ଆନନ୍ଦର ସନ୍ଧାନେ
ଆନନ୍ଦର ସନ୍ଧାନେ
ତଳକୁ ଚାହିଁଲେ ଦିଶିବନି ତୁମ୍ଭେ
ଆକାଶର ଇନ୍ଦ୍ରଧନୁ
ସବୁ ସୌନ୍ଦର୍ଯ୍ୟର ଆନନ୍ଦ ଲଭିବ
ଆବିଳତା ଗଲେ ମନୁ||
ମନ ମଧ୍ୟେ ଯଦି ଜମା ହୋଇଥିବ
କର୍ଦ୍ଦମ ଆବିଳତାର
ସବୁଭାବନାରେ କର୍ଦ୍ଦମ ଲାଗିବ
ଦିଶିବନି ପରିସ୍କାର ||
ତଳକୁ ଚାହିଁଲେ ଭୂଇଁର ମଇଳା
ଦେଖିବ ନେତ୍ର ତୁମର
ଆବିଳତା ସବୁ ମନ ମଧ୍ୟେ ଧସି
ସୃଷ୍ଟି କରିବ ବିକାର||
ମୁଣ୍ଡ ଟେକି ବାରେ ଉପରକୁ ଦେଖ
ଆକାଶ କେଡେ ସୁନ୍ଦର
ନୀଳ ନୀଳିମାରେ ଇନ୍ଦ୍ରଧନୁ ଶୋଭା
ଦିଶେ କେଡେ ମନୋହର||
ସେହି ସାତରଙ୍ଗେ ମନକୁ ରଙ୍ଗା
ଜୀବନେ ରଙ୍ଗ ଭରିବ
ନିରାଶାର ଭାବ ମନୁ ହଟିଯିବ
ଆଶା କିରଣ ଦିଶିବ ||
ଖରାପ ଚିନ୍ତନ ମନରେ ନ ଆଣି
ଆଣ ହେ ଉଚ୍ଚ ଚିନ୍ତନ
ଉଚ୍ଚମନା ନର ସଦା ପାଇଥାଏ
ଅମୃତଧାରା ସନ୍ଧାନ||
ନୀଚ୍ଚମନା ପାଏ ଦୁଃଖ ସବୁବେଳେ
ସୁଖ କଥା ଭାବିମନେ
ଯେଉଁ ସୁଖ କେବେ ସୁଖ ଦେବାଲାଗି
ଆସେନାହିଁ ତା' ଜୀବନେ||
ହୁଅ ଆଶାବାଦୀ ହୁଅ ଉଚ୍ଚମନା
ହୁଅନାହିଁ ଆନମନା
ପର ଦୁଃଖ ଦେଖି ଲୋତକ ଝରାଅ
ଦିଅନା କେବେ ଯାତନା||
ଯେତେ ବଡ ଦୁଃଖ ଆସିଲେ ଜୀବନେ
ଯିବନାହିଁ କେବେ ଡରି
ପାଷାଣୁ କଠିନ ଛାତିକୁ କରିବ
ମନୋବଳ ଦୃଢକରି||
ସାଗରେ ଜୁଆର ଯେମିତି ଆସିଣ
ଯାଏ କିଛି କ୍ଷଣେ ଫେରି
ଦୁଖ ଅବା ସୁଖ ନୁହେଁ ଚିରସ୍ଥାୟୀ
ଆସେ ଯାଏ ସେହିପରି||
ସୁଖେ ଆତ୍ମହରା ହୁଅ ନାହିଁ ତେଣୁ
ଦୁଃଖେ ଭାଙ୍ଗିପଡନାହିଁ
ସ୍ଥିତପ୍ରଜ୍ଞ ଭାବେ ସତ୍ କର୍ମ କଲେ
ଆନନ୍ଦ ଲଭିବ ଭାଇ ||
