ଆମେ ସବୁ ଗୋଟେ ଶ୍ରମିକ
ଆମେ ସବୁ ଗୋଟେ ଶ୍ରମିକ
ଏ ଦୁନିଆରେ ଯେତେ କାମ କ୍ରମିକ,
ଆମେ ସବୁ ତାର ଅଟୁ ଶ୍ରମିକ |
କିଏ କମ୍ପାନୀରେ, କେ କାରଖାନାରେ,
କିଏ ଗୋଦାମରେ, କେ ମାଲିକ ଘରେ |
କିଏ ପୁଣି ନିଜ କ୍ଷେତ ବଗିଚାରେ,
ଆଉ କେ ଶ୍ରମ କରେ ରୋଷେଇଶାଳେ |
କିଏ ବିଦ୍ୟାଳୟେ ଶିକ୍ଷକ ରୂପରେ,
କିଏ ଚିକିତ୍ସାଳୟେ ଚିକିତ୍ସା କରେ |
କିଏ ମହାରଣା, କିଏ ସେ ଦରଜୀ,
କିଏ ମାଛଧରେ, କେ ଇଟା ବୁରୁଜି |
କିଏ ଗାଡିଚଳକ, କିଏ ଯେ ସୈନିକ,
କିଏ ଅଫିସରେ କାମ କରେ ଦୈନିକ |
କିଏ ଶସ୍ୟ ବୁଣେ, କିଏ ମାଟି ହାଣେ,
ଯିଏ କରୁ ଯାହା, ସବୁ ଶ୍ରମ ପଣେ |
କେ କାମ କରଇ ଖଣି ଖୋଦନାରେ,
ଆଉପୁଣି କିଏ ମନ୍ତ୍ରୀ ମଣ୍ଡଳରେ |
ନୁହେଁ କେହି ଏଠି ବଡ଼ ଆଉ ସାନ,
ସମସ୍ତେ ଶ୍ରମିକ ଯେଣୁ କରେ ଶ୍ରମ |
ଶ୍ରମ କାରବାରେ କର ନାହିଁ ଘୃଣା,
ସବୁ କର୍ମେ ମନ କର ନାହିଁ ଉଣା |
ପିମ୍ପୁଡି ହେଲେବି କରିଥାଏ ଶ୍ରମ,
ଯେତେ ଜୀବ ସବୁ କରିଥାନ୍ତି କର୍ମ |
ଶ୍ରମ କରିବାକୁ ନାହିଁରେ ଶରମ,
କର୍ମ କରିବାକୁ ପାଇଛୁ ଜୀବନ |
ଶ୍ରମିକ ବୋଲି ତ ସବୁ କାମ ହୁଏ,
ଧନୀକ ହୋଇଲେ କାମକରିବ କିଏ ।
ଶ୍ରମିକ ବିନା ଵି ନ ଚଳିବେ ମନ୍ତ୍ରୀ,
ଶ୍ରମିକ ଵି ଅଟନ୍ତି ଆମ ଯନ୍ତ୍ରୀ |
ଶ୍ରମିକଙ୍କୁ ଜମା କରନାହିଁ ଘୃଣା,
ଶ୍ରମିକ ବୋଲି କରନି ମନ ଉଣା |
ଧନ୍ୟ ହେ ଶ୍ରମିକ ଧନ୍ୟ ତୁମ କିର୍ତ୍ତୀ,
ତୁମ ଶ୍ରମ ଯୋଗୁଁ ଗର୍ବିତ ଏ ଜାତି |
ଶ୍ରମ କରୁଥାଅ ହୋଇ ଶକ୍ତିଶାଳୀ,
ଶ୍ରମର ମୁଲ କେ ଯିବେନି ଭୁଲି |
ଦେଶବାସୀଙ୍କ ଘେନି ଶୁଭ କାମନା,
ହେ ଶ୍ରମିକ ଭାଇ ହୁଅ ଶକ୍ତିମନା |
