ଆମ ସ୍ୱାଧୀନତା
ଆମ ସ୍ୱାଧୀନତା
ଆଜି ଅଛି ମୁହିଁ ନଥିବି କାଲିକି
ଥିବ ମୋ ଭାରତ ମାତା
କରୁଛି ବନ୍ଦନା ଚରଣେ ତାହାର
ଭକ୍ତିରେ ନୁଆଇଁ ମଥା l
ଜନ୍ମଦାତ୍ରୀସମ ତା କୋଳେ ଶରୀର
ଲଭିଛି ଜନମ ମୋର
ଭୁଲି ମୁଁ ପାରୁନି ପାରିବିନି ଭୁଲି
କଟିଗଲେ ମଧ୍ୟ ଶିର l
ଅଗଷ୍ଟ ପନ୍ଦର ଆସିଯାଏ ଯେବେ
ଗୋଡ଼ ମୋ ଲାଗେନି ତଳେ
ଖୁସି ମନାଏ ମୁଁ ଉଡାଇ ତ୍ରିରଙ୍ଗା
ସାଙ୍ଗ ସାଥୀଙ୍କର ମେଳେ l
ଥିଲା ପରାଧୀନ ଜନ୍ମଭୂମି ମୋର
ବ୍ରିଟିଶ ଶାସନାଧୀନ
ମୁକ୍ତି ସେ ଲଭିଲା ବିଦେଶୀ କବଳୁ
ଅଗଷ୍ଟ ପନ୍ଦର ଦିନ l
ଯେଉଁ ଦେଶପ୍ରେମୀ ସହିଦ ସଂଗ୍ରାମୀ
ଦେଇଗଲେ ଆତ୍ମବଳି
ତାଙ୍କ ଶ୍ରୀଚରଣେ ହୋଇ ନତ ମସ୍ତ
ଜଣାଉଛି ଶ୍ରଦ୍ଧାଞ୍ଜଳି l
ଝାନସୀର ରାଣୀ, ରାଣୀ ଲକ୍ଷ୍ମୀବାଇ
ଥିଲେ ବୀରାଙ୍ଗନା ନାରୀ
ଥିଲେ ସରୋଜିନୀ ନାଇଡ଼ୁ ଏ ଦେଶେ
କୀର୍ତ୍ତି ତାଙ୍କ ଅସୁମାରି l
ବଚେଶ୍ୱରୀ ପାଲ ଥିଲେ ସାହସିନୀ
ନାରୀମଧ୍ୟେ ଅଗ୍ରଗଣ୍ୟା
ଆରୋହଣ କରି ପର୍ବତ ଶିଖର
ହେଲେ ସେ ସ୍ୱନାମ ଧନ୍ୟା l
ସେହି ମାତୃଭୂମି କୋଳରେ ଜନମି
ନାରୀ ଯଦି ଅଗ୍ରଗଣ୍ୟା
ରା
ତ୍ରେ ଏକୁଟିଆ ଗଲେ ବାହାରକୁ
ହୁଏ କାହିଁକି ଛାନିଆ ?
ଉଙ୍କିମାରେ ପ୍ରଶ୍ନ କେତେ ଯେ କେଜାଣି
ମନ ହୁଏ ଭାରାକ୍ରାନ୍ତ
ସ୍ୱାଧୀନତା ତେବେ ହଜିଲା କେଉଁଠି
ଏ ପ୍ରଶ୍ନ ଅସମାହିତ l
ଏବେ ବି ରହିଛି ସୁଦୂର ଇଲାକା
ଶିକ୍ଷା ସ୍ୱାସ୍ଥ୍ୟ ଅବ୍ୟବସ୍ଥା
କନ୍ୟା ଭ୍ରୂଣହତ୍ୟା ହୁଏ ଗୋପନରେ
ଶୁଣି ଘୁରିଯାଏ ମଥା l
ଛାଡ଼ି ଭିଟାମାଟି ବାହାରକୁ ଯାଇ
ଖଟନ୍ତି ଦାଦନ କେତେ
ବୃଦ୍ଧ ପିତାମାତା ଦୂରେ ରହି ଘରେ
ନିର୍ଯ୍ୟାତିତ ନାନାମତେ l
ରାଜ୍ୟ ରାଜ୍ୟ ମଧ୍ୟେ ହୁଏ ଦୃଶ୍ୟମାନ
ଉନ୍ନତିରେ ବିଷମତା
ଗୋଟିଏ ମାଆର ହୋଇ ବି ସନ୍ତାନ
ଭୋଗିଥାନ୍ତି ଦାରିଦ୍ର୍ୟତା l
ପଡୋଶୀ ଅଟନ୍ତି ଶତୃ ଆମର
ତାଙ୍କୁ ହେବା ସାବଧାନ
ଦେଶେ ଅସ୍ଥିରତା ଆତଙ୍କବାଦକୁ
ଦେଇଥାନ୍ତି ପ୍ରୋତ୍ସାହନ l
ଆଜି ଏ ପବିତ୍ର ଦିବସରେ ଚାଲ
ସର୍ବେ ହୋଇ ଏକ ମନ
ଆମ ଭିତ୍ତିଭୂମି ସଜାଡ଼ି ଦେଶରେ
ପ୍ରଗତିରେ ଦେବା ଧ୍ୟାନ l
ଆତ୍ମନିର୍ଭର ଭାରତ ଗଠନେ
ଆଜି ହିଁ ସଂକଳ୍ପ ନେବା
ଭାରତମାତାର ଟେକ ରଖି ବିଶ୍ୱେ
ଉତ୍କର୍ଷତା ଭରିଦେବା l