ଆସ ଖୋଜିବା କୁଆଁର ପୁନେଇଁ
ଆସ ଖୋଜିବା କୁଆଁର ପୁନେଇଁ
କୁଆଁର ପୁନେଇଁ ଜହ୍ନ
ଜହ୍ନ ପୂଜିବାକୁ ହେଉଛି ମନ
ହେଉଛି ମନ ଲୋ
ଜହ୍ନ କଥା ଟିକେ ଶୁଣ।
ଜହ୍ନମାମୁଁ କେବେ ଥିଲା
ଜହ୍ନ ପାଖକୁ ତ ମଣିଷ ଗଲା
ମଣିଷ ଗଲା ଲୋ
ଚନ୍ଦ୍ର ଯାନ ପହଞ୍ଚିଲା।
କୁଆଁର ପୁନେଇଁ ଦିନ
ଝିଅ ମାନଙ୍କର ଉଚ୍ଛନ୍ନ ମନ
ଉଚ୍ଛନ୍ନ ମନ ଲୋ
ଜହ୍ନି ଓଷା ଶେଷ ଦିନ।
ଏବେ ଆଉ ନାହିଁ ଓଷା
ହୋଟେଲ,ପାର୍କରେ କଲେଣି ବସା
କଲେଣି ବସା ଲୋ
ଫାଷ୍ଟ ଫୁଡ ତାଙ୍କ ନିଶା।
ଜହ୍ନି ଓଷା ଏକ ମାସ
କୁଆଁର ରଖନ୍ତି ବେଳେ ଓପାସ
ବେଳେ ଓପାସ ଲୋ
ବୁଲନ୍ତି ପଡିଣ ବେଶ।
ଏବେ ସେଇ ବେଶ ଗଲା
ନୂତନ ବେଶ ଯେ ଆଗତ ହେଲା
ଆଗତ ହେଲା ଲୋ
ଫଟା ଜିନ୍ସ ନାଶ କଲା।
ପାଦରେ ଅଳତା ଗାର
ହଳଦୀ ଫୁଲ ରେ ଝିଅ ସୁନ୍ଦର
ଝିଅ ସୁନ୍ଦର ଲୋ
ମନ କୁ ମୋହେ ସବୁର।
ଏ ଦିନର କଥା ଶୁଣ
ପାଦରେ ଅଳତା ହେଲା ସପନ
ହେଲା ସପନ ଲୋ
ହାଇହିଲ ଟାଣେ ମନ।
ପୁନେଇଁ ପାଇଁ କି ଝିଅ
ନୁଆ ଶାଢୀ, ଜାମା କିଣେଇ ଦିଅ
କିଣେଇ ଦିଅ ଲୋ
ନାଚ, ଗୀତ ମଜା ନିଅ।
ପୁରୁଣା ପୁନେଇଁ ଗଲା
ନୂଆ ପୁନେଇଁ ତ ଏବେ ଆସିଲା
ଏବେ ଆସିଲା ଲୋ
ହୋଟେଲେ ଭିଡ ଜମିଲା।
ପୁରୁଣା ଝିଅ ଙ୍କ ଗାଥା
ବର ପାଇଁ ତାଙ୍କ ଅନେକ କଥା
ଅନେକ କଥା ଲୋ
ଦିଅଁ ଙ୍କୁ ଜଣାନ୍ତି ବ୍ୟଥା।
ସେ କାଳର ଝିଅ ଗଲେ
ନୂଆ ଝିଅ ସବୁ ଜନମ ନେଲେ
ଜନମ ନେଲେ ଲୋ
ସ୍କୁଟି ଗାଡି ଉଡାଇଲେ।
କୁଆଁର ବାନ୍ଧଇ ବେଣୀ
ବେଣୀ ସାଥେ ମନ ଆଣଇ ଟାଣି
ଆଣଇ ଟାଣି ଲୋ
ଦେଇଥାଏ ହୃଦ ହାଣି।
ଏ କାଳେ ସେ ଝିଅ କାଇଁ
ଲମ୍ବା ବେଣୀ ଖାଲି ସପନ ପାଇଁ
ସପନ ପାଇଁ ଲୋ
କଟା ଚୁଟି କାନ ଯାଇଁ।
ପୁରୁଣା କୁଆଁରୀ ନାଇଁ
କୁଆଁର ପୁନେଇଁ ପାଳିବା ପାଇଁ
ପାଳିବା ପାଇଁ ଲୋ
ବର ଖୋଜେ ନିଜ ପାଇଁ।
ଅଛି ଆମ ପରମ୍ପରା
କୁଆଁର ପୁନେଇଁ ପାଳିବା ପରା
ପାଳିବା ପରା ଲୋ
ଦେଖୁଛି ଦୁନିଆ ସାରା।
ସତମାର୍ଗ ପ୍ରଭୁ ଦିଅ
ବନ୍ଧା ରହିଥାଉ ସଂସ୍କୃତି ଖିଅ
ସଂସ୍କୃତି ଖିଅ ଲୋ
ସର୍ବେ ଏକକାର ହୁଅ।