ଆମ ବିଚିତ୍ର ପ୍ରେମ କାହାଣୀ
ଆମ ବିଚିତ୍ର ପ୍ରେମ କାହାଣୀ
ସେ ସଂସ୍କୃତ ଛାତ୍ରୀ ମୁହିଁ ବିଜ୍ଞାନର ଛାତ୍ର
ଆମର ପ୍ରେମ କାହାଣୀ ସତରେ ବିଚିତ୍ର ।
ସେ ଭିଜାଇ ଦେଉଥିଲା ସାହିତ୍ୟରସରେ
ମୁଁ ଖୋଜୁଥିଲି ତା ସ୍ଥାନାଙ୍କ ସଂଖ୍ୟାରେଖାରେ ।
ସେ ଶୁଣାଉଥିଲା ମେଘଦୂତର ବାରତା
ମୁଁ ଆଙ୍କୁଥିଲି ହୃଦୟ ଚିତ୍ରେ ମନକଥା ।
ସିଏ ଶୁଣାଉଥିଲା ସ୍ବପ୍ନ ବାସବଦତ୍ତା
ମୁଁ ଶୁଣାଉଥିଲି ଟ୍ବିନ୍ ପାରାଡକ୍ସ କଥା ।
ସେ ମୋତେ ଶୁଣାଉଥିଲା ହର୍ଷ ଚରିତ
ମୁଁ କଷୁଥିଲି ପ୍ରେମର ଅଛିଣ୍ଡା ଗଣିତ ।
ସେ ତୁଳନା କରେ ତା କାବ୍ୟ ନାୟକ ସହ
ଅସମାହିତ ରହିଯାଏ ତା ଆଖି ମୋହ ।
ସେ ବର୍ଣ୍ଣନା କରେ ଦୁଷ୍ୟନ୍ତ ହସ୍ତ ମୁଦ୍ରିକା
ମୁଁ ଖୋଜୁଥାଏ ତା ହାତରେ ମୋ ଭାଗ୍ୟରେଖା ।
ସେ ଦେଖାଏ ମେଘମାଳା&n
bsp; ଚୁମଇ ଭୂଧର
ମୁଁ ଦେଖେ ତା ମଧୁଝରା ଗୋଲାପି ଅଧର ।
ଦେଖାଇ ଦୂର ସବୁଜ ଶଇଳ ଶୀଖର
କହେ ତାହା ବକ୍ଷୋଜ ଯୁଗଳ ପ୍ରକୃତିର ।
ମୋ ପାଇଁ ଯାହା ଦିଶଇ ନିର୍ଜୀବ ନୀରସ
ତା କବିତା କରିଦିଏ ଜୀବନ୍ତ ସରସ ।
ମୋର ତଳ ଓଠ ଯେବେ ହୁଏ ଥର ଥର
ତା ଗୋଲାପି ଦୁଇ ଓଠେ ଚାପି କରେ ଥିର ।
ତା ପାଇଁ ଆସଇ ଯେବେ ମୋହୃଦେ କମ୍ପନ
ପ୍ରୀତି ଭରେ ବୋଳିଦିଏ ତା ହୃଦଚନ୍ଦନ ।
ଅନାଦି ଅନନ୍ତ ମୋ ପ୍ରେମର ସଂଖ୍ୟାରେଖା
ମୂଳବିନ୍ଦୁଠାରେ ସିଏ କରିଛି ପ୍ରତୀକ୍ଷା ।
ତାକୁ କେନ୍ଦ୍ର କରି ମୋ ଜୀବନ ବୃତ୍ତ ଚିତ୍ର
ଅସଜଡା ଜୀବନାଙ୍କ ସମାଧାନ ସୂତ୍ର ।
ମୋ ଜୀବନ ଏକ ଜଟିଳ ସମୀକରଣ
ସେ ହେଉଛି ତାହାର ଅନନ୍ୟ ସମାଧାନ ।