ଆମ ସ୍ୱାଭିମାନ
ଆମ ସ୍ୱାଭିମାନ
ଜାଗି ଉଠ ସର୍ବେ ହେ ,ଓଡିଶାବାସୀ
ଅତୀତ ଗୌରବ ହେଜି
ଜାତି ନନ୍ଦିଘୋଷ ଚକକୁ ଗଡାଅ
ଆଳସ୍ୟ ପଥକୁ ତେଜି ॥
ମାଆ ,ମାଟି ,ମାତୃଭାଷାର ମମତା
ସବୁଠାରୁ ଗରୀୟସୀ
ସେ ମମତା ବହ୍ନି କରି ପ୍ରଜ୍ଵଳିତ
ହଟାଇବା ଜାତି ମସି ॥
ମାଆର ମମତା ମାଟିର ବାସନା
ମାତୃ ଭାଷାର କଥନ
ସବୁଠାରୁ ପ୍ରିୟ ହରିନିଏ ମନ
ଅମୃତଠୁ ମିଠା ଜାଣ ॥
ଶାସ୍ତ୍ରୀୟ ମାନ୍ୟତା ଲଭିଛି ହିଁ ଭାଷା
ଐତିହ୍ୟ ଗୌରବ କଥା
ପ୍ରତି କ୍ଷେତ୍ରେ ସିନା ହେଲେ ବ୍ୟବହୃତ
ବୃଦ୍ଧିହେବ ଉତ୍କର୍ଷତା ॥
ରୂପ ଶ୍ରୀ ତରୁଣୀ ହୋଇଣ ଘରଣୀ
ନହୋଇ ପାରିଲେ ମାତା
ମିଳେ କି ଆନନ୍ଦ ନଥିଲେ ନାରୀତ୍ଵେ
ବାତ୍ସଲ୍ୟ ର ମାଦକତା ॥
ବୀର ପ୍ରସବିନୀ ସୁଜଳା ସୁଫଳା
ପ୍ରକୃତି ସମ୍ପଦେ ପୂର୍ଣ୍ଣ
ଖଣି ଖାଦାନରେ ପୂର୍ଣ୍ଣଗଭା ଯିଏ
ତା ସନ୍ତାନ ହୀନିମାନ ॥
ଉପଯୁକ୍ତ ପ୍ରାପ୍ୟ ପାଉନି ଓଡିଆ
କେଂଦ୍ରେ ସଦା ଉପେକ୍ଷିତ
ତେଣୁ ହଟୁନାହିଁ ରାଜ୍ୟରୁ ଦାରିଦ୍ର୍ୟ
ବୋଲି ରାଜନୀତି ମତ ॥
ଓଡ଼ିଶା ଛାଡିଲେ ଓଡିଆ ତା ଭାଷା
ନଧରେ ଆଉ ପାଟିରେ
ରୋଗ ଉପସମେ ରୋଗୀଟି ଯେସନ
ରହେନାହିଁ ଚିକିତ୍ସାରେ ॥
ଭାଷା ପ୍ରୀତି ଆଉ ଭାଷା ସ୍ୱାଭିମାନ
ଜାତିର ହିଁ ଶ୍ରେଷ୍ଠ ଗର୍ବ
ଜାତି ପରିଚୟ ମିଳେ ହିଁ ଭାଷାରୁ
ଭାଷାର ଯେସନେ ଭାବ ॥
ଲେଖିଲେ ପଢିଲେ କହିଲେ ଓଡ଼ିଆ
ରହିବନି ଭାଷା ତୃଟି
ସରକାରୀ କ୍ଷେତ୍ରେ ହେଲେ ବ୍ୟବହୃତ
ମହତ୍ତ୍ୱ ଉଠିବ ଫୁଟି ॥
ଓଡ଼ିଆ ସଂସ୍କୃତି ଓଡ଼ିଆ ଗୌରବ
ଓଡ଼ିଆର ସ୍ୱାଭିମାନ
ତାହାରି ଉତ୍କର୍ଷେ ଦେଇ ମନ ପ୍ରାଣ
ବଢାଇବା ଜାତି ମାନ ॥
( ସଦାନନ୍ଦ ପ୍ରତିହାରୀ )
୩୧-୦୮-୨୦୧୮
