STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତି

2 mins
395

ଜଗନ୍ନାଥ ଜଗବନ୍ଧୁ ହେ ଜଗଦୀଶ

ଜ୍ୟୋତିର୍ମୟ ଜନାର୍ଦ୍ଦନ ଯଜ୍ଞପୁରୁଷ

ଶକଳ ଶକ୍ତିର ପ୍ରଭୁ ଆଧାର ତୁମେ

ମାସ ବର୍ଷ ଦିନ ଦଣ୍ଡ ସୁମରି ନାମେ

ବହୁଛି ସମୟ ନଈ

ତୁମରି ମହିମା ଗାଇ

ଦିଅ ପ୍ରଭୁ ଦିଅ ଢାଳି ତୁମ ଆଶିଷ

ଭଙ୍ଗାଗଢା ଦୁନିଆରେ ନୂଆ ପୁରୁଣା

ଅନାଗତ ଭବିଷ୍ୟତ ଜଣା ଅଜଣା

ପର୍ବ ପର୍ବାଣୀରେ ବନ୍ଧା ଆମ ଜୀବନ

ମହାପ୍ରଭୁ ଙ୍କର ସବୁ ଲୀଳା ଭିଆଣ

ସବୁ ମୂଳେ ଆଦିମୂଳ

ପାର୍ବଣରେ ହୋଇ ଭୋଳ

ଶାନ୍ତି ମୁକତିର ମାର୍ଗ ଖୋଜେ ମଣିଷ

ଦିଅ ପ୍ରଭୁ ଦିଅ ଢାଳି ତୁମ ଆଶିଷ

ସୂର୍ଯ୍ୟଙ୍କର ଚଉପାଶେ ପୃଥିବୀ ଘୂରେ

ରାଶି ପରେ ରାଶି ଚକ୍ରେ ପାଦ ରଖିରେ

ମେଷ ବୃଷ ମିଥୁନରୁ ମକର ମୀନ

ରାଶି ପରେ ରାଶି ବାର ରାଶି ଯେ ଜାଣ

ବାର ରାଶି ହେଲେ ଶେଷ

ପୁଣିଥରେ ଆସେ ମେଷ

ଆରମ୍ଭ ନୂଆ ବରଷ ନୂଆ ପରଷ

ଦିଅ ପ୍ରଭୁ ଦିଅ ଢାଳି ତୁମ ଆଶିଷ

ମେଷ ସଙ୍କରାନ୍ତି ବର୍ଷ ପହିଲି ଦିନ

ଉତ୍ସବ ମୁଖର ଚଉଦିଗ ସେଦିନ

ମହାବିଷୁବ ସଂକ୍ରାନ୍ତି ଭାବେ ସେ କ୍ଷାତ

ପୁଣି ପଣା ସଙ୍କରାନ୍ତି ଜନେ ବିଦିତ

ନୂଆ ପାଞ୍ଜି ର ଚଳନ

ଆରମ୍ଭ ହୁଏ ସେଦିନ

ତିଥି ବାର ନକ୍ଷତ୍ର ର ନୂଆ ସନ୍ଦେଶ

ଦିଅ ପ୍ରଭୁ ଦିଅ ଢାଳି ତୁମ ଆଶିଷ

ମହାବିଷୁବ ସଂକ୍ରାନ୍ତି ପବିତ୍ର ଦିନ

ଓଡ଼ିଆଙ୍କ ପାଇଁ ସେତ ଦିନ ମହାନ

ଓଡ଼ିଆ ନୂଆ ବରଷ ପଣା ସଂକ୍ରାନ୍ତି

ନୂଆ ବର୍ଷ ପାଇଁ ସବୁ ଖୁସି ମନାନ୍ତି

ଦେବାଦେବୀଙ୍କ ମନ୍ଦିର

ହୁଏ ଉତ୍ସବ ମୁଖର

ବିଷୁବ ରେଖା ଉପରେ ସୂର୍ଯ୍ୟ ପ୍ରବେଶ

ଦିଅ ପ୍ରଭୁ ଦିଅ ଢାଳି ତୁମ ଆଶିଷ

ଘରେଘରେ ହୋମ ଯଜ୍ଞ ପୂଜା ପାର୍ବଣ

ସୁଆଦିଆ ପିଠାପଣା ଅନ୍ନ ବ୍ୟଞ୍ଜନ

ଛେନା କଦଳୀ ନଡ଼ିଆ ପାଚିଲା ବେଲ

ସୁଆଦ କୁ ତାର କିଏ ହୋଇବ ତୁଲ

ତୁର୍ଷାର୍ତ୍ତଙ୍କୁ ଜଳ ଦାନ

ଦାନ ଧର୍ମ ମହାପୂଣ୍ୟ

ଜୀବନ ହୁଅଇ ଧନ୍ୟ ମନ ହରଷ

ଦିଅ ପ୍ରଭୁ ଦିଅ ଢାଳି ତୁମ ଆଶିଷ

ପଣା ସଙ୍କରାନ୍ତି ଦିନ ଝାମୁ ସରଇ

ବିଶ୍ବାସ ବଳରେ ମନ ଦମ୍ଭ ରୁହ ଇ

ତତଲା ରଡ଼ ନିଆଁ ରେ ପାଦ ପକାଇ

ବ୍ରତଧାରୀ ନିଷ୍ଠାରେ ତ ଚାଲନ୍ତି ଯାଇ

ବ୍ରତର ଶକ୍ତି ଅମାପ

ରଡ଼ ନିଆଁ ର ସେ ତାପ

ପାଦକୁ ପଡେନି ଜଣା ବଡ ବିଶ୍ବାସ

ଦିଅ ପ୍ରଭୁ ଦିଅ ଢାଳି ତୁମ ଆଶିଷ

ପଣା ସଂକ୍ରାନ୍ତିରେ ଦଣ୍ଡ ପରବ ସେତ

ମାନସିକଧାରୀ ସବୁ ରଖନ୍ତି ବ୍ରତ

ଦଣ୍ଡବ୍ରତ ନିଷ୍ଠା ସେତ ଭାରି କଠିନ

ଶିବ ପାର୍ବତୀଙ୍କ ପ୍ରତି ରଖନ୍ତି ଧ୍ୟାନ

ଖାଆନ୍ତି ଗୋଟିଏ ବକ୍ତ

ଭୂଇଁ ରେ ଶୁଅନ୍ତି ସେତ

ମନ୍ଦିରେ ରୁହନ୍ତି ଭକ୍ତ ସେ ସାରା ମାସ

ଦିଅ ପ୍ରଭୁ ଦିଅ ଢାଳି ତୁମ ଆଶିଷ

ମହାବୀର ହନୁମାନ ଅଞ୍ଜନା ସୂତ

ପଣା ସଙ୍କରାନ୍ତି ତାଙ୍କ ଜନ୍ମ ଦିନତ

ହନୁମାନ ଚାଳିଶାତ ଭକ୍ତେ ଗାଆନ୍ତି

ଭାବ ଭକତିରେ ତାଙ୍କ ପୂଜା କରନ୍ତି

କାଳଜଇ ହନୁମାନ

ଭକ୍ତିରେ କରିଲେ ଧ୍ୟାନ

ଦୁଃଖ ଯାତନା ରୁ ମୁକ୍ତ ହୁଏ ମଣିଷ

ଦିଅ ପ୍ରଭୁ ଦିଅ ଢାଳି ତୁମ ଆଶିଷ

ତୁଳସୀ ଚଉରା ପରେ ଘଡ଼ି ବସଇ

ବିନ୍ଦୁ ବିନ୍ଦୁ ଜଳ ପାଇ ଗଛ ହସଇ

ପଣା ସଂକ୍ରାନ୍ତି ରେ କଲେ ଦୁଃଖୀଙ୍କୁ ଦାନ

ପାପ କ୍ଷୟ ହୁଏ ମିଳେ ଅଶେଷ ପୂଣ୍ୟ

ଓଡ଼ିଆ ନୂଆ ବରଷ

ଖୁସି ଆନନ୍ଦ ଉଲ୍ଲାସ

ଜୀବନରେ ଭରିଦିଏ ଶାନ୍ତି ଅଶେଷ

ଦିଅ ପ୍ରଭୁ ଦିଅ ଢାଳି ତୁମ ଆଶିଷ

ଶାନ୍ତି ତୁମେ ମୁକ୍ତି ତୁମେ ଜଗତ ସାଇଁ

ନୂଆବର୍ଷ ହସଖୁସି ତୁମରି ପାଇଁ

ଏତିକି ପ୍ରାର୍ଥନା ପ୍ରଭୁ ତୁମ ପାଦରେ

ଚାହିଁଥିବ ଆମକୁତ କୃପା ନେତ୍ରରେ

ବାଟ ହୁଡିଗଲେ ବାଟ

ଦେଖାଇବ ଧରି ହାତ

ଶୁଖିଲା ଓଠରେ ଭରି ଦେବ ହରଷ

ଦିଅ ପ୍ରଭୁ ଦିଅ ଢାଳି ତୁମ ଆଶିଷ ।


Rate this content
Log in

Similar oriya poem from Classics