STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ଆମ ପିତା ମାତା ଚଳନ୍ତି ଦେବତା

ଆମ ପିତା ମାତା ଚଳନ୍ତି ଦେବତା

2 mins
392

ମଣିଷର ବୀଜ ବପନ ପାଇଁ କି

ସ୍ରଷ୍ଟା ଖୋଜନ୍ତି ସୁ-ପାତ୍ର

ସୁ-ପାତ୍ର ମଣି କି ପିତା ମାତା କୋଳେ

ଅର୍ପନ୍ତି ସନ୍ତାନ ସୂତ୍ର ।


ପିତା ମ।ତା ଯୋଗୁ ମିଳଇ ଆମକୁ

ଦୁର୍ଲଭ ମଣିଷ ଜନ୍ମ

ମାତା ସହଇ ଯେ ଗରଭ ବେଦନା

ପିତା ସପନେ ମଗନ ।


ପଞ୍ଚତତ୍ତ୍ଵରେ ଯେ ଏ ଶରୀର ଗଢା

ବାପା ମା ମହାନ ତତ୍ତ୍ଵ

'ବା' ବାୟୁ ତତ୍ତ୍ଵ 'ପା' ପାଣି ତତ୍ତ୍ଵ

ତାକୁ ନେଇ ଜୀବ ତତ୍ତ୍ଵ ।


ପବନ ଭଳି ଯେ ପିତାଙ୍କ ର ସ୍ଥିତି

ଜୀବନର ମୁଖ୍ୟ ଦଣ୍ଡ

ପାଣି ତ ଜୀବନ ବଞ୍ଚି ରହିବାର

ଅଟଇ ଯେ ମାନଦଣ୍ଡ ।


'ମା' ମାଟି ତତ୍ତ୍ଵ 'ଆ' ଯେ ଆକାଶ

ମାଆ ଦୁଇ ତତ୍ତ୍ଵେ ଗଢ଼ା

ମାଟି ପରି ମାତା ଅଟେ ସର୍ବସଂହା

ଆକାଶ ସମ ନିଗୁଢ଼ା ।


ପିତା ମାତା ଆମ ଚିରନ୍ତନ ସ୍ରଷ୍ଟା

ଆମ ଆନନ୍ଦରେ ମଗ୍ନ

ନିଜ କଥା କେବେ ଭାବି ତ ନ ଥାନ୍ତି

ସନ୍ତାନ ସୁଖେ ନିମଗ୍ନ ।


ମାତା ସ୍ନେହମୟୀ ଅଭୟ ଦାୟିନୀ

ପ୍ରେମ ସ୍ରୋତସ୍ୱିନୀ ଧାରା

ସେ ଧାରାରେ ଏଇ ଜୀବନ ଯେ ଧୌତ

ଚିର ଶାନ୍ତିର ପସରା ।


ପିତା ପରା ଆମ କର୍ମଯୋଗୀଟିଏ

ନିଷ୍କାମ କର୍ମରେ ରତ

ମଣିଷ ଜୀବନ ସାର୍ଥକ ନିମନ୍ତେ

ଦେଉଥାନ୍ତି ଗୁରୁମନ୍ତ୍ର ।


ସନ୍ତାନ ସ୍ଵପ୍ନକୁ ସତ କରିବାକୁ

ପିତା ହୁଏ ଗୃହତ୍ୟାଗୀ

ସବୁ ଝଡ଼ଝଞ୍ଜା ପିଠିରେ ପକାଇ

ଆମ କଥା ଯେ ଭାବଇ ।


ପିତା ମାତା ଆମ ଏମିତି ଦେବତା

ମୁହଁ ଦେଖି ବୁଝି ଯାନ୍ତି

ମାଗିବା ଆଗରୁ ମନ ଜାଣି ସିଏ

ସବୁ କିଛି ଦେଇଥାନ୍ତି ।


ଆମ ପିତା ମାତା ଏମିତି ଦେବତା

ପୂଜା ବିଧି ଚାହଁନ୍ତି ନି

ସବୁ ଧର୍ମ କର୍ମ ସନ୍ତାନ ପାଇଁ କି

ଉତ୍ସର୍ଗ ଯେ କରିଥାନ୍ତି ।


ଦୁଃଖରେ ଅଧିର ହେଲେ ମନ କେବେ

ମାତା ସାନ୍ତ୍ଵନା ଦିଅନ୍ତି

ପିତା ଆପ୍ତ ବାଣୀ ଶୁଣାଇ ମନରେ

ସାହସ ଯେ ଭରୁ ଥାନ୍ତି ।


ତାଙ୍କ ସପନରେ ସନ୍ତାନର ସୁଖ

ନିଜ ପାଇଁ ଭାବନ୍ତି ନି

ଜୀବନ ଯଜ୍ଞରେ ସନ୍ତାନ ଖୁସୀରେ

ଖୁସୀ ସଦା ହେଉ ଥାନ୍ତି ।


ପଡିଗଲେ ମାତା ପଣତ କାନିରେ

ଦେହ ମୁହଁ ଝାଡି ଦିଏ

ପିଠି ଥାପୁଡେଇ ସାହସ ଦିଅନ୍ତି

ଆମ ପିତା ପରା ସିଏ ।


ଆମ ପିତା ମାତା ଚଳନ୍ତି ଦେବତା

ପ୍ରଭୁଙ୍କର ବରଦାନ

ଯାହାଙ୍କ ପାଇଁ କି ଧରାରେ ଜନମ

ମିଳେ ଦୁର୍ଲଭ ଜୀବନ ।


ଆମ ପିତା ମାତା ଚଳନ୍ତି ଠାକୁର

ଯେଉଁ ଘରେ ପୂଜା ପା'ନ୍ତି

ସେ ଘର ଅଟଇ ସୁନ୍ଦର ମନ୍ଦିର

ଦେବତା ବି ତୁଷ୍ଟ ହୋନ୍ତି ।


ଜୀବନ ଯୁଦ୍ଧରେ ଢ଼ାଲ ହୋଇ ଯିଏ

ସଦା ପାଖେ ରହି ଥାନ୍ତି

ସନ୍ତାନ ର ମୁଖେ ହସ ଦେଖିବାକୁ

ସଦା ପ୍ରୟାସ କରନ୍ତି ।


ପିତାମାତା ପରା ଚଳନ୍ତି ଠାକୁର

ଯେଉଁଠି ଖୁସୀରେ ଥା'ନ୍ତି

ସେ ଘର ଅଟଇ ବୈକୁଣ୍ଠ ସମାନ

ସ୍ନେହ ସୁଧା ଝରୁ ଥାଇ ।


ପିତା ମାତା ଆମ ଚଳନ୍ତି ଠାକୁର

ଆମ ରାମାୟଣ କୁହେ

ପିତୃସତ୍ୟ ପାଳି ରାମ ଯାନ୍ତି ବନ

ଏକଥା କିଏ ନ ଜାଣେ ।


ପିତାମାତା ଭାର ଶ୍ରବଣ କୁମାର 

ଆନନ୍ଦେ ବହନ କରେ

ପିତା ମାତା ଆମ ଚଳନ୍ତି ଠାକୁର

ଏକଥା ଶାସ୍ତ୍ର ବି କୁହେ ।


ଏହି ଆପ୍ତ ବାକ୍ୟେ ବ୍ୟାପ୍ତ ହୋଇଅଛି

ଜୀବନର ମହା ମନ୍ତ୍ର

ଏହି ମହାମନ୍ତ୍ର ଗୁଞ୍ଜରୀ ଉଠୁ ହେ

ଜୀବନ ହେଉ ସ୍ୱତନ୍ତ୍ର ।


ପିତାମାତା ଆମ ଚଳନ୍ତି ଠାକୁର

ତ୍ୟାଗେ ମହିମା ମଣ୍ଡିତ

ତାଙ୍କ ପଦେ କରେ ଶତ ପ୍ରଣିପାତ

ତାଙ୍କୁ ପୂଜୁ ଏ ଜଗତ ।



Rate this content
Log in

Similar oriya poem from Inspirational