ଆସ ଗୋ ଫଗୁଣ
ଆସ ଗୋ ଫଗୁଣ
ଫଗୁଣ ଗୋ ! ତୁମ ସ୍ୱାଗତିକା ଶୁଣି
ତୁମ ଅଗଣାକୁ ଆସିଲି ଧାଇଁ !
ଆସିଲାବେଳେ ମୁଁ ନେଇ ଆସିଥିଲି
ବହଳେ ବହଳ ବଉଳ ଛାଇ !!
କୋଇଲି ଗାଇଲା ମିଳନର ଗୀତି
ଆମ୍ବତୋଟାସାରା ଗୀତମୁଖର !
ମଳୟ ନାମରେ ପରିଚିତ କରି
କରିନେଲ ମୋତେ ଅତି ନିଜର !!
ଆଙ୍କିଦେଇଗଲି ଚଇତାଳି ଚିତ୍ର
ବନ ଉପବନ ଉଠିଲା ହସି !
ମିଳନମୁଖର ପ୍ରୀତି ସଙ୍ଗୀତରେ
ଫୁଲେ ଫୁଲେ ବାସ ଗଲା ବରଷି !!
ମିଳନର ମଧୁ ଝରିବା ଆଗରୁ
କାହିଁକି ଗୋ ତୁମେ ଗଲ ମଉଳି !
ସତେ କି ଚନ୍ଦ୍ରମା ଝାଉଁଳି ପଡିଛି
ରଜନୀରାଣୀର ବକ୍ଷ ପଖାଳି !!
ଜାଣେନା କିପାଇଁ ନୀରବ ରହୁଛ
ବ୍ୟସ୍ତବହୁଳତା କିବା ଅନ୍ୟଥା !
ଅବା ମୋ' ବ୍ୟକ୍ତିତ୍ୱ ତୁମ ନଜରରେ
ଅତି ସାଧାରଣ ,ନାହିଁ ଯୋଗ୍ୟତା !!
ଭାବି ମୁଁ ପାରୁନି ତୁମକୁ ଆଜିଠୁ
ଭୁଲିଯିବି ଅବା ମନେ ରଖିବି !
ଭୁଲିବା ମୋ' ପାଇଁ ସମ୍ଭବ ହେବନି
ହୁଏତ ନିଜକୁ ଦୂରେଇଦେବି !!
ଦୂରେଇବା କ'ଣ ସହଜ ବ୍ୟାପାର
ନାହିଁ ମୋ' ଅନ୍ତରେ କପଟପଣ !
ବେଳେବେଳେ ଭାବେ ବିଚିତ୍ର ଏ ଭୂଇଁ !
ଲିଭିଲିଭି ଯାଏ ମଣିଷପଣ !!
ଶୀତ ସକାଳ ବି ଶିଶିରବିହୀନ
ଶାରଦୀୟ ଜ୍ୟୋତ୍ସ୍ନା ଶଙ୍କିଯାଇଛି !
ବୈଶାଖ ଝାଞ୍ଜିରେ ଝରୁଛି ବିଷାଦ
ବୈଶାଖୀ ପ୍ରକୋପ ଲିଭିଯାଇଛି !!
ଧାରାଶ୍ରାବଣର ସ୍ରୋତ ଆଉ ନାହିଁ
ଫଟା ଭୂଇଁ କରେ ଆର୍ତ୍ତ ଚିତ୍କାର !
ନିଷ୍ଠୁର ମଣିଷ ତୀବ୍ର ଅତ୍ୟାଚାରେ
ବସୁଧା ନୟନ ଆର୍ଦ୍ର ଜର୍ଜର !!
ସୂର୍ଯ୍ୟ ବି ଶିଥିଳ ସାଗର ଅଶ୍ରୁଳ
ନଦନଦୀ ସବୁ ନିନାଦଶୂନ୍ୟା !
ଚାରିଆଡେ ଖାଲି ତୀବ୍ର ହାହାକାର
ବସୁଧା ଦିଶୁଛି ଶତ ଶ୍ରୀହୀନା !!
କୁହ ଗୋ ଫଗୁଣ କା' ପାଖେ ବର୍ଣ୍ଣିବି
ମୋ' ଅନ୍ତର ବ୍ୟଥା ହେଲ ତ ପର !
ଫଗୁଣ ନ ଥିଲେ ମଳୟ କିପରି
ସୁବାସିତ ଲଗ୍ନେ ତୋଳିବ ଘର !!
ପ୍ରକୃତି କୋଳରୁ ଜନମି ମଣିଷ
ପାଲଟିଯାଇଛି ପ୍ରକୃତିହନ୍ତା !
ହାଣି ଚାଲିଅଛି ବସୁଧାର ବକ୍ଷ
ନୀରବେ ଦେଖନ୍ତି ବିଶ୍ୱନିୟନ୍ତା !!
ଅଭିମାନ ସଂଜ୍ଞା ବଦଳିଯାଇଛି
ଅହଙ୍କାର ରୂପେ ଉଙ୍କିମାରୁଛି !
ସ୍ୱାଭିମାନ ଶବ୍ଦ କାହିଁକି ଖୋଜୁଛ ?
ଅଭିଧାନ ବକ୍ଷୁ ହଜିଯାଇଛି !!
ଆସ ଗୋ ଫଗୁଣ ! ଚାଲିଯିବା ଆମେ
ମାନବବାଦର ସେଇ ଇଲାକା !
ଶ୍ରଦ୍ଧା ଆଉ ପ୍ରୀତି ବାଣ୍ଟି ଚାଲିଥିବା
ଜୀବନପଥରେ ନ ଥିବ ଧୋକା !!