ଆମ ପିତା ମାତା ଚଳନ୍ତି ଦେବତା
ଆମ ପିତା ମାତା ଚଳନ୍ତି ଦେବତା
ମଣିଷର ବୀଜ ବପନ ପାଇଁ କି
ସ୍ରଷ୍ଟା ଖୋଜନ୍ତି ସୁ-ପାତ୍ର
ସୁ-ପାତ୍ର ମଣି କି ପିତା ମାତା କୋଳେ
ଅର୍ପନ୍ତି ସନ୍ତାନ ସୂତ୍ର ।
ପିତା ମ।ତା ଯୋଗୁ ମିଳଇ ଆମକୁ
ଦୁର୍ଲଭ ମଣିଷ ଜନ୍ମ
ମାତା ସହଇ ଯେ ଗରଭ ବେଦନା
ପିତା ସପନେ ମଗନ ।
ପଞ୍ଚତତ୍ତ୍ଵରେ ଯେ ଏ ଶରୀର ଗଢା
ବାପା ମା ମହାନ ତତ୍ତ୍ଵ
'ବା' ବାୟୁ ତତ୍ତ୍ଵ 'ପା' ପାଣି ତତ୍ତ୍ଵ
ତାକୁ ନେଇ ଜୀବ ତତ୍ତ୍ଵ ।
ପବନ ଭଳି ଯେ ପିତାଙ୍କ ର ସ୍ଥିତି
ଜୀବନର ମୁଖ୍ୟ ଦଣ୍ଡ
ପାଣି ତ ଜୀବନ ବଞ୍ଚି ରହିବାର
ଅଟଇ ଯେ ମାନଦଣ୍ଡ ।
'ମା' ମାଟି ତତ୍ତ୍ଵ 'ଆ' ଯେ ଆକାଶ
ମାଆ ଦୁଇ ତତ୍ତ୍ଵେ ଗଢ଼ା
ମାଟି ପରି ମାତା ଅଟେ ସର୍ବସଂହା
ଆକାଶ ସମ ନିଗୁଢ଼ା ।
ପିତା ମାତା ଆମ ଚିରନ୍ତନ ସ୍ରଷ୍ଟା
ଆମ ଆନନ୍ଦରେ ମଗ୍ନ
ନିଜ କଥା କେବେ ଭାବି ତ ନ ଥାନ୍ତି
ସନ୍ତାନ ସୁଖେ ନିମଗ୍ନ ।
ମାତା ସ୍ନେହମୟୀ ଅଭୟ ଦାୟିନୀ
ପ୍ରେମ ସ୍ରୋତସ୍ୱିନୀ ଧାରା
ସେ ଧାରାରେ ଏଇ ଜୀବନ ଯେ ଧୌତ
ଚିର ଶାନ୍ତିର ପସରା ।
ପିତା ପରା ଆମ କର୍ମଯୋଗୀଟିଏ
ନିଷ୍କାମ କର୍ମରେ ରତ
ମଣିଷ ଜୀବନ ସାର୍ଥକ ନିମନ୍ତେ
ଦେଉଥାନ୍ତି ଗୁରୁମନ୍ତ୍ର ।
ସନ୍ତାନ ସ୍ଵପ୍ନକୁ ସତ କରିବାକୁ
ପିତା ହୁଏ ଗୃହତ୍ୟାଗୀ
ସବୁ ଝଡ଼ଝଞ୍ଜା ପିଠିରେ ପକାଇ
ଆମ କଥା ଯେ ଭାବଇ ।
ପିତା ମାତା ଆମ ଏମିତି ଦେବତା
ମୁହଁ ଦେଖି ବୁଝି ଯାନ୍ତି
ମାଗିବା ଆଗରୁ ମନ ଜାଣି ସିଏ
ସବୁ କିଛି ଦେଇଥାନ୍ତି ।
ଆମ ପିତା ମାତା ଏମିତି ଦେବତା
ପୂଜା ବିଧି ଚାହଁନ୍ତି ନି
ସବୁ ଧର୍ମ କର୍ମ ସନ୍ତାନ ପାଇଁ କି
ଉତ୍ସର୍ଗ ଯେ କରିଥାନ୍ତି ।
ଦୁଃଖରେ ଅଧିର ହେଲେ ମନ କେବେ
ମାତା ସାନ୍ତ୍ଵନା ଦିଅନ୍ତି
ପିତା ଆପ୍ତ ବାଣୀ ଶୁଣାଇ ମନରେ
ସାହସ ଯେ ଭରୁ ଥାନ୍ତି ।
ତାଙ୍କ ସପନରେ ସନ୍ତାନର ସୁଖ
ନିଜ ପାଇଁ ଭାବନ୍ତି ନି
ଜୀବନ ଯଜ୍ଞରେ ସନ୍ତାନ ଖୁସୀରେ
ଖୁସୀ ସଦା ହେଉ ଥାନ୍ତି ।
ପଡିଗଲେ ମାତା ପଣତ କାନିରେ
ଦେହ ମୁହଁ ଝାଡି ଦିଏ
ପିଠି ଥାପୁଡେଇ ସାହସ ଦିଅନ୍ତି
ଆମ ପିତା ପରା ସିଏ ।
ଆମ ପିତା ମାତା ଚଳନ୍ତି ଦେବତା
ପ୍ରଭୁଙ୍କର ବରଦାନ
ଯାହାଙ୍କ ପାଇଁ କି ଧରାରେ ଜନମ
ମିଳେ ଦୁର୍ଲଭ ଜୀବନ ।
ଆମ ପିତା ମାତା ଚଳନ୍ତି ଠାକୁର
ଯେଉଁ ଘରେ ପୂଜା ପା'ନ୍ତି
ସେ ଘର ଅଟଇ ସୁନ୍ଦର ମନ୍ଦିର
ଦେବତା ବି ତୁଷ୍ଟ ହୋନ୍ତି ।
ଜୀବନ ଯୁଦ୍ଧରେ ଢ଼ାଲ ହୋଇ ଯିଏ
ସଦା ପାଖେ ରହି ଥାନ୍ତି
ସନ୍ତାନ ର ମୁଖେ ହସ ଦେଖିବାକୁ
ସଦା ପ୍ରୟାସ କରନ୍ତି ।
ପିତାମାତା ପରା ଚଳନ୍ତି ଠାକୁର
ଯେଉଁଠି ଖୁସୀରେ ଥା'ନ୍ତି
ସେ ଘର ଅଟଇ ବୈକୁଣ୍ଠ ସମାନ
ସ୍ନେହ ସୁଧା ଝରୁ ଥାଇ ।
ପିତା ମାତା ଆମ ଚଳନ୍ତି ଠାକୁର
ଆମ ରାମାୟଣ କୁହେ
ପିତୃସତ୍ୟ ପାଳି ରାମ ଯାନ୍ତି ବନ
ଏକଥା କିଏ ନ ଜାଣେ ।
ପିତାମାତା ଭାର ଶ୍ରବଣ କୁମାର
ଆନନ୍ଦେ ବହନ କରେ
ପିତା ମାତା ଆମ ଚଳନ୍ତି ଠାକୁର
ଏକଥା ଶାସ୍ତ୍ର ବି କୁହେ ।
ଏହି ଆପ୍ତ ବାକ୍ୟେ ବ୍ୟାପ୍ତ ହୋଇଅଛି
ଜୀବନର ମହା ମନ୍ତ୍ର
ଏହି ମହାମନ୍ତ୍ର ଗୁଞ୍ଜରୀ ଉଠୁ ହେ
ଜୀବନ ହେଉ ସ୍ୱତନ୍ତ୍ର ।
ପିତାମାତା ଆମ ଚଳନ୍ତି ଠାକୁର
ତ୍ୟାଗେ ମହିମା ମଣ୍ଡିତ
ତାଙ୍କ ପଦେ କରେ ଶତ ପ୍ରଣିପାତ
ତାଙ୍କୁ ପୂଜୁ ଏ ଜଗତ ।
