STORYMIRROR

Dr. Pratap Kumar Swain

Classics

4  

Dr. Pratap Kumar Swain

Classics

ଆମ ଗାଁ ଖରାଦିନ

ଆମ ଗାଁ ଖରାଦିନ

2 mins
242


ଅତୀତର ସ୍ମୃତି ଯେବେ କରେ ରୋମନ୍ଥନ

ମନେ ପଡେ ମୋର ସେହି ପିଲାବେଳ ଦିନ।


ବିଦ୍ୟାଳୟ ଛୁଟି ହୁଏ ଗ୍ରୀଷ୍ମ ର ଆହ୍ବାନେ

ଶିକ୍ଷକ ଠୁ ପିଲା ସବୁ ଖୁସିଥାନ୍ତି ମନେ।


ଖୁସି ନଥାନ୍ତି ଆମର ଗଣିତ ଶିକ୍ଷକ

ଛୁଟିରେ ପଢାନ୍ତି କିଛି ବିଜ୍ଞାନ ଗଣିତ।


ଇଚ୍ଛା ନଥିଲେ ବି ଯାଉ ପଢିବାକୁ ପାଠ

ବେତଟିକୁ ଡର ଲାଗେ କରୁ ଟିକେ କଷ୍ଟ।


ଗ୍ରୀଷ୍ମ ତାଙ୍କୁ କେବେ ପୁଣି ପାରିନି ଡରାଇ

ଭାବେ ମନେ ଡରେ କି ସେ ବେତଟିକୁ ଚାହିଁ ।


ଦିନେ ଆମ ଭିତରୁ କେ ବେତଟିକୁ ନେଇ

ଶିବଧନୁ ଭଳି ତାକୁ ଭାଙ୍ଗିଥିଲା ସେହି।


ଶିକ୍ଷକ ଦେଖି ବେତର ଏମିତି ଅବସ୍ଥା

ନିଜ ଉପରେ ତାଙ୍କର ହରାଇଲେ ଆସ୍ଥା।


ପୁତ୍ରବତ୍ ପାଳିଥିଲେ ବେତଟିକୁ ସେହି

କେତେ ଛାତ୍ରଙ୍କ ବୀରତ୍ବ ଭାଙ୍ଗିଛି ଯେ ସେହି।


ଶିକ୍ଷକ କରିଲେ ନାହିଁ ଅନ୍ନ ଜଳ ସ୍ପର୍ଶ

ସେଥିପାଇଁ ଖରା ତାଙ୍କୁ କଲା ଯେ ଉଦାସ।


ସଂଧ୍ୟା ରେ ଡାକିଲେ ସବୁ ଛାତ୍ରଙ୍କୁ ପାଖକୁ

ଛାତ୍ର ପିତାମାନେ ଭୁଲ୍ ମାଗିଲେ ତାହାଙ୍କୁ ।


ପରଦିନ ନୂଆ ବେତ ଆମଦାନୀ ହେଲା

ସମସ୍ତ ଙ୍କ ହୃଦୟ ର ସ୍ପନ୍ଦନ ବଢିଲା।


ପୂର୍ବତନ ବେତ ଭଙ୍ଗା ସ୍ମୃତି ର ଚାରଣ

ସବୁରି ପିଠିରେ ବାଜିଥିଲା ଅକାରଣ।


ସେ ଦିନ ଖରା ଠାରୁ ବେତ୍ରାଘାତ କଷ୍ଟ

ଶିକ୍ଷକ ଙ୍କ ଉପରେ ଯେ ସର୍ବେ ହେଲୁ ରୁଷ୍ଟ।


ପରଦିନ ଶିକ୍ଷକ ଯେ ନିଜ ଗ୍ରାମେ ଗଲେ

ସମସ୍ତ ଛାତ୍ରବାହିନୀ ପୋଖରୀର କୂଳେ।


ନିମିଷକେ ପାଣିପଙ୍କ ହୋଇଲା ଏକାଠି

ଜଳଚର ଭୀତତ୍ରସ୍ଥ ହୋଇଲେ ଯେମିତି।


ଘରକୁ ଫେରିଲୁ ରଙ୍ଗା ନୟନ କୁ ଧରି

ବିଜୟୀ ସୈନିକ ସମ ଥାଟ ଯେ ଆମରି।


ଖାଇଦେଇ ଟିକେ ପୁଣି ବରଗଛ ତଳେ

ସପଟି ଉପରେ ନିଦ୍ରା ଯାଉ ଦଳବଳେ।


କିଛି କ୍ଷଣ ପରେ ଜମେ ତାସ ଆସର

ରୌଦ୍ରତାପ ଡରିଯାଏ ଶୁଣି କୋଳାହଳ।


ସତେ ଗଜପତି ତାଙ୍କ ପଟୁଆର ଧରି

କାଞ୍ଚି ବିଜୟ କରିକି ଆସିଛନ୍ତି ଫେରି।


କିଛି କ୍ଷଣ ପରେ ଯାଉ କାଜୁ ବଗିଚାକୁ

ଭୁଲିନଥାଉ ଆମର ଏହି କାମଟିକୁ।


ଘରେ ସବୁ ଥାନ୍ତି ଖୁସି କାମ ଟିକେ କଲେ

ଶହେ ଦୋଷ ଉଡିଯାଏ ଛୋଟ କାମଟିରେ।


ଆମ ଗାଁ ରେ ଗ୍ରୀଷ୍ମ ଆଣେ ନୂଆ ସମ୍ଭାଷଣ

ଅରଣ୍ଯେ ଫସଲ ଭରେ ଧାନ କ୍ଷେତେ ଧାନ।


ଝାଞ୍ଜି ପବନଟା ପୁଣି ବହେ ବେଳେ ବେଳେ

ଦୋଷ ନଧରନ୍ତି ତାର କେହି କେବେହେଲେ।


ଏବେ ସିନା ଅଂଶୁଘାତ ଆଣୁଛି ଏ ଖରା।

ମୋ ଗାଆଁ ପାଇଁ ତାହାର ଦରଦ ଅସରା।


ଏବେବି ସଭିଙ୍କୁ ସିଏ କରିଣ ଏକାଠି

ଗାଁ ବରଗଛ ମୂଳେ ଜମାଏ ସେ ଖଟି।


ମୋ ଗାଆଁ ରେ ଖରାଦିନ ଅତି ଆପଣାର

ସମସ୍ତଙ୍କୁ ବାନ୍ଧେ ତାର ସେନେହର ଡୋର।



Rate this content
Log in

Similar oriya poem from Classics