STORYMIRROR

DHARITRI SAHU

Tragedy

4  

DHARITRI SAHU

Tragedy

ଆକାଶ କଇଁଆ

ଆକାଶ କଇଁଆ

1 min
414

ନିଦାଘର ନିବିଡ଼ ସଂଧ୍ୟାରେ 

ତମେ ଆଜି ବହୁତ ମନେ ପଡୁଛ,

ମନେ ପଡୁଛି ତମର ସେ

ହଳଦୀ ମଖା ମୁହଁର ନାଲି ନାଲି ଓଠ।

ମନେ ପଡୁଛି ସରୁ ଧଡିପକା

ନାଲି ଶାଢ଼ୀରେ ଆବୃତ ତମ

ସଲ୍ଲଜ ଢଳ ଢଳ ହଂସୁଲି ଚାଲି,

ଛାତି ଭିତରେ ତଡିତ୍ ଖେଳାଉ ଥିବା

ତମ ବାଙ୍କ ଚାହାଣୀ ଓ 

 କ୍ଷତାକ୍ତ କରୁଥିବା ତମ 

 ଶୁଭ୍ର ମଲ୍ଲି ପାଖୁଡିଆ ହସ।

 ମୁଁ ଆଜି ପକ୍ଷହୀନ ଇଗଲ୍

 ତମେ ଏବେବି ବସନ୍ତର 

 ରଙ୍ଗଭରା ହଳଦୀ ବସନ୍ତ,

 ତମେ ଚୀର ସବୁଜ ବନାନୀ

 ମୁଁ ଏକ ଲଣ୍ଡିତ ଖଣ୍ଡର୍।

 ତମକୁ ଆଜି ମନେ ପକାଇବାକୁ

 ସମୟ ନାହିଁ ସେ ଅକୁହା କଥା ସବୁକୁ,

 ଯାହା ପ୍ରତିଟି ଆଖି ମିଶିବାରେ

 କହି ଯାଉଥିଲା ଯୁଗ ଯୁଗର

 ଅଭୁଲା ପ୍ରେମ କାହାଣୀ।

 କଥା କହିବାର ଆବଶ୍ୟକତା 

 ମୁଁ ଅନୁଭବ କରି ପାରିଲି ନାହିଁ ବୋଲି

 ତମେ ମୋ ଛାତିରେ ହଳଦୀ ମଖା

 ସରୁ ଅଳତା ପିନ୍ଧା ପାଦ ଥାପି

 ପାର ହୋଇ ଗଲ ସାତ ଦରିଆ ପାରିକୁ,

 ମୁଁ ରହିଗଲି ଏକ ପକ୍ଷାଘାତ ରୋଗୀର

 ବପୁକୁ ବହନ କରି।

 ଯେଉଁ ଦିନ ତମେ ଆସି ମୋ ଚାରିକଡ଼େ

 ବାରମ୍ବାର ଘୁରି ବୁଲୁଥିଲ

 ତମର ସେ ସଜଗୋଲାପର ମୁହଁଟା

 ଝାଉଁଳି ପଡ଼ିଥିଲା,

 ମୋ ଠାରୁ ଅଧିକ କିଏ ଆଉ ଜାଣିପାରିବ

 ତମ ମନର କଥାକୁ

 କିନ୍ତୁ! ମୁଁ ଭାବିଥିଲି ମୋ ଚିନ୍ତାଧାରାକୁ ନେଇ

 ବୋଧେ ବୋଉ ତମର ଗାଳି ଦେଇଛି!

 ହେଲେ ମୁଁ ଜାଣିନଥିଲି

 ତମକୁ କିଏ ନେଇ ଯିବାକୁ ଆସିବ ବୋଲି।

 ଯେତେ ବେଳେ ତମ ବାପା 

 ଦାଣ୍ଡ ଚଉପାଢୀରେ ନିଶ ଫୁଲାଇ 

 କହୁଥିଲେ ମୋ ଝିଅର ବାହାଘର

 ଜଣେ ଫରେନ୍ ରେ ରହୁଥିବା ଡାକ୍ତର

 ସାଥିରେ ଠିକ୍ ହୋଇ ଗଲା,

 ସେତେବେଳେ ମୋ ପାଦତଳେ

 ଭୂମି ସବୁ ଅପସରି ଗଲେ

 ମୁଁ ତଳା ତଳ ଭୂତଳ ପାତାଳକୁ ଖସିଗଲି।

 ମୁଁ ପ୍ରଥମ କରି ମୋ ଜୀବନରେ

 ତକିଆ ଭିଜାଇ ଲୁହ ଗୁଡାକୁ ଶୁଆଇ ଥିଲି,

 ତା ପର ଠାରୁ ମୁଁ ସମ୍ପୂର୍ଣ୍ଣ

 ଶୁଷ୍କ,ରୁକ୍ଷ ଏକ ମରୁଭୂମି।

 ହେଲେ ଏ ବୟସର ଅପରାହ୍ନରେ

 ଆଜି କାହିଁକି ତମେ ବହୁତ୍ ମନେ ପଡୁଛ,

 ମୋ ଏକାକୀ ପଣିଆ ଆଜି

 ଆର୍ତ୍ତ ଚିତ୍କାର କରି ଘୋର ଶ୍ରାବଣ

 ଭଳି ବହି ଯିବାକୁ ଇଚ୍ଛା କରୁଛି।

 ହେଲେ ଏ କ୍ଷୁଦ୍ର ଜଳ ଧାରା କଣ

 ତୁମକୁ ଛୁଇଁ ପାରିବ?

 ତମେ ତ ମୋ ହାତ ପାହାନ୍ତାର ସେପାରେ

 ତମେ ତ ଆଜି ଆକାଶ କଇଁଆ"।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy