ଆସ ମାଆ ଅବତରୀ
ଆସ ମାଆ ଅବତରୀ
ସ୍ବଚ୍ଛ ଶରତରେ ଆଶ୍ବିନ ମାସରେ
ଆସ ମାଆ ଅବତରୀ
ତୁମ ଆଗମନେ ଭାରତ ଭୁବନେ
ଖେଳୁ ଆନନ୍ଦ ଲହରୀ ।
ସିଂହବାହିନୀ ମା' ନାହିଁ ତୋ ଉପମା
ମହିଷା ବଧିବା ପାଇଁ
ହେଲୁ ଆବିର୍ଭୂତ ଶସ୍ତ୍ର ଦଶ ହାତ
ଯାହା ପୁରାଣ ବର୍ଣ୍ଣଇ ।
ଶାରଦୀୟ ଶୋଭା ଅତି ମନଲୋଭା
ତା' ଭିତରେ ତୋ ସ୍ବାଗତ
ନଦୀ ପଠା ଧାରେ ବିଲପାଟ ମାଳେ
କାଶତଣ୍ଡୀ ଉପଗତ ।
ଶେଫାଳୀ କୁମୁଦ ଅତୀବ ଆନନ୍ଦ
ତୋ ରୂପରେ ହୋଇ ମୋହି
ସେ ଲୋଟଣି ପାରା ସମ ଲୋଟେ ଧରା
ତୋ ପଦ ଭୂଷିତା ପାଇଁ ।
ସୁନୀଳ ଆକାଶ ନୀଳିମାର ବେଶ
ହରି ନିଏ ଜନମନ
ବିମୋହିତ ହୋଇ ତୋତେ ନିରେଖଇ
ମଣ୍ଡପେ ସ୍ଥାପି ଆସ୍ଥାନ ।
ପାର୍ବଣ ଋତୁରେ ହୃଦୟଟା ଭରେ
କରି ତୋର ଦରଶନ
ଭକ୍ତି ଗଦଗଦେ ଡାକିଦେଲେ ହୃଦେ
ହୁଏ ମନସ୍କାମ ପୂର୍ଣ୍ଣ ।
ଆଦିମାତା ତୁହି ଉଭା ହୋଇ ମହୀ
ଦାନବ ସଂହାର ପରି
ମୁ'କାର ଦାନବ ନାଶ କରି ଭବ
ପାରନ୍ତୁ କି ଖୁସି ଭରି !
ପଞ୍ଚଭୂତ ଦେହ ଗନ୍ଧେ ଲୋଭ ମୋହ
ନିଜକୁ ମଜ୍ଜାଇ ରଖି
ପ୍ରତି ପଦକ୍ଷେପେ ଶୁଭ ବା ଅଶୁଭେ
ହୋଇ କି ପାରୁଛି ସୁଖୀ !
ତୋର ଆଶୀର୍ବାଦ ଯେତେ ପରମାଦ
ମନୁ କରିଥାଏ ଦୂର
ମାଆ ପରା ତୁହି ହୃଦେ ଦୟା ବହି
ଝରାଅ କରୁଣା ଝର ।
ଯେତେକ ଦାନବ କରି ଉପଦ୍ରବ
ହରନ୍ତି ମୁଖରୁ ହସ
ଦେଇ ତାଙ୍କୁ ଶିକ୍ଷା ସୁଗୁଣର ଦୀକ୍ଷା
ବଳେ ଭରିଦେ ହରଷ ।
ତୋ ପଦ କମଳେ ପ୍ରଣତି ମୁଁ ଢାଳେ
ବିନତି ମୋ ଘେନା କର
ପ୍ରତିଟି ବରଷ ମର୍ତ୍ତ୍ୟେ ତୋ ପରଶ
ହେଉଥାଉ ଶୁଭଙ୍କର ।