STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଆସ ହେ ବୈଶାଖ ଆସ

ଆସ ହେ ବୈଶାଖ ଆସ

1 min
250

ହେ ବୈଶାଖ ତୁମେ ବିଷୁବ ରେଖାରୁ

ଅବତରି ଆସ ଧୀରେ,

ନବବର୍ଷର ଏ ଆନନ୍ଦ ମୁହୂର୍ତ୍ତେ

ଜଳନାହିଁ ଆଉ ଖରେ। 


ତୁମ ପାଇଁ ଦେଖ କେତେ ଆୟୋଜନ

ସଂକ୍ରାନ୍ତିର ଏ ବେଳାରେ,

ନହୁଅ ଉତ୍ତପ୍ତ ହୋଇ ଶାନ୍ତ ଚିତ୍ତ

ଆସ ମୃଦୁ ଉଷ୍ମତାରେ। 


ବର୍ଷର ପ୍ରଥମ ଶାସନ ମୁକୁଟ

ଧରିଅଛ ବୋଲି ଶିରେ,

ନକର ତୁମର ଅହଙ୍କାର ପୁର୍ତ୍ତି 

ନିରୀହ ପ୍ରଜାଙ୍କ ପରେ। 


ଅଜାଡ଼ି ଦିଅନା ତୁମ ତୃଷ୍ଣା ଯେତେ

ତୃଷିତ ଏ ଧରା ପରେ,

ନବ ପଲ୍ଲବିତ ପ୍ରକୃତି ନହେଉ

ଭୟଭୀତ ତୁମଠାରେ। 


ନ ଦେଖାଅ ତୁମ ଉଗ୍ର ରୂପ ଆହେ

ଋତୁଶ୍ରେଷ୍ଠ ବଇଶାଖ,

ଜଳ ବିନା ଏଠି ନ ଘଟୁ ଆତଙ୍କ

ସାଜନା କ୍ରୁର ଘାତକ। 


ଆସ ଉଷ୍ମତାର ଶୁଷ୍କ ସମୀରଣେ

ହରିନିଅ ଆଳସ୍ୟତା,

ତୁମ ଆଗମନେ ନୂତନ ଉମଙ୍ଗେ

ଜାଗି ଉଠୁ ଚଞ୍ଚଳତା। 


ତୁମ ଆମନ୍ତ୍ରଣେ ମେଘମାଳା ନଭେ

ରଚନ୍ତୁ ମହା ମେଳଣ,

ତୁମ ସର୍ଜନାରେ ପରିପୁଷ୍ଟ ହୋନ୍ତୁ

ଓଦା ଆଷାଢ଼ ଶ୍ରାବଣ। 


ନବ ଶତାବ୍ଦରେ ଉତ୍ତର ଗୋଲାର୍ଦ୍ଧେ

ଚଳନ୍ତୁ ହେ ସୂର୍ଯ୍ୟଦେବ,

ନାଶ ହେଉ ଯେତେ ରୋଗ ସୃଷ୍ଟିକାରୀ

ଜୀବାଣୁଙ୍କ ପ୍ରାଦୁର୍ଭାବ। 


ତୁମ ଆଲୋକରେ ପ୍ରକାଶିତ ହେଉ

ନବପ୍ରଭା ଜୀବନର,

ମେଷ ଚଳନର ଏ ମହା ପରବରେ

ଭାଗ୍ୟ ହେଉ ସୁଖକର। 


ହେ ବୈଶାଖ ଆସ ନ ହୋଇ ବିମୁଖ

ସଞ୍ଚରି ଯାଅ ହୃଦରେ,

ମନ ପ୍ରାଣେ ଜାଗୁ ନବ ଉନ୍ମାଦନା

ଭରି ଉଠୁ ଆମୋଦରେ। 


Rate this content
Log in

Similar oriya poem from Abstract