STORYMIRROR

Narayan chandra Senapati

Inspirational Thriller

3  

Narayan chandra Senapati

Inspirational Thriller

ଆଞ୍ଜୁଳାଏ ରଙ୍ଗ

ଆଞ୍ଜୁଳାଏ ରଙ୍ଗ

1 min
11.9K

ଭୁଲି ମୁଁ ପାରେନା ହୋଲିର ରଙ୍ଗକୁ

   ଯେବେ ଲାଗେ ମୋର ଦେହେ

ଅବିର ରଙ୍ଗର ମଧୁମୟ ଛୁଆଁ

   ସଂସ୍କୃତିର କଥାକହେ।


ସେ ରଙ୍ଗର ପ୍ରେମ ଅବୁଝା ବୁଝେନା

    ବୁଝଇ ହୃଦୟୀ ହୃଦ

ପ୍ରତିଟି ରଙ୍ଗର ବାରତାକୁ ଖୋଜି

    ମନରେ ଆଣେ ଆନନ୍ଦ।


ହୋଲି ରଙ୍ଗନୁହଁ ରଙ୍ଗୀନ ହେବାକୁ

   ବୋଳି ନାଲି ନେଳି କାଳି

ଅବଶ୍ୟ ବୁଝାଏ ରଙ୍ଗର ମହତ୍ତ୍ଵ

    କିଏ କ'ଣ କେଉଁ ଭଳି।


ସାମଞ୍ଜସ୍ୟ କରେ ଜୀବନ ରଙ୍ଗକୁ

   ଏ ସଂସାର ରଙ୍ଗମଞ୍ଚେ

କି ରଙ୍ଗ କାହାର ସଂକେତ ଚିହ୍ନାଏ

   କେତେ ଦୂର କେ ପହଞ୍ଚେ।


ବିପଦ ରଙ୍ଗକୁ ଚିହ୍ନାଏ ନାଲିଟି

   କଳଙ୍କ ଚିହ୍ନାଏ କାଳି

ସବୁଜ ଶାନ୍ତିର,ଧଳା ସ୍ୱଚ୍ଛତାର

  ହଳଦୀ ପଥକୁ ଖୋଲି।


ଇନ୍ଦ୍ରଧନୁର ସପ୍ତରଙ୍ଗରୁ

  କିଏ କେଉଁ ରଙ୍ଗ ଆଣି

ନିଜ ରୁଚି ରଙ୍ଗେ ସେ ରଙ୍ଗକୁ ବୋଳି

 ବାହେ ଜୀବନ ତରଣୀ।


ଇନ୍ଦ୍ରଧନୁର ସେ ସପତ ରଙ୍ଗ 

  ମିଶି ହୋଇଥାଏ ଖରା

ନିଦାଘରେ ଖରା ଗଢ଼ଇ ପାଉଁଶ

  ପୋଛି ଆଶାର ପସରା।


ଅଭିନ୍ନ ଅଦ୍ଭୁତ ପ୍ରେମର ରଙ୍ଗଟି

 ଖେଳେ ଲୁଚକାଳି ଖେଳ

ଏଣ୍ଡୁଅ ପରି ସେ ରଙ୍ଗ ବଦଳାଇ

 ଆସେ ପ୍ରତାରଣା ବେଳ।


ଆଶା ଭରସାର ତାରକା ଏ ରଙ୍ଗ

  କୃତଘ୍ନତାର ପ୍ରଚ୍ଛାୟା

ସ୍ନେହ ଶରଧାର ରଙ୍ଗ ମହଲ ସେ

  ଖଳ କପଟର ମାୟା।


ଆଞ୍ଜୁଳାଏ ରଙ୍ଗ ଆଞ୍ଜୁଳେ ବିଶ୍ବାସ

  ମେଞ୍ଚା ମେଞ୍ଚା ଆଶ୍ୱାସନା

ସଂସାରକୁ ବୁଝି ପାଦ ଥାପିଦେଲେ

   ଦୀର୍ଘ ହେବ ଉଦ୍ଦୀପନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational