ଆମେ ସିଂହଭୂମିର ଓଡ଼ିଆଭାଷୀ
ଆମେ ସିଂହଭୂମିର ଓଡ଼ିଆଭାଷୀ
ନୋହୁଁ ରେ ଆମେ ଦିକୁ
ନୋହୁଁ ରେ ଆମେ ପ୍ରବାସୀ
ଜନମ ଆମର ଏଇ ଭୂଇଁରେ
ଆମେ ଏ ମାଟିର ମୂଳନିବାସୀ।
ସରଗଠୁଁ ବଡ କେଡେ ସୁନ୍ଦର
ଆମରି ଏଇ ପୁଣ୍ଯ ଜନ୍ମମାଟି
ତାହାରି ବକ୍ଷରେ ପାଦ ଥାପି
ଆମେ ଜୀବନ ଜୀଉଁଛୁ ନିତି।
ଯେମିତି ଆମରି ପୂର୍ବପୁରୁଷ
ଏଇ ମାଟିରେ ଜନମ ହୋଇ
କେଡେ ଆନନ୍ଦେ କାଟିଲେ କାଳ
ନିଜ ବୁଦ୍ଧି ବିବେକ ବଳ ଖଟାଇ।
ନିଜ ଜନ୍ମଭୂଇଁର ରଖିଲେ ଟେକ
ସିଂହ ଶାସନର କେତନ ଧରି
ନିଜ ଜାତିର ବଢାଇଲେ ଯଶ
ରଣାଙ୍ଗନରେ ବଇରୀଙ୍କୁ ପରାସ୍ତ କରି।
ଆଦିବାସୀ ମୂଳନିବାସୀ ନରଖି ଭେଦ
ଆମ ପୂର୍ବପୁରୁଷ ରହିଲେ ମିଳିମିଶି ଏକାଠି
ଶାନ୍ତି ମୈତ୍ରୀ ପ୍ରଗତିର ମନ୍ତ୍ର ଉଚ୍ଚାରି
ଏଠାରେ ସ୍ଥାପିଲେ ସିଂହ ଜାତିର ଭିତ୍ତି।
ଉତ୍କଳଦେଶର ଏହି ପ୍ରାଚୀନ ଭୂଇଁ
ସିଂହ ରାଜବଂଶ ଦ୍ବାରା ହୋଇ ଶାସିତ
ଧନସମ୍ପଦରେ ପରିପୂର୍ଣ୍ଣ ହୋଇକି
ସିଂହଭୂମି ନାମେ ହେଲା ପରିଚିତ।
ଜାତି ଜାତୀୟତାରେ ହୋଇ ଉଦ୍ବୁଦ୍ଧ
ଉତ୍କୃଷ୍ଟ ହୋଇଲା ଆମରି ଭାଷା ସଂସ୍କୃତି
ଆମରି ପୂର୍ବପୁରୁଷଙ୍କ ସାଧନା ବଳେ
ଏ ମାଟିର ଛଉ ସାରା ବିଶ୍ବରେ ଲଭିଲା ଖ୍ଯାତି।
ପିତୃପୁରୁଷଙ୍କ ସ୍ମୃତିକୁ କରି ଆମେ ରୋମନ୍ଥନ
ଏହି ଐହିତ୍ଯସମ୍ପନ୍ନ ଭୂଇଁକୁ ନିତି କରୁଛୁଁ ନମନ
ଉତ୍କଳ ଚେତନା ଏଠି ରଖିବୁ ବୋଲି ଅକ୍ଷୁର୍ଣ୍ଣ
ସପ୍ତମାତୃକାଙ୍କ ପୟର ତଳେ ଆମେ କରିଛୁଁ ପ୍ରଣ।
ଯେଉଁ ମାଟିର ସୁରକ୍ଷା ପାଇଁ ଆମ ପୂର୍ବପୁରୁଷ
ଶତୃଙ୍କ ସହିତ ଲଢି ହାରିଦେଲେ ଜୀବନ
ସେହି ମମତାମୟୀ ମା କୋଳରେ ଜନମ ଲଭି
ଆମେ କାହିଁକି ହେବୁରେ ଦିକୁ ସଙ୍ଗେ ସମାନ।
କାହିଁ କେଉଁ କାଳରୁ ଯେଉଁ ସିଂହଭୂମି
ଆମ ପୂର୍ବ ପିଢିଙ୍କର ଥିଲାରେ ବାସସ୍ଥାନ
ସେହି ସିଂହଭୂମିର ସିଂହଭୂମି ଓଡ଼ିଆଙ୍କୁ
ତୁମେ କିଆଁ ପ୍ରବାସୀ ବୋଲି କରୁଛ ଚିତ୍ରଣ।
ନା ଆମେ ଦିକୁ ନା ଆମେ ପ୍ରବାସୀ
ଆମେ ଏଇ ସିଂହଭୂଇଁର ଓଡ଼ିଆଭାଷୀ
ଯେତେ ଖିଆସୀ ପଛେ ଆମକୁ ପାରୁଛ କର
ଗରବେ କହିବୁ ଆମେ ଏ ମାଟିର ମୂଳନିବାସୀ ।
