ଆଶାର ଆଲୋକ
ଆଶାର ଆଲୋକ
ପଙ୍କିଳ କାସାର ଆଖିରେ ଚମକେ
କହ୍ଲାର କୁମୁଦ ଆଶା,
ଶୈବାଳିନୀ ଧାଏଁ ଅଶ୍ମ ବକ୍ଷ ଚିରି
ପୟୋଧି ମିଳନେ ନିଶା।
ପୂର୍ଣ୍ଣମୀ ପୂର୍ଣତା ଆଶାରେ ସିତାଂଶୁ
ପକ୍ଷର ଯନ୍ତ୍ରଣା ସହେ,
ଜଳଦ ପରଶ ଆଶେ ସୁଖେ ଊର୍ବୀ
ବିବସ୍ୱାନ ବହ୍ନି ସହେ।
ଦିନାନ୍ତ ସବିତା ମିଳନର ଆଶେ
ପ୍ରତୀକ୍ଷାରେ ଚକ୍ରବାଳ
ମଧ୍ୟାହ୍ନର ତୀବ୍ର ଉତ୍ତପ୍ତ ମୟୁଖେ
ଜଳେ ଗଡ଼ିବାକୁ ବେଳ।
ଅନ୍ତରୀକ୍ଷ ପଥେ ଉଡ଼ିଯାଏ ଦ୍ଵିଜ
ଆହାର କଣାଏ ଆଶେ
ସାଧନ ନିରତ ହୁଏ ବିଶାରଦ
ଜ୍ଞାନର ଅଞ୍ଜନ ଆଶେ।
ଶିତିକଣ୍ଠ ନାଚେ ମୁଦିର ଆଗମେ
ଚାତକ ସଲିଳ ପାଇ,
ମାତା ଭୁଲିଯାଏ ଗର୍ଭ ବେଦନାକୁ
ସନ୍ତାନର ମୁଖ ଚାହିଁ।
ଦୁର୍ଗମ ବିପିନ କଣ୍ଟକିତ ପଥେ
ଆଶାର ଆଲୋକ ବିନ୍ଦୁ,
ଅଦମ୍ୟ ଉତ୍ସାହେ ପଦ ହୁଏ କ୍ଷିପ୍ର
ତରି ଜୀବନର ସିନ୍ଧୁ।
ଆଶା ହିଁ ସଂଚାରେ ନବଶକ୍ତି ହୃଦେ
ହିମାଦ୍ରି ତରିବା ପାଇଁ
ଦୀର୍ଘ ପଥ କ୍ଳାନ୍ତି ହୋଇଯାଏ ଦୂର
ମରୁପଥେ ଅମ୍ବୁ ପାଇ।
ଆଶା ତେଜ ନାହିଁ ହେ ଶ୍ରେଷ୍ଠ ମନୁଜ
ଅନୁସର ଶୁଦ୍ଧପଥେ,
ଅମିୟ ଲଭିବ ନିଶ୍ଚେ ସୁସମୟେ
କୃଷ୍ଣ ନିଶୀଥିନୀ ଗତେ।
