STORYMIRROR

Aparti Charan Sethi

Abstract Comedy

4  

Aparti Charan Sethi

Abstract Comedy

ଆଜିକା କବି ମୁହିଁ

ଆଜିକା କବି ମୁହିଁ

1 min
20


  (ରମ୍ୟ ରଚନା)


କଲମ କାଳି ଆଉ ସରୁନି

  କାଗଜ ଚିରୁ ନାହିଁ,

ସ୍ମାର୍ଟ୍ ଫୋନ୍‌ରେ କବିତା ଲେଖେ

  ଆଜିକା କବି ମୁହିଁ।

ପ‌ଇସା ଦେଇ ସମ୍ମାନ ପାଇଁ

  ଯାଏ ସବୁଠିଁ ଧାଇଁ,

ଯଦିଓ ମୋର ସାହିତ୍ୟ ଜ୍ଞାନ

  ବେଶୀ ଧାରଣା ନାହିଁ।

ତଥାପି ଫେସବୁକ୍‌ରେ ଫଟୋ

   ମାନପତ୍ର ମୁଁ ଛାଡ଼େ,

ମିଡ଼ିଆ ଡାକି ବାଇଟ୍ ଦେଇ

   ନିଜକୁ ଧନ୍ୟ କରେ।

ଅଧିକ ଖୁସି ହୁଏ ମୁଁ ଦେଖି

   ମୋ ନାଆଁ ପେପରରେ‌,

ମୁଁ ଜଣେ ଅସାଧାରଣ ବ୍ୟକ୍ତି

   ମନେ ଗରବ କରେ।

ଅବଶ୍ୟ ମୋତେ ଅନେକ ଲୋକେ

   ପାଗଳ କହୁଛନ୍ତି,

ଏସବୁ ସତ୍ତ୍ୱେ ନିଜ ପ୍ରଶଂସା

   ଗାଏ ମୁଁ ହସିହସି।

ଏଣୁ ତେଣୁ ମୁଁ କବିତା ଲେଖି

   ପ୍ରତ୍ଯହ ପୋଷ୍ଟ କରେ,

କବିଟି ବୋଲି ଦି'ଧାଡି ସିନା

   ରଚନା କରି ପାରେ।

ପ‌ଇସା ସାରି ବହି ଦି'ଖଣ୍ଡ

   କରିଛି ‌ପ୍ରକାଶନ,

ସାହିତ୍ୟ ସଭା ଡକେଇ‌ ପୁଣି

   କରିଛି ଉନ୍ମୋଚନ।

ବହୁ ସାହିତ୍ୟ ସଭା ବୁଲିଲି

   କବିତା ପଢିବାକୁ,

ଅନ୍ଯ କବିଙ୍କ କବିତା ଭଲ

   ଲାଗେନା ଶୁଣିବାକୁ।

କାହା ପାଇଁ ମୁଁ ମାରେନା ତାଳି

   ଉତ୍ସାହ ଦିଏ ନାହିଁ,

ନିଜେ ନିଜକୁ ଟେକୁଥାଏ‌ ମୁଁ

   ଯାହା ଦେଖେଇ ହୋଇ।

ନିଜ କବିତା ପଢ଼ିବା ପାଇଁ

   ହୁଏ ମୁଁ ତତ‌ପର,

କବିତା ପଢ଼ି ଜାଗା ଛାଡ଼ିବା

   ଅଭ୍ୟାସ ଥାଏ ମୋର।

ମୋ ରାଣ ମୋତେ ଭଲ ପାଇବା

   ନୀତିକୁ ଅନୁସରି,

ଆଜିକା କବି ଯେତେ ଅଛନ୍ତି

   କେ ହେବ ମୋ ପରି?

ଟିକେ ସୁରାକ ପାଇ‌ଲେ ଯାଏ

   ସାହିତ୍ୟ ସଭା ସ୍ଥଳ,

କହେ ସବୁଠିଁ ଆସିବା ପାଇଁ

   ହେଉନି ମୋର ବେଳ।

କାହା କବିତା ଧାଡିଏ‌ ଶୁଣେ

   ଧାଡିଏ‌ ମାତ୍ର ପଢେ‌,

କିଏ କେମିତି ଷ୍ଟାଣ୍ଡାର୍ଡ‌ କବି

   ନିମିଷେ ଜାଣି ପାରେ।

ମାନପତ୍ର ମୁଁ ସଜେଇ ଅଛି

   ମୋ ଘର କାନ୍ଥ ସାରା,

ମୁଁ କଳାକାର ଭତ୍ତା ପାଇବି 

   ଆଶା କରିଛି ପରା।

ଏମିତି ମୋର ଅନେକ ସଂଜ୍ଞା

   ଅଛି ସୁଜନେ ଜାଣ,

କହିଲେ ସରିବନି ଆଜିକା

   କବିଙ୍କ ଗୁଣଗାନ‌।

କିନ୍ତୁ ପଣ୍ଡିତେ କୁହନ୍ତି କବି

   ଦ୍ଵିତୀୟ ସ୍ରଷ୍ଟାଟିଏ,

ମା' ସରସ୍ଵତୀ ଅମୃତ ସୃଷ୍ଟି

   ହେବ ତା' ସମ କିଏ?

କବି ଅଗମ୍ୟ ସ୍ଥାନରେ ଗମେ‌

   ଆକାଶେ ଉଡିପାରେ‌,

କଳ୍ପନା କୋଣାରକ‌ ନିର୍ମାଣି‌

   ଶୂନ୍ୟରେ ବାସ କରେ।

ବିନୟ ନିର୍ବିକାର ସେ କବି

   ନିଜକୁ ମୂର୍ଖ ମଣି,

ଅମୃତ ସାରସ୍ଵତ ସର୍ଜନା

   କରେ ଅଜ୍ଞତା‌ ଜିଣି‌।

କବି କବିତା ପଢିକି‌ ଯେବେ

   ପାଠକ ଖୁସି ହୁଏ,

କବି ଜୀବନ ସାର୍ଥକ ହୁଏ

   ବଡ଼ ସମ୍ମାନ ଇଏ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract