ପହିଲି ଆଷାଢ଼
ପହିଲି ଆଷାଢ଼
ଶତଶୁଭ ଶଙ୍ଖେ ମଙ୍ଗଳ ବରଣେ,
ବାରିବାଦ ଶୁଭାଗମ
ଆଷାଢ଼ ଗୋ ତୁମେ ଆକାଶବୁକୁରେ,
ଘନ ସଲୀଳ ସଂଯୋଗ ।
ଅଳକାପୁରୀର ବାତାୟନ ଫାଙ୍କୁ,
ସତେକି ଆକାଶ ପ୍ରିୟ
ସୁନ୍ଦରୀ ରୂପସୀ ଧରଣୀ ରାଣୀର,
ଭିଜାଏ ବର୍ଷାରେ ଦେହ ।
କମଳ ଅର୍ପଣ ନାନାରଙ୍ଗ ପୁଷ୍ପେ,
ଉଦନ୍ତ ଭେଜଇ ପ୍ରିୟ
ବଳକା ଶୋଭିତ ବିଜୁଳି ମଣ୍ଡିତ,
ପୃଥ୍ୱୀଦିଶେ ଶୋଭାମୟ ।
ଲଜ୍ୟା ଅରୁଣିମା ରବିଙ୍କ ରୋଷଣୀ,
ବରଷାର ର ଅଶ୍ରୁଭେଦି
ପ୍ରେମ ସାତରଙ୍ଗ ବିଛୁରିତ ହୁଏ,
ମିଳନ ଆକାଶ ପୃଥ୍ୱୀ ।
ଶ୍ୟାମ ଶୋଭାନଭ ଆଲିଙ୍ଗନ ଆଶେ,
ମଉସୁମୀ ରୂପ ହୋଇ
ପ୍ରେମିକା ଧରିତ୍ରୀ ଉତ୍ତପ୍ତ ଶରୀରେ,
ଜବାଧର ମଧୁ ପିଇ ।
ମୌସୁମୀ ଚୁମ୍ବନ ଧରାରାଣୀ ଅଙ୍ଗେ,
ଆଷାଢ଼ର ଆଗମନେ
ତନୁ ଶିହରିତ ମନ ପ୍ରକମ୍ପିତ,
ସବୁଜିମା ଆଣେ ବନେ ।
ବସୁଧା ତନୁରେ ବେପଥୁ ଜାଗିଛି,
ଆସିଛି ମିଳନ ଋତୁ
ତପ୍ତ ହୃଦତଳ କରିଣ ଶୀତଳ,
ଭିଜା ମାଟି ଗନ୍ଧହେତୁ ।
ଦୁରବନ୍ଧୁ ପରି ବାରିବାଦ ସହ,
ଆସେ ଆଷାଢ଼ ସୁନ୍ଦରୀ
ଉଲ୍ଲସିତ ପ୍ରାଣେ ସ୍ୱାଗତ କରନ୍ତି,
ସବୁଜିମା ଭରା ବନାନୀ ।
ମିଳନ ପିୟାସୀ ପ୍ରେମିକା କପାଳେ,
ପ୍ରୀତିର ସ୍ଵାକ୍ଷର ଦେଇ,
ନୂତନ ସୃଷ୍ଟିର ଆଦ୍ୟ ସମ୍ଭାଷଣେ,
ଏକତ୍ୱର ଗୀତ ଗାଇ ।
ଜୀବସତ୍ତା ପ୍ରାଣେ ନବ ଉଦ୍ଦୀପନା,
କୃଷ୍ଣମେଘୀ ପାଟେ ବରଷା ରାଣୀ
ବଉଦ ସବାରୀ ମେଘକନ୍ୟା ସାଥେ,
ଆସୁଛ ଶୁଭୁଛି ବଜ୍ର ରୋଷଣୀ ।
ମେଘମାଳା ଦେଖି ଆକାଶ ବୁକୁରେ,
କୃଷକର ପ୍ରାଣ ଅତି ଆତୁର
ଝରିପଡ଼ ତୁମେ ରିମଝିମ ସ୍ୱରେ ,
ପ୍ଲାବିତ ହେଉ ଏ ନଦୀ ସାଗର ।
ପ୍ରଥମ ବରଷା ଶୀତଳ ପରଷ,
ଝୁରେ ବୃକ୍ଷଲତା ଝୁରେ କାନନ
ମିଠା ମିଠା ଏହି ମାଟିର ବାସ୍ନାରେ ,
ତୃପ୍ତହୁଏ ପ୍ରାଣ ହୃଦୟ ମନ ।
ତୁମ ମିଠା ଛୁଆଁ ଦେଇଦିଅ ପ୍ରିୟା,
ଖୋଜୁଛି ପୃଥିବୀ ତୁମ ଚୁମ୍ବନ
ଅଭିମାନ କରି ରୁହନି ଗୋ ରାଣୀ
ହୃଦୟେ ହେଉଛି ଶତ ଦହନ ।
ତୁମରି ଛୁଆଁକୁ ଅନାଇ ରହିଛି,
ଆବେଗ ପ୍ରାଣରେ ଧରା
ନବବଧୂ ସତେ ହୃଦୟେ ଖୋଜୁଛି,
ପ୍ରିୟର ଆଶ୍ଳେଷ ପରା ।
ପୃଥିବୀ ହୃଦରେ ହୁଅଇ କମ୍ପନ,
ଦିଅ କାଉଁରୀ ପରଷ
ମିଳନର ଗୀତି ଗାଇଯାଅ ସଖି,
ହୋଇ ପ୍ରୀତି ଭାବାବେଶ ।
ବର୍ଷୀଯାଅ ଆଗୋ ଶ୍ରାବଣୀ ସୁନ୍ଦରୀ,
ଛନ୍ଦାୟିତ ତୁମ ପାଉଁଜି ସ୍ଵରେ
ପ୍ରିୟତମ ମନ ଆନ୍ଦୋଳିତ କର,
ବାନ୍ଧିଦିଅ ତୁମ ପ୍ରଣୟ ଡୋରେ ।
ଅଭିମାନ ଭାଙ୍ଗ ହେ ଅଭିମାନିନୀ,
ବରଷି ଯାଅ ଗୋ ବିଜୁଳି ସଙ୍ଗେ
ଖୋଲିଯାଉ ତୁମ ଲାଜର ଓଢଣୀ,
ଏକ ହୋଇଯାଅ ପ୍ରିୟର ଅଙ୍ଗେ ।
ପ୍ରେମର ସରସୀ ପୂର୍ଣ୍ଣ ହୋଇଉଠୁ,
ଏକତ୍ୱ ରାଗିଣୀ ଝରୁ
ପୂର୍ଣ୍ଣତା ଲଭୁ ଜୀବନ ଜଗତ,
ଏ ସୃଷ୍ଟିର ମନ ଭରୁ ।
ନହୁଲି ତରଙ୍ଗେ ସରସୀର ଅଙ୍ଗେ,
ଜଳ ହେଉ ସ୍ପିତମୟ
ତଟିନୀ ମୁକୁରେ ଦେଖ ଗୋ ସୁନ୍ଦରୀ ,
ବର୍ଷାଭିଜା ପ୍ରକୃତିର ମୁହଁ ।
