ଆସ ଗୋ , ରାତ୍ରୀ !
ଆସ ଗୋ , ରାତ୍ରୀ !
ଆସ ଗୋ , ରାତ୍ରୀ ଆଃ ! କୋଳରେ ତୁମରି
ଭରିଦିଅ ତୃପ୍ତି ଧାରା ,
କଳା ପାଟ ପିନ୍ଧି ଆସ ଅବତରି
ପ୍ରସାରୀ ଆକାଶୁ ଧରା ।
ଓଢ଼ଣୀର ତଳେ ତୁମେ ଗୋ ଶୀତଳେ
ଆଶ୍ଳେଷେ ଜଡ଼ାଇ ଧରି ,
ଆସ ଗୋ ରାତ୍ରୀ ଅବସାଦ ହରି
ସ୍ପର୍ଶେ ଶିହରଣ ଭରି ।
ରାତ୍ରୀ ନୁହେଁ ତୁମେ ରାଣୀ ଗୋ ଧରାରେ
ତାରା ସୁଶୋଭିତ ରଙ୍ଗେ ,
ଚିନ୍ତା ଓ ଚେତନା ହୁଏ ଆନମନା
ସ୍ନିଗ୍ଧ କୋମଳ ଅଙ୍ଗେ ।
ତମସାକୁ ଚିରି ଆକାଶେ ହସଇ
ରୂପେଲି କୁଆଁରୀ ଜହ୍ନ ,
ପ୍ରଶାନ୍ତିର ତୃପ୍ତି ହରିନିଏ କ୍ଳାନ୍ତି
ଶାନ୍ତ ହୁଏ ତନୁ ମନ ।
ନିଦ୍ରିତ ନୟନେ ହଜାଇ ସପନେ
ଫେରିଯିବ ଉଷା'ଲୋକେ,
ଆସ ଗୋ ରାତ୍ରୀ , ମୁଁ ସ୍ବାଗତ କରୁଛି
ତୁମକୁ ଏ ' ମର୍ତ୍ତଲୋକେ ।
