ଆଶା
ଆଶା
ଆଶା ଭବେ ସର୍ବୋତ୍ତମ ଜାଜୁଲ୍ଯ କିରଣ
ଜୀବନର କଷମକସ ଭିତରେ
ଖୋଜି ଆଣେ ରାସ୍ତା ଏକ ସରଳ ସୁଗମ ।
କଣ୍ଟକିତ କର୍ଦ୍ଦମାକ୍ତ ଗୋଲାପର ବନ
ହରଷ ଉଲ୍ଲାସଭରେ ହୁଏ ଅଗ୍ରସର
ଆଶା ଗଣ୍ଡଦେଶେ ଗୋଲାପର ମଧୁର ଚୁମ୍ବନ ।
ଚେଷ୍ଟାକର ଜିଣିବାକୁ ସୁନ୍ଦରୀର ଅବୁଝା ଅନ୍ତର
ଦୁନିଆ ଯାତନା କିଛି ତେଜି କିଛି ହେଜି ଶିଶୁସମ
ଆଶା ଦିଏନାହିଁ ଭାଙ୍ଗିବାକୁ ପ୍ରେମମୟ ଅଭିପ୍ସା ତୁମର ।
ଝଡମଧ୍ଯେ ହଜିଯାଏ ଚିରଦିନ ପାଇଁ କେହି ପ୍ରିୟଜନେ
ଅସରନ୍ତି ହତାଶା କାଳିମା ଘୋଟିଯାଏ ଦିଗବଳୟଯାଏ
ଏଇଯେ ଆଶା ପୁଣି ଉଜ୍ଜୀବିତ, ସବିତାର ପହିଲି କିରଣେ ।
ଉପଭୋଗ୍ଯ ନୁହଇ କା’ରେ ସୁଖମୟ ମେଳା ଜୀବନର?
ମାତ୍ର ସେ ସୁଖେ ଆହ୍ଲାଦିତ ନୋହିଲେ ପରାଣ
ଇଙ୍ଗିତ କରଇ ଆଶା ଏଠି ନାହିଁ ଶୁଦ୍ଧପୂତ ଅମୃତର ଧାର ।
ଅପୂର୍ଣ୍ଣ ସେହି ମେଳାରେ ଆପଣାକୁ ନ ଦିଅ ହଜାଇ
ନ ଲଂଘିବାକୁ ସଂସ୍କୃତି ଅବାଂଛିତ ଦୁଃଖ ସରଜାଇ
ଆଶା ଦେଇଥାଏ ମେଳା ମଧ୍ଯେ ପୁଷ୍ପମୟ ସରଣୀ ସଜାଇ ।
ସମସ୍ତେ ଜାଣନ୍ତି ପଡେ ଯେବେ ଶେଷ ଯବନିକା
ରିକ୍ତ ହସ୍ତେ ଯିବେ ସର୍ବେ ସେ ମହା ପ୍ରସ୍ଥାନେ
ଆଶା ନଦୀ ତୀରେ ନିରନ୍ତର ଜମାକରି ଚାଲଇ ବାଲୁକା ।
ଜୀବନର ରୀତି ଏହା ନାଟ୍ଯାନ୍ତରେ ବାହୁଡିବେ ସର୍ବେ
ଆଶା ମାତ୍ର ସୁଚିନ୍ତିତ ସୁନିଶ୍ଚିତ ଆଶାପୂର୍ଣ୍ଣ ଆଶେ
ମନାସଇ ନାମ ତାର ସୁନାମ କରିବେ ଜ୍ଞାତି ଓ କୁଟୁମ୍ବେ ।