ଆଖି ଥାଇ ଅନ୍ଧ
ଆଖି ଥାଇ ଅନ୍ଧ
ଆଖିରେ ଆଖିଏ ଜ୍ୟୋତି ଦେଇଛନ୍ତି
ପ୍ରଭୁ ଯେ ପରମେଶ୍ଵର
ସେ ଜ୍ୟୋତିରେ ତାଙ୍କ ସୃଷ୍ଟିକୁ ଦେଖିବା
ନେବା ତାଙ୍କ ଅନୁଭବ ।
ଆଖିର ଜ୍ୟୋତିରେ ସ୍ରଷ୍ଟାଙ୍କ ସୃଷ୍ଟିର
ତତ୍ତ୍ଵ ଯଦି ନ ବୁଝିବା
ଆଖି ଥାଇ ଅନ୍ଧ ହୋଇ ଯିବା ସିନା
ଜନ୍ମ ବ୍ୟର୍ଥ ଯେ କରିବା ।
ଆଖିରେ ଆଖିଏ ଜ୍ୟୋତି ପୁରି ଅଛି
ସଂସ୍କୃତିକୁ ନ ଚିହ୍ନିବା
ଆଖି ଥାଇ ସିନା ଅନ୍ଧ ବୋଲାଇବା
ଜୀବନ ନଷ୍ଟ କରିବା ।
ଆଖିରେ ଆଖିଏ ଜ୍ୟୋତି ଥାଇ ଯଦି
ଅନ୍ୟ ଦୁଃଖ ନ ଦେଖିବା
ଆଖି ଥାଇ ସିନା ଅନ୍ଧ ହୋଇଯିବା
ଅମଣିଷେ ଗଣା ହେବା ।
ଆଖି ଥାଇ ଯଦି ଅନ୍ୟ ର ଆଖିର
ବେଦନାକୁ ନ ପଢିବା
ଆଖି ଥାଇ ଅନ୍ଧ ବୋଲାଇବା ସିନା
ସୃଷ୍ଟି ନିରର୍ଥ କରିବା ।
ଆଖିର ଆଖିଏ ଜ୍ୟୋତି ଥାଇ ଯଦି
ସଂସ୍କାରକୁ ନ ଖୋଜିବା
ଆମ ପରଂପରା ଆମ ସଂସ୍କୃତିର
ଗାଥା ଯଦି ନ ପଢିବା ।
ଆଖି ଥାଇ ସିନା ଅନ୍ଧ ବୋଲାଇବା
ଅମଣିଷ ହୋଇ ଯିବା
ସ୍ରଷ୍ଟାଙ୍କ ସୃଷ୍ଟିକୁ ଅପମାନ କରି
ଲାଞ୍ଛିତ ଯେ ହୋଇଯିବା ।
ଆଖିରେ ଆଖିଏ ଜ୍ୟୋତି ଥାଇ ଯଦି
ପ୍ରଭୁ ଗାଥା ନ ପଢିବା
ଯେତେ ପଢିଲେ ବି କି ହେବ ମୋ ବନ୍ଧୁ
ମୁରୁଖେ ନାମ ଲେଖିବା ।
ଆଖିର ଜ୍ୟୋତିରେ ପଥପ୍ରାନ୍ତେ ଯଦି
ଅସହାୟେ ନ ଦେଖିବା
ସହଯୋଗ ହାତ ବଢ଼ାଇବା ପାଇଁ
ଯଦି ବା କୁଣ୍ଠା କରିବା ।
ପ୍ରଭୁଙ୍କ ଦାନକୁ ଅପମାନ ହେବ
ଅମାନବିକ ହୋଇବା
ଆଖି ଥାଇ ସିନା ଅନ୍ଧ ହୋଇ ଯିବା
ଜନ୍ମ ନିରର୍ଥ କରିବା ।
ଆଖିର ଜ୍ୟୋତିକୁ ଦୁନିଆରେ ବାଣ୍ଟି
ଆନନ୍ଦ ଆମେ ଲଭିବା
ସାରା ସୃଷ୍ଟି ପରା ଆମ ପରିବାର
ସ୍ରଷ୍ଟାଙ୍କୁ ପ୍ରଣମୁ ଥିବା I