ଆମ ଗାଁ କୂଅ
ଆମ ଗାଁ କୂଅ
ସଭିଙ୍କ ମୁହଁରେ ଖୁସିର ଝଲକ
ଆନନ୍ଦର ଛୁଟେ ସୁଅ,
ଯେବେ ଖୋଳା ହେଲା ଗାଁ ଶେଷ ମୁଣ୍ଡେ
ମାଟି ନନ୍ଦ ବସା କୂଅ ।
ମୁହଁ ଅନ୍ଧାରରୁ ଭୁଆସୁଣୀ ମାନେ
ସ୍ନାହାନ କରନ୍ତି ଆସି,
ହଳଦୀ କାଠୁଆ ପିତା ତରଡିରେ
ହାତ ପାଦ ଘସି ଘସି ।
ଧାଡି ବାନ୍ଧି ଛିଡା ଖୁଡି ବଡ଼ବୋଉ
ମାଠିଆ କଳସୀ ଧରି,
ଗାଁ ଗୋଟାକର ଖବର ସେଇଠି
ଘଣ୍ଟା କରେ ଯାଏ ସରି ।
କେତେ ସୁଖ ଦୁଃଖ ପରସା ପରସି
କୂପ ଏକା ମୂକ ଶାଖୀ,
ରାତି ନ ପାହୁଣୁ ସଭିଏଁ ହୁଅନ୍ତି
ତା ପାର୍ଶ୍ଵରେ ଦେଖା ଦେଖି ।
କାହିଁ କେତେ ଦୂରେ ଚାଲି ଯାଉଥିଲେ
ମାଠିଆ ଗରାକୁ ଧରି,
ଫେରିଲା ବେଳକୁ ତଣ୍ଟି ଶୁଖୁଥିଲା
ଦେହ ଉଠୁଥିଲା ଥରି ।
କେତେ ବର୍ଷା ଖରା ଶୀତ ଓ କାକର
ନମାନି ଯାଆନ୍ତି ଚାଲି ,
ନହେଲେ ଗାଡ଼ିଆ ପୋଖରୀ ପାଣିରେ
ଜଳୁଥିଲା
ପରା ଚୁଲି ।
ଯେବେ ଖୋଳା ହେଲା ଆମରି ଗାଁ କୂଅ
ଆମଦୁଃଖ ହେଲା ଦୂର,
ଫୁଟୁ କା ହେବନି ପାଦତଳେ ଆଉ
ହେବ ନାହିଁ ଆଉ ଜ୍ଵର ।
ବର୍ଷ ଠାରୁ ମାସ ତା ପାଖରେ କାଟେ
ପିଲାଠାରୁ ବୁଢା ଯେତେ,
ଜାତି ଧର୍ମ ପୁଣି ସେଇଠି ସରଇ
କେତେ ମଜା ଲାଗେ ସତେ ।
କେବେ ମିଛ ସତ କଥା କଟାକଟି
କେବେ ପୁଣି ହୁଏ ମିଟି,
ଗ୍ରୀଷ୍ମ ଅବକାଶେ କୂପ ଚଟାଣରେ
ଜମିଥାଏ ପରା ଖଟି ।
ଆଜି ସିନା ସିଏ ଗାଁ ଜଗି ଥାଏ
ନୀରବ ଦ୍ରଷ୍ଟା ଟେ ପରି,
ଗହଳି ଲାଗୁନି ଆଗପରି ସେଠି
ସେ ସବୁକୁ ହୁଏ ଝୁରି ।