ଭାଷା ଶିଖିଥିଲେ ହେଲା
ଭାଷା ଶିଖିଥିଲେ ହେଲା
ସବୁ ତ ରହିଛି ଆମରି ଦେଶରେ ଦେଖି ପାରିଲେ ତ ହେଲା,
ଆମପ୍ରତି କିଏ ଅନ୍ୟାୟ କରୁଛି ପ୍ରତିବାଦ କଲେ ହେଲା |
ବିଦ୍ୟାଳୟ ଅଛି ବହି ବି ମିଳୁଛି ପଢି ପାରିଲେ ତ ହେଲା,
ବଜାରରେ ସବୁ ଜିନିଷ ମିଳୁଛି ପଇସା ଥିଲେ ତ ହେଲା |
ଚାରିଆଡ଼େ କାମ ଚାକିରୀ ରହିଛ ଖୋଜି ପାରିଲେ ହେଲା,
ଯେତେ ଖାଲ-ଖମା ଉଚ୍ଚ-ଢିପ ଥାଉ ଚାଲି ପାରିଲେ ହେଲା |
ଦାନ-ଧର୍ମପାଇଁ ଲୋକ କହୁଛନ୍ତି ନିଜେ କରୁଥିଲେ ହେଲା,
ମନ୍ଦିର ରହିଛି ମଠ ବି ରହିଛି ଭକ୍ତିଭାବ ଥିଲେ ହେଲା |
ନଦୀରୁ ନାଳରୁ ଜଳ ବହିଯାଏ ବାନ୍ଧି ରଖିଦେଲେ ହେଲା,
ଜଳ ଭଣ୍ଡାର ବି ଅନେକ ରହିଛି ମାଛଚାଷ କଲେ ହେଲା |
କେତେଜମି ଖାଲି ପଡ଼ିଆ ପଡ଼ିଛି ଗଛ ଲଗେଇଲେ ହେଲା,
ସବୁଠାରେ ଟଙ୍କା-ପଇସା ଉଡୁଛି ଧରି ପାରିଲେ ତ ହେଲା |
ଆଦର ସମ୍ମାନ ପ୍ରଶଂସା ମିଳିବ ଯୋଗ୍ୟ ହୋଇଥିଲେ ହେଲା,
କଥା କହିବାକୁ ଜିଭ-ପାଟିଅଛି ଭାଷା ଶିଖିଥିଲେ ହେଲା |
