି,ଏଇ ତ ସମୟ,
ତାର ଅଖଣ୍ଡ ପ୍ରଭାବ ବିସ୍ତାର କରି
ତାହା ସର୍ବଦା ପରିବର୍ତ୍ତନଶୀଳ, ଏହା ଧୃବ ସତ୍ୟ,
ସୃଷ୍ଟିର ସମ୍ପଦ ସର୍ବେ ଉପଭୋଗକାରୀ ।
ଦେଖ ବିଶ୍ୱ ମାନଚିତ୍ରକୁ, କିପରି ସାମ୍ରାଜ୍ୟବାଦୀ
ଭାବନାରେ ସଂକ୍ରମିତ, ପରିବର୍ତ୍ତନ ସମୟରେ
ଚ୍ଛେଦିଛେ ନିଜ ହାତେ ନିଜ ଜିହ୍ଵାକୁ, ଅନୁଭବ କରୁଛେ,
ଜୀବନ ଧାରଣ ବିଷମୟ ହୋଇଛିରେ ।
ରେ ମାନବ, ଜାଣିଛ ଜନମ ମରଣ ମଧ୍ୟେ ସର୍ବଦା
ନିଶ୍ଚୟ ଦିନେ ତ ମୋୖସୁମୀ ଆସିବ
ଦେଖୁଥିବା ଏହି ସବୁ ବାଦଲ ଖଣ୍ଡ ସବୁ ବର୍ଷାରେ
ପରିଣତ ହୋଇ ଦିନେ ଵୋହି ଯିବ ।
ଆଜି ଯାହା ଆମେ ଅନୁଭବ କରୁଛେ ଏହି ସବୁ
ପ୍ରତାରଣାର ବିଭିନ୍ନ ଛାଇ
ଆଶା ଅଛି ଝଡ଼ି ଯିବ ସମୟର କରାଳରେ ଜମା
ସେଇ ଛାଇ ଅଟକିବ ନାହିଁ ।
ମନେ ରଖ, ଯେତେ ସାମ୍ରାଜ୍ୟବାଦୀ, ପେଟକୁ ଦାନା
ନମିଳିଲେ ବଞ୍ଚିବ କେମନ୍ତେ ଭୋକିଲାଟି
ସେଇ ଟିକକ ପାଇଁ ସର୍ବନାଶର ତାଣ୍ଡବ ରଚି ପାରେ
ସିଏ ହିତାହିତ ଜ୍ଞାନ ଭୁଲି ରକ୍ତମୁଖା ପାଲଟି ।
ହୃଦୟର ଜୟ ପ୍ରକୃତ ଜୟ, ହିଂସା ଦ୍ବେଷ ଭାବ
ଛାଡି ଦେଇ ଅହିଂସା ପଥରେ ଚାଲ
ତରବାରି ଜୟ ନୁହଇଁ ବିଜୟ, ଅହିଂସାରେ ଚାଲିଲେ
ଯେଉଁ ଆନନ୍ଦ, ଵୁଝିଵ ତାହାର ମୂଲ !
ଜରା ଜନ୍ମ ମୃତ୍ୟୁ ବ୍ୟାଧି ରହିଛି ରହିବ, ବୁଦ୍ଧତ୍ୱ ପ୍ରାପ୍ତି
ବଦଳାଏ ଜୀବନର ଗତି
ନିଜର ଦୃଷ୍ଟିଭଙ୍ଗୀକୁ ବଦଳାଇଲେ, ବ୍ରହ୍ମ ତତ୍ତ୍ଵ ପୃଷ୍ଠା
ଖୋଲି ବ୍ରହ୍ମତ୍ୱ ଯାଏ ପାଲଟି ।