STORYMIRROR

Bhagirathi Mohanty

Inspirational

3  

Bhagirathi Mohanty

Inspirational

ଆକାଶ କାହିଁକି ଉଦାସ ଉଦାସ

ଆକାଶ କାହିଁକି ଉଦାସ ଉଦାସ

1 min
228


ଆକାଶ କାହିଁକି ଉଦାସ ଉଦାସ 

ଉଷସୀ ଯେ ରଙ୍ଗ ହୀନ,

ନିରବିତ ଆଜି ବନ ଉପବନ

ଗତି ହୀନ ନବଘନ॥


ସିଂହ ଦୁଆରରେ ନାହିଁ ଯେ ଗହଳି

କବଳିତ କୋଳାହଳ,

ପଣ୍ଡା ପଢିଆରୀ ପିଣ୍ଡେ ପ୍ରାଣ ନାହିଁ

ଶ୍ରୀମନ୍ଦିରରେ ଚହଳ॥


ଛପନ ଭୋଗ ଯେ କାହା ପାଇଁ ହେବ

ମନ ଯେ ଫାଟି ଗଲାଣି,

ତୁଳସୀ ଦୟଣା ତଳେ ପଡିଛନ୍ତି

ସବୁ ମଉଳି ଗଲେଣି॥


ଆନନ୍ଦ ବଜାରେ ଭକତ ନାହାନ୍ତି

ଛଡା ଛଡି ହେଉନାହିଁ,

କୋଠ ଭୋଗ ଖିଆ କାଳିଆ ସାଅନ୍ତ 

ଶ୍ରୀମୁଖରେ ହସ କାହିଁ॥


ରୋଷ କରି ମୋର କାଳିଆ ଠାକୁର

ପଳେଇଛନ୍ତି କି ଗୋପ,

ରାଧାରାଣୀକୁ ଯେ ରାଜି କରୁଛନ୍ତି

ରାଣ ଦେଇ ବିଶ୍ୱରୂପ॥


ଯଶୋଦା ମା'ର ଅଲିଅଳ ପୁଅ

ଦେଖିନାହିଁ କେଇ ଦିନୁ,

ଜୋର କରି ତାକୁ ଜଡି ଧରିବ ସେ

ଯୋଗ ମିଳିଅଛି ଯେଣୁ॥


କହରେ କହ୍ନେଇ କାହାର ହେବୁ ତୁ

କୋଉ ମା' ତୋର ଭଲ,

କୋଉ ଭାରିଯାକୁ କୋଳରେ ଧରିବୁ

କହରେ ଦେବକୀ ବାଳ॥


ମୀରା ଖୋଜେ ତୋତେ ରାଧା ବି ଖୋଜୁଛି

ବିଶ୍ୱ ଚରାଚର ଖୋଜେ,

ମହାବିଷ୍ଣୁ ତୁମେ ମହା ଆନନ୍ଦରେ

ନୀଳକନ୍ଦରରେ ବିଜେ॥


ଚେହେରା ଦିଶିବ ଚହଟ ଚମକ

ସବୁଠି ଚରଚା.ହେବ,

ମହକିବ ମହ ମହ ମୋ ଗୋପାଳ

ମିଳିବ କୁଡୁଆ ଭୋଗ॥


କଳାଠାକୁର ଯେ ଏତିକି କରିବ

କରୁଣା ବରଷି ଦେବ,

କୋଟିଏ ଭକତ କୋଳେଇ ନେବାକୁ

କର ଯେ ବଢେଇ ଦେବ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational