STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଧାମ ଶ୍ରେଷ୍ଠ ନୀଳାଚଳ

ଧାମ ଶ୍ରେଷ୍ଠ ନୀଳାଚଳ

2 mins
332


ନୀଳସିନ୍ଧୁ ନୀଳଚକ୍ର ନୀଳ ପର୍ବତ

ନୀଳାଚଳ ନୀବାସରେ କଳା ସାମନ୍ତ

ଚାରିଧାମେ ଧାମ ସାର ସାର ଶ୍ରୀକ୍ଷେତ୍ର

ମହିମା ବଖାଣେ ଯାର ପୁରାଣ ସାସ୍ତ୍ର

ବ୍ରହ୍ମପୁରାଣ ଯେ ପୁଣି

ସ୍କନ୍ଦପୁରାଣ ର ବାଣୀ

ଜଗନ୍ନାଥ ସ୍ବାମୀ ପାଦ ରେଣୁ ଅମୃତ

ନୀଳସିନ୍ଧୁ ନୀଳଚକ୍ର ନୀଳ ପର୍ବତ ।


ବ୍ୟାସଦେବଙ୍କ ରଚିତ ସ୍କନ୍ଦପୁରାଣ

ଉତ୍କଳ ଖଣ୍ଡରେ ଯାର ଅଛି ବର୍ଣ୍ଣନ

ମାଳବ ଦେଶର ରାଜା ସେ ଇନ୍ଦ୍ରଦ୍ୟୁମ୍ନ

ନୀଳଶଇଳ ଶିଖରେ କଲେ ନିର୍ମାଣ

ଅପୂର୍ବ ମନ୍ଦିର ଜାଣ

ଚତୁର୍ଦ୍ଧାମୂର୍ତ୍ତି ସ୍ଥାପନ

ବ୍ରହ୍ମାଙ୍କ ହାତରେ କଲେ ପ୍ରତିଷ୍ଠା ସେତ

ନୀଳସିନ୍ଧୁ ନୀଳଚକ୍ର ନୀଳ ପର୍ବତ ।


ବ୍ରହ୍ମପୁରାଣର ଏହି କଥା ଅମୃତ

ବ୍ରହ୍ମ ବ୍ରହ୍ମାଣ୍ଡ ର ମୂଳ ଶ୍ରୀଜଗନ୍ନାଥ

ଏକଥାଟି ବଖାଣନ୍ତି ପଦ୍ମପୁରାଣ

ଜଗନ୍ନାଥ ନିଜେ ରାମ ସେ ପୁଣି କୃଷ୍ଣ

ଷୋହଳ କଳାର ଦିଅଁ

ଅବତାରୀ ଲିଳାମୟ

ଜଗନ୍ନାଥ ମୟ ନାଥ ସାରା ଜଗତ

ନୀଳସିନ୍ଧୁ ନୀଳଚକ୍ର ନୀଳ ପର୍ବତ ।


ପବିତ୍ର ମହାଭାରତ ବନ ପର୍ବରେ

ପାଣ୍ଡବେତ ଗୁପ୍ତ ବନ ବାସ କାଳରେ

ପୁରୁଷୋତ୍ତମ ଧାମକୁ ସେ ଆସିଥିଲେ

ନୀଳମାଧବ ଙ୍କୁ ଯହିଁ ଦର୍ଶନ କଲେ

ସେହି ଶାନ୍ତି ସେହି ମୁକ୍ତି

ସେତ ଅଗତିର ଗତି

ପାଣ୍ଡବେ ଶରଣଗଲେ ତାଙ୍କ ପାଦେତ

ନୀଳସିନ୍ଧୁ ନୀଳଚକ୍ର ନୀଳ ପର୍ବତ ।


ଚାରିଧାମେ ଜଗନ୍ନାଥ ଧାମ ସେ ଶ୍ରେଷ୍ଠ

ଅତିବଡି ଲେଖିଛନ୍ତି ଭାଗବତେତ

ସକଳ ତୀର୍ଥ ପ୍ରଭୁ ତୁମରି ଚରଣେ

ବଦ୍ରିକା ଯିବି ମୁଁ କୁହ କେଉଁ କାରଣେ

ଆଦିକନ୍ଦ ଆଦିମୂଳ

ବାୟୁଅଗ୍ନି ଜଳ ସ୍ଥଳ

ବିଶ୍ଵବ୍ୟାପୀ ବିଶ୍ବମ୍ବର ହେ ବିଶ୍ବନାଥ

ନୀଳସିନ୍ଧୁ ନୀଳଚକ୍ର ନୀଳ ପର୍ବତ ।


ସର୍ବଧର୍ମ ଏକାକାର ତୁମ ରୂପରେ

ନିରାକାର ନିର୍ବିକାର ଶୂନ୍ୟ କଳ୍ପରେ

ଶ୍ରୀଚୈତନ୍ୟ ରାମାନୁଜ ଗୁରୁ ନାନକ

ସାଲବେଗ କବୀର ଆଚାର୍ଯ୍ୟ ନିମ୍ବାକ

କେତେ ଯୋଗୀ ମୁନି ଋଷି

ଏ ପୂଣ୍ୟ ଧାମକୁ ଆସି

ଜଗନ୍ନାଥ ନାମ ଗାଇ ହୋଇଲେ କ୍ଷାତ

ନୀଳସିନ୍ଧୁ ନୀଳଚକ୍ର ନୀଳ ପର୍ବତ ।


ଆଦିଗୁରୁ ଗୁରୁ ଶ୍ରେଷ୍ଠ ଶଙ୍କରାଚାର୍ଯ୍ୟ

ପ୍ରଭୁଙ୍କର ପାଦେକଲେ ପ୍ରାଣ ଉତ୍ସର୍ଗ

ଗାଇଲେ ମଙ୍ଗଳ ଗୀତ ପାଦେ ପ୍ରଣମି

ନୟନପଥଗାମୀ ଜଗନ୍ନାଥ ସ୍ବାମୀ

ନାଥ ତୁମେ ଜଗନ୍ନାଥ

ଚରଣ କମଳ ସେତ

ସୁରାସୁରପତି ଶିବ ଗଣେଶାର୍ଚ୍ଚିତ

ନୀଳସିନ୍ଧୁ ନୀଳଚକ୍ର ନୀଳ ପର୍ବତ ।


ଭେଦଭାବ ନାହିଁ ଭାବ ଭକ୍ତି ଉଛୁଳେ

ଚଣ୍ଡାଳ ବ୍ରାହ୍ମଣ ଭାବେ ବନ୍ଧା ସକଳେ

ଦୂରରୁ ଦୂରକୁ ଦିଶେ ଦେଉଳ ନେତ

ଯୋଡିହାତ ପ୍ରଣିପାତ କରେ ଭକତ

ବଡଦାଣ୍ଡ ଧୂଳି ମୁଣ୍ଡେ

ଜୟ ଜଗନ୍ନାଥ ତୁଣ୍ଡେ

ଉଦଣ୍ଡ ନାଚରେ ଭୋଳ ପାଗଳ ଭକ୍ତ

ନୀଳସିନ୍ଧୁ ନୀଳଚକ୍ର ନୀଳ ପର୍ବତ ।


ଶିବ ରୂପେ ପୂଜିଥାନ୍ତି ଶିବ ଭକତ

ଦକ୍ଷିଣ କାଳିକା ରୂପେ ପୁଜନ୍ତି ଶାକ୍ତ

ଗାଣପତ୍ୟଙ୍କର ବକ୍ର ତୁଣ୍ଡ ଗଣେଶ

ସୌର ମାନଙ୍କର ସୂର୍ଯ୍ୟ ସେ ଛାୟା ଈଶ

ବୌଦ୍ଧ ମାନଙ୍କର ବୁଦ୍ଧ

ଜୈନଙ୍କର ଜୀନଦେବ

ବୈଷ୍ଣବ ଙ୍କ ମହାବିଷ୍ଣୁ ବିଶ୍ବ ବନ୍ଦିତ

ନୀଳସିନ୍ଧୁ ନୀଳଚକ୍ର ନୀଳ ପର୍ବତ ।


ପୁରୁଷୋତ୍ତମ ଉତ୍ତମ ପବିତ୍ର ଧାମ

ପ୍ରଭୁ ପରମାନନ୍ଦ ପୁରୁଷୋତ୍ତମ 

ପତିତପାବନ ନାମେ ଉଡୁଛି ନେତ

ପତିତପାବନ ପୁଣି ନିଜେ ସାମନ୍ତ

ଅନାମ ପରମ ବ୍ରହ୍ମ

ନାମପୁଣି ଦାରୁବ୍ରହ୍ମ

ବ୍ରହ୍ମମୟ ସାରାଧାମ ବ୍ରହ୍ମ ମଣ୍ଡିତ

ନୀଳସିନ୍ଧୁ ନୀଳଚକ୍ର ନୀଳ ପର୍ବତ ।


ଜୟଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ

ଅସୀମ ମହିମାମୟ ପ୍ରଭୁ ଅନନ୍ତ

ତୁମରି ଧାମରେ ରଖୁ ରଖୁ ଯେ ପାଦ

ଦୂରହୋଇଯାଏ ଦୁଃଖ ସବୁ ବିଶାଦ

କରୁଣା ସାଗର ହରି

ଭବ ସାଗରର ତରୀ

ପାରିକର ମହାପ୍ରଭୁ ମାୟାଜାଲୁତ 

ନୀଳସିନ୍ଧୁ ନୀଳଚକ୍ର ନୀଳ ପର୍ବତ ।


Rate this content
Log in

Similar oriya poem from Classics