ଛନ୍ଦା ଚରଣ
ଛନ୍ଦା ଚରଣ
ତୋ ଛନ୍ଦା ଚରଣେ ବନ୍ଧା ପକାଇଛି,
ମୋ ଜୀବନ ରୂପକ ନାବ
ନବ ନିରଦକୁ ନିନ୍ଦୁଛି ତୋ କାନ୍ତି,
ଯୋଡ଼ିଛି ତୋ ସହ ଭାବ ।
ବିଶାଳ ଲୋଳ ହେ ଆୟତ୍ତ ନୟନ,
ଶତ ବିଧୂ ଜିଣି ମୁଖ
ରସ ଶେଖରଙ୍କ ମୃଦୁ ମନ୍ଦ ହାସ୍ୟ,
ମଧୁର କଟାକ୍ଷ ଦେଖ ।
ଅଧର ମଧୁର ବଦନ ମଧୁର,
ମଧୁର ଚରଣ ଶ୍ୟାମ
ଶ୍ରୀମୁଖ ମଧୁର ବାଣୀ ତୋ ମଧୁର,
ମଧୁର ତୋ ଦିବ୍ୟଧାମ ।
ହେ କୃଷ୍ଣକେଶବ ମୁକୁନ୍ଦ ମାଧବ,
ଅନଙ୍ଗ ରଙ୍ଗ ସାଗର
ତୁମେ ଦୀନବନ୍ଧୁ ତୁମେ ଭାବ ସିନ୍ଧୁ,
ତୁମେ ପ୍ରେମ ପାରାବାର ।
ମନ ବୃନ୍ଦାବନ ତମାଳ କାନନେ,
ରାଧା ଭାବ ଘେନି ମନେ
ଯମୁନା ପୂଲିନେ ଖୋଜୁଛି କହ୍ନେଇ,
ହଜିବି ବଇଁଶୀ ସ୍ୱନେ ।
ସତ୍ୟ ସନାତନ ହେ ବିଶ୍ୱବିହାରୀ,
ତ୍ରୈଲୋକ୍ୟ କରତା ନାଥ
ତୁମେ କୃଷ୍ଣ ତୁମେ ରାମ ବୋଲାଉଛ
ତୁମେ ହିଁ ଜଗତନାଥ ।
କୋଟି କାମ ଜିଣି ତୋ ରୂପ ମାଧୁରୀ,
ପଥଭ୍ରଷ୍ଟ ଯୋଗୀଜନ
ସେ ଛନ୍ଦା ଚରଣ ସେବାରେ ମୋ ମନ,
ରହି ଥାଉ ଚୀରଦିନ ।
ଚରଣ ଅମୃତ ପଦରଜ ତୋର,
କୋଟି କଇବଲ୍ୟ ନିଧି
ବ୍ରହ୍ମାଣ୍ଡ ଗୋସେଇଁ ପରଂବ୍ରହ୍ମ ତୁମେ,
ତୁମେ ରୁଦ୍ର ତୁମେ ଵିଧି ।
ଆହେ ଦିନବନ୍ଧୁ ତୁମେ ଭାବସିନ୍ଧୁ,
ତୁମେ ବନ୍ଧୁ ତୁମେ ସଖା
ତୁମେ ମୋର ମାତା ତୁମେ ମୋର ପିତା,
ପ୍ରିୟ ତୁମେ ଦିଅ ଦେଖା ।
ବ୍ରହ୍ମାଣ୍ଡ ତୁମର ନିତ୍ୟ ଖେଳ ଘର,
ସକଳ ଶକ୍ତିର ଉତ୍ସ
ପଚାଶ କୋଟି ବସୁଧା ଉଦରେ ତୁମର,
ହୋଇଥାନ୍ତି ଆତଯାତ ।
କେବେ ସୃଷ୍ଟି କେବେ ସଂହାରଣ ତୁମେ,
କେବେ ରୁଦ୍ର କେବେ ବ୍ରହ୍ମା
ମୂଳାଧାର ତୁମେ ସତ୍ୟ ଚିରନ୍ତନ,
ଯୁଗପୁରୁଷ ନାହିଁ ହେ ସୀମା ।
ଅନନ୍ତ ଅସୀମ ଅନାଦି ଅଚ୍ୟୁତ
ଶାନ୍ତlକାର ମେଘ ବର୍ଣ୍ଣ
ଭକତ ବତ୍ସଳ ପାପ ବିଲୋପନ,
ସର୍ବବ୍ୟାପି ସର୍ବ ପୂର୍ଣ୍ଣ ।
ଶରଣ ରକ୍ଷଣ ହେ କୃଷ୍ଣ ନାଗର,
ବ୍ରଜରାଜ ରଙ୍କ ନିଧି,
ସମର୍ପି ଦେଇଛି ମନ ତୁମ ଠାରେ,
ପ୍ରାଣକୁ ଦେଇଛି ଛନ୍ଦି ।
ତୋ ପାଦ ଯୁଗଳ ଭରଷା ମୋହର,
ତୁ ମୋହର ଆଶା ବାଡ଼ି
ନୟନର ମଣି ମୋର ଗଳାମାଳୀ,
ତୋ ଭାବରେ ଯାଇଛି ପଡି ।
ଛନ୍ଦା ଚରଣରେ ସ୍ଥାନ ଟିକେ ଦେବୁ,
ଦେବଙ୍କୁ ଦୁର୍ଲଭ୍ୟ ଯାହା
ବାଞ୍ଛାକଳ୍ପତରୁ ମୋ ଆତ୍ମା ଶାରୀ ଟି,
ଖୋଜୁଅଛି ତୋର ରାହା ।
ଯେଉଁ ଚରଣକୁ ଧୋଇ ଦେବାପାଇଁ
ପଦ୍ମଯୋନି ପ୍ରତିକ୍ଷଣ
ତପସ୍ୟାରେ ରତ ଦେବ ମହାଦେବ,
ସେବିବାକୁ ସେ ଚରଣ ।
ବିଷ୍ଣୁପଦୀ ଗଙ୍ଗା ପରମ ପାବନୀ,
ଉତ୍ପତ୍ତି ସେ ନଖ କୋଣୁ
ସେହି ଛନ୍ଦା ପାଦ କୈବର୍ତ୍ତ ଧୋଇଲା,
ଭକତର ଦାସ ଯେଣୁ ।
ପାଷାଣୀ ଅହଲ୍ୟା ଶାପୁ ମୁକ୍ତି ହେଲା,
ଚେତନା ଆସିଲା ଫେରି
ସେ ଛନ୍ଦା ଚରଣ ସକଳ ଜୀବର,
ଅମୃତ ବରଷା ବାରୀ ।
ସେ ନୀର ରେ ଭିଜି ଖୋଜୁଛି ମୁଁ ଆଜି,
ଆତ୍ମାପକ୍ଷୀ ଝୁରୁଅଛି
ତୋ ଛନ୍ଦା ଚରଣେ ମିଶାଇ ଦେରେ,
ନିର୍ବାଣ ମୁହିଁ ଚାଁହୁଛି ।
