ଆଲୋ ବର୍ଷା ରାଣୀ
ଆଲୋ ବର୍ଷା ରାଣୀ
ବାଟବଣା ହୋଇ ଚାଳିଗଲ ତୁମେ
ଆଲୋ ମୋ ବରଷା ରାଣୀ
ତୁମ ବିନା ଧରା କାନ୍ଦୁଛି ଯେ ନିତି
ଆକୁଳେ ବାହୁନି ବାହୁନି ।
ନଈ, ନାଳ, ବିଳ ସବୁକିଛି ସତେ
ଗଲାଣି ତ ସବୁ ସୁଖି
ପାରୁନ କି ତୁମେ ବରଷା ରାଣୀ ଲୋ
ଦୁଃଖ କଷ୍ଟ ଆମ ଦେଖି ।
ତୁମ ବିନା ଏଇ ପ୍ରାଣୀଜଗତଟା
ଖରାତାତିରେ ମରୁଛି
ପରଶରେ ତୁମ ଭିଜିବାକୁ ସତେ
ନିତି ତୁମକୁ ଖୋଜୁଛି ।
ପାଉନାହିଁ ତୁମ ଦେଖା ଦର୍ଶନ
ଆକୁଳ ହେଉଛି ପ୍ରାଣ
ତୁମ ବିନା ସବୁ ଅଚଳ ନିଶ୍ଚଳ
ବୁଝେ ନାହିଁ ଜମା ମନ ।
ଅଭିମାନ କରି ଚାଳି ଯାଇଅଛ
ଫେରିବାର ବାଟ ନାହିଁ
କାହିଁକି ଏମିତି କରୁଛ ସେ ବର୍ଷା
ବୁଝି ପାରୁନାହିଁ ମୁହିଁ ।
ଚଷାଭାଇର ଯେ ବିଳ ଶୁଖିଲାଣି
ମୁଣ୍ଡେ ପଡ଼ିଛି ଚଡ଼କ
ଦୁଃଖରେ ମୁଣ୍ଡକୁ ବୁଦ୍ଧି ଜୁଟୁନାହିଁ
ପେଟେ ଜମା ନାହିଁ ଭୋକ ।
ତୁମରି ବିହୁନେ ପ୍ରତିଟି ଜୀବନ
ହେଉଅଛି ହାହାକାର
ତୁମେ ନ ଫେରିଲେ ଏ ଧରା ଧାମଟି
ହୋଇଯିବ ଛାରଖାର ।
ନକରି ଡେରି ବେଗି ବେଗି ତୁମେ
ଫେରିଆସ ବର୍ଷା ରାଣୀ
ତୁମ ଆଗମନେ ଧରଣୀ ହସିବ
ପାଇ ତୁମ ବର୍ଷା ପାଣି। ।