ଆମ ଅସ୍ମିତାର ସ୍ୱର
ଆମ ଅସ୍ମିତାର ସ୍ୱର
ଜାତିର ମୁରବି ମାଟିର ଗୌରବ
ଧନ୍ୟ ମଧୁ ବାରିଷ୍ଟର
ତୁମ ହାତ ଗଢ଼ା ଉତ୍କଳ ପ୍ରଦେଶ
ସ୍ୱର ତୋଳେ ଅସ୍ମିତାର ll
ଖୋଜୁଛି ଏ ଜାତି ତୁମରି ଆଶିଷ
ଗର୍ବରେ ଟେକିବ ମଥା
ତୁମେ ଗଲା ଦିନୁ ଅସହାୟ ନର
କହେ ଇତିହାସ କଥା ll
ସତ୍ୟଭାମା ପୁରେ ଜନମ ଲଭିଲ
ସତ୍ୟର ମଶାଲ ଜାଳି
ସମର୍ପିତ ହେଲ ମାତୃଭୂମି ପାଇଁ
ସ୍ୱାର୍ଥକୁ ପକାଇ ବଳି ll
ଭାଷା ଆନ୍ଦୋଳନେ ସାଜିଲ ପୁରୋଧା
ଏକତ୍ରିତ କଲ ଦର୍ପେ
ଓଜସ୍ୱିନୀ ତୁମ ବାଣୀର ବିଭବେ
ମିଳିଲେ ଏକତ୍ର ସର୍ବେ ll
ମହା ବଳିୟାନ ପୁରୁଷ ମହାନ
ଅଙ୍ଗୀକାର ବଦ୍ଧ ହେଲ
ଇଂରେଜ
ମାନଙ୍କୁ ପରାଜିତ କରି
ଭାଷାଯୁକ୍ତ ରାଜ୍ୟ କଲ ll
ମହାରାଜା କୃଷ୍ଣଚନ୍ଦ୍ର ଗଜପତି
ସାଥେ ଫକୀର ମୋହନ
ଉତ୍କଳର ମଣି ଗୋପବନ୍ଧୁ ମିଶି
ଗଢ଼ିଦେଲ ସମ୍ମେଳନ ll
ପ୍ରତିଟି ଓଡ଼ିଆ ଝାସ ଦେଇଥିଲେ
ତବ ପୁଣ୍ୟ ଆହ୍ୱାନରେ
ସଫଳ ହୋଇଲା ସଂଗ୍ରାମ ଶେଷରେ
ବୀର ଓଡ଼ିଆର ସ୍ଵରେ ll
ସ୍ୱତନ୍ତ୍ର ପ୍ରଦେଶ ଗଢ଼ିଦେଲ ତୁମେ
ଅପ୍ରେଲ ପହିଲା ଦିନ
ଉଣେଇଶ ଛତିଶ ସ୍ମରଣୀୟ ହେଲା
କାଳ ଗର୍ଭେ ଚିର ଦିନ ll
ତୁମେ ନାହଁ ଆଜି ନାହିଁ ବି ସେଦିନ
ଅତୀତ ରହିଛି ସାକ୍ଷୀ
ଓଡ଼ିଆ ଜାତିର ସ୍ୱାଭିମାନ ତୁମେ
ଗୌରବେ କହୁଛୁ ଡାକି ll