ଆମ ଭାଷା ଆମ ମାଆ ପରି
ଆମ ଭାଷା ଆମ ମାଆ ପରି
ଜନମ ଦିନରେ ହାତେ ଛୁରୀ ଧରି
ପିଲା ଯଦି କେକ କାଟୁଛି,
ବେଲୁନ ଉଡାଇ ମହମ ଲିଭାଇ
ମା ଛାତି ଗର୍ବେ ଫାଟୁଛି l
ଇଂଲିଶ ମିଡିଅମ ବିଦ୍ୟାଳୟ ମାଟି
ପିଲା ଯଦି ଟିକେ ମାଡ଼ିଛି,
ଓଡିଆ ବୋଲି ପରିଚୟ ଦେବାକୁ
ସେ ହିନମାନ୍ୟତା ପୁଣି ମଣୁଛି l
ଓଷା, ବ୍ରତ ପାଳି ସମୟଟା ଯେବେ
ତାର ଘରେ ନଷ୍ଟ ହେଉଛି,
ପାର୍ଟି, କ୍ଲବ,ଡାନ୍ସରେ ସିଏ
ନିଜ ଅସ୍ତିତ୍ୱ ସାରୁଛି l
ପୂର୍ବ ସଂସ୍କୃତି ଭୁଲି ଯାଇ ସବୁ
ବିଦେଶୀ ସଭ୍ୟତାକୁ ଆପଣେଇଛି,
ଓଡ଼ିଆ ବୋଲି କହିବାକୁ ତାକୁ
ଲାଜ ଟିକେ ପରା ମାଡୁଛି l
ଗର୍ବରେ ଫୁଲୁଛି ଛାତି ତାର ପୁଣି
ଯେବେ ଆଧୁନିକା ସାଜିଛି,
ବିଦେଶୀ ପୋଷାକେ ସଜେଇ ହୋଇ
ନୀଳ ଶୃଗାଳ ସେ ବନିଛି l
ମା ଖୋଜେ ନାହିଁ ପରିଚୟ କେବେ
ଆତ୍ମା ତା ଗୁମରି କାନ୍ଦୁଛି,
ତାର ପରିଚୟ ତାର ତା ସନ୍ତାନ
ନିଶ୍ଚେ ସେ ଦୁନିଆଁ ଆଗରେ ଜାଣିଛି l
ଏଇ ଓଡିଶା ମାଟିରେ ଜନମି ବୀର ଯେ
ଓଡ଼ିଆ ପାଇଁ କି ଲଢ଼ିଛି,
କେତେ ରକ୍ତ ତାର ପାଣି ହୋଇ ପୁଣି
ସାଗରେ ତରଙ୍ଗ ହୋଇଛି l
ଓଡ଼ିଆ ବୋଲି ମନେ ଗର୍ବ ଆମ
ଆମ ସଂସ୍କୃତି ଚେତାଇ ଦେଇଛି,
ଅମଡ଼ା ବାଟରେ ନ ଯିବା ପାଇଁ କି
ଭାଷା ଆମ ମଙ୍ଗ ଧରିଛି l
ତଥାପି ମା'ର ଆଖିରୁ ଶୁଖୁନି ଲୁହ ଯେ
ହୃଦରେ ନିରବ ରହିଛି,
ହୃତ ପରମ୍ପରା ଲେଉଟିଆସୁ
ଏଇ ଆଶା ସିଏ ବାନ୍ଧିଛି l
ଜନ୍ମ ହୋଇ ତାର ବକ୍ଷରେ ଆମେ
କାହିଁ ଭାଷା ତାର ବୁଝିବା,
ଜଗତ ଆଗରେ ତାକୁ ଛୋଟ କରି
କେଉଁ ଯଶ ଆମେ ଲଭିବା l
ମା ମାଟି ଭାଷାକୁ ଯେବେ
ଅନାଦର ଯିଏ କରିଛି,
ଜୀବନ ତାର ଦୁର୍ବିସହ ଅଟେ
ଏକଥା ସର୍ବଦା ଘଟିଛି ।
