ଆଶା, ଅପେକ୍ଷାର....
ଆଶା, ଅପେକ୍ଷାର....
ମନର ବିଷାଦ ହୁଏ ଉପେକ୍ଷିତ,
ହୃଦୟ ବି ହୁଏ କ୍ଷତ ବୀକ୍ଷତ.
ଦେଖି ଆଜି ପରିପାର୍ଶ୍ୱ ଅବସ୍ଥା,
ଶୂନଶାନ ନିର୍ଜୀଵ ଏ ରାସ୍ତା.
ବେଳେ ବେଳେ ଲାଗେ ସେ କିଛି କହୁଛି,
ଖାଲି ମିଟି ମିଟି ଆଖି ମେଳି ଚାହିଁଛି.
ବକ୍ଷ ତାର ସଦା ଥିଲା ପ୍ରକମ୍ପିତ,
ଘୁଂ ଘା କରି ସର୍ବେ ଥିଲେ ଆତଜାତ.
ପ୍ରସାରି ତା ବକ୍ଷ ସେ କରୁଥିଲା ସ୍ୱାଗତ,
ଆନନ୍ଦେ ଥିଲା ପାଇ ସେ ଘାତ ପ୍ରତିଘାତ.
ସୂର୍ଯ୍ୟୋଦୟ ଠାରୁ ଅସ୍ତଗାମୀ ଚନ୍ଦ୍ର ପର୍ଯ୍ୟନ୍ତ,
ସଦା ସେ ସଭିଙ୍କ ସେବାରେ ରହୁଥିଲା ଜାଗ୍ରତ.
ଆଜି କିନ୍ତୁ ସବୁ ହୋଇଛି ଓଲଟ ପାଲଟ,
ସହି ନ ପରି ହୁଏ ସେ ଖାଲି ଛଟ ପଟ.
ଜାଗ୍ରତ ସେ ଆଜି କିନ୍ତୁ ଲାଗେ ସୁପ୍ତମାନ,
ବୁକୁରେ ଧରି କୋହ କରିଛି ସେ ଅଭିମାନ.
ଲାଗେ ବଡ଼ କଷ୍ଟ ଦେଖି ତା ବିବଶତା ଏବେର,
ତଥାପି ତା ମନେ ସେ ବାନ୍ଧିଛି "ଆଶା, ଅପେକ୍ଷା ର "
ଯେବେ ଦେଖେ ପାଖ ଗଳି ଦୋକାନ ବଜ଼ାର,
ସବୁ ଲାଗେ ଖାଁ ଖାଁ, ନାହିଁ ଆତ ଜାତ କାହାର.
ପାଖ ଗଳି କହୁଥିଲା ତୁନି ତୁନି ସଂଲଗ୍ନ ରାସ୍ତାକୁ,
ବଡ ବିଷମ ଏ ସମସ୍ୟା, କେହି ନାହିଁ ଉଦ୍ଧରିବାକୁ.
ପାର୍ଶ୍ୱରେ ଥିବା ପାର୍କ ବି ଏବେ ରହିଛି ଚିନ୍ତାରେ,
ରହିଛି ସେ ଏବେ ଖାଲି ହୋଇ ଜନ ଶୂନ୍ୟ ଅବସ୍ଥାରେ.
ତା ଦୁଃଖ କିଏ ବା ଶୁଣିବ କିଏ ଅଛି ଦେଖିବ ?
ତା ସୁନ୍ଦରତା ଦେଖି କିଏ ଏବେ ପ୍ରଫୁଲ୍ଲିତ ହେବ ?
ଯେତେ ଯେତେ ସୁନ୍ଦର ଫୁଲ ସବୁ ଦୁଃଖୀ, ନ ପାଇ ଆଦର,
କହେ ସେ ଫୁଲି ଫୁଲି କି ଲାଭ ଏବେ ତା ସୁଗନ୍ଧର ?
ଭ୍ରମର ତ ଆସୁଥିଲା ସେ ପ୍ରେମିକ ରସିକ ନାଗର,
ତା ସଙ୍ଗୀତ ତାନେ ଖେଳି ବାଣ୍ଟୁ ଥିଲା ସେ ରସ ପ୍ରେମ ଗୀତିର.
ଏବେ ସେ ଅଛି ଭ୍ରମର ବି ଅଛି, ଅଛି ତାନ ଗୁଣୁ ଗୁଣୁର,
କିନ୍ତୁ ନାହିଁ କେହି ନେବାକୁ ଆନନ୍ଦ ସେ ମଧୁର ମିଳନର.
ଏବେ ଖାଲି ଡର ଲାଗେ ଏକା ଏକା ମୁଁ ତ ରହିଛି,
ଏଇ ଗଛରେ ମୁଁ ଫୁଟି ପୁଣି ଗଛରେ ଝଡି ଯାଉଛି.
କେହି ନାହିଁ ଦେଖିବାକୁ, କରିବ ବା କିଏ ମୋତେ ଆଦର !
ତଥାପି କରୁଣ ସୂକ୍ଷ୍ମ ହୃଦୟ ମୋ ବାନ୍ଧିଛି "ଆଶା,ଅପେକ୍ଷାର ".
ଶିକ୍ଷା ଓ ଶିକ୍ଷକ ଆଜି ହୁଅନ୍ତି ବଡ଼ ହଟହଟା,
ଛାତ୍ର ବି ହୁଏ ଆଜି ଶିକ୍ଷା ପାଇଁ ବିବ୍ରତ ତା ମ
ଥା.
ଗାଲୁଆ ଯନ୍ତ୍ର (ମୋବାଇଲ ) ଲାପଟପ ହୋଇଛି ମାଧ୍ୟମ,
ଇଣ୍ଟରନେଟ ଜରିଆରେ ଚାଲେ ଆଜି ସବୁ ପାଠ୍ୟକ୍ରମ.
ଘରୋଇ ଚାକିରୀରେ ବି ଆଜି ହୁଏ ଘରୁ ସବୁ କାମ,
ସରକାରୀ ଚାକିରୀରେ ପାଳି କରି କରନ୍ତି ସର୍ବେ କାମ.
ଚିକିତ୍ସକ ଆଜି ହୁଏ ବଡ଼ ହନ୍ତସନ୍ତ,
ସେ ବି ମଣିଷ, ତା ଦୁଃଖ କାହା ଆଗେ କହିବ କେମନ୍ତ.
ମୃତ୍ୟୁ ପରି କ୍ରିୟା କର୍ମ ଆଜି ମାନେ ନାହିଁ କିଛି ବିଧି,
ସବୁ ପାଇଁ ଲକ୍ଷ୍ମଣରେଖା, ତାକୁ ଟପିବାର ନାହିଁ କିଛି ବୁଦ୍ଧି.
ବିବାହ ଆଦି ଉତ୍ସବରେ ପ୍ରିୟା ପ୍ରୀତି ହୁଅନ୍ତି ମନା,
ଆନନ୍ଦ ଆଡମ୍ବର ଆଜି କେଉଁଠାରେ ବି ଦୃଶ୍ୟ ହୁଏନା.
ନିଶା କାଳେ କେହୁ କିଏ ନିଶା କରିବାକୁ କରେ ମନ,
କେହି ଚୋରି ଚୋରି କରେ କେହି ଦେଖେ ଚିତ୍ର ମାନ.
ଖାଲି ହଟହଟା ଘରେ ଏବେ ସବୁ ଗୃହିଣୀ,
ପିଲା ଠାରୁ ବଡଙ୍କର ନାନା ବରାଦ ଶୁଣି ଶୁଣି.
ସର୍ବେ ଏବେ ସରଣରେ ସେହି ବିଶ୍ୱକର୍ତ୍ତାଙ୍କର,
ଉଦ୍ଧରିବେ ସେ ସଭିଙ୍କୁ ବାନ୍ଧିଛନ୍ତି "ଆଶା,ଅପେକ୍ଷା ର ".
ମନ୍ଦିର ମସଜିଦ ଗୀର୍ଜା ସ୍ଥଳେ ଏବେ ରାଜୁତି ଶୂନ୍ୟତା କରେ,
ମାନବ ସମାଜ ଆଜି ଜୀଇଁତ ରହିଛି ଅଜଣା ଆଶଙ୍କାରେ.
ଜଣା ନାହିଁ କେବେ କିଏ ହେବ କିପରି ଶିକାର,
ଭୋଗିବ ଯନ୍ତ୍ରଣା ସେ ନିର୍ଦ୍ଦୟର ଦାରୁଣ ଆକ୍ରାନ୍ତର.
ଭଳି ଭଳି କଥା ଶୁଣି ଦେଖି ମୃତ୍ୟୁର ଏ ଲୀଳା,
ଭାରାକ୍ରାନ୍ତ ଆଜି ସଭିଙ୍କ ମନ ଦେଖି ନିର୍ଦ୍ଦୟ ବେଳା.
ସୁସ୍ଥ ଯେ ଆଜି ଅଛି କାଲି ହେଉଛି ସେ ଆକ୍ରାନ୍ତ,
ସ୍ଵଜନେ ଓ ସମାଜରେ ରଚୁଛି ସେ ତ ଅନେକ ଅଶାନ୍ତ.
ଜୀବନ ରକ୍ଷା ପାଇଁ ଅଭାବ ତ ହୁଏ ଏବେ ଟିକିଏ ଆହାର,
କିନ୍ତୁ ବେଉସା ତ ନାହିଁ ଏବେ, କେହି ନୁହେଁ ଏଠି କାହାର.
ଦୁଃଖ ଅନାହାର ଯନ୍ତ୍ରଣାରେ ଜୀବର ଜୀବନ ବିପନ୍ନ,
ଖୋଜୁଛି ଉପାୟ ଓ ରାସ୍ତା ପାଇବାକୁ ସେ ମୁଠାଏ ଅନ୍ନ.
କେହି କେହି ଦୟାଵାନ ବଢ଼ାନ୍ତି ତାଙ୍କ ଉଦାର ହସ୍ତ,
ଅସହ୍ୟ ହୁଏ ତାଙ୍କ ହୃଦୟ ଦେଖି ଏ କରୁଣ ଦୃଶ୍ୟ.
ବିଶ୍ୱ ଦରବାର ଆଜି ହୁଏ ଭୀଷଣ ଚିନ୍ତାଗ୍ରସ୍ତ,
ବିଚାରନ୍ତି କେମିତି କେବେ ଏ ଅଜଣା ଆତଙ୍କର ହେବ ଅସ୍ତ !
ସଭିଏଁ, ଜୀବ ଓ ନିର୍ଜୀଵ ଆଜି ଚିନ୍ତନ୍ତି ନିରନ୍ତର,
ଖୋଜନ୍ତି ଉପାୟ ଏହାର ବାନ୍ଧନ୍ତି "ଆଶା, ଅପେକ୍ଷାର ".