ଆଜି ଏ ସାଧାରଣତନ୍ତ୍ର ଦିବସେ
ଆଜି ଏ ସାଧାରଣତନ୍ତ୍ର ଦିବସେ
ସାଧାରଣ ତନ୍ତ୍ର ସ୍ଵାଧୀନତା ମନ୍ତ୍ର
ଜାତୀୟ ଦିବସ କରି ପାଳନ
ଭାରତ ମାତାର ପରିଚୟ ସ୍ବତଃ
ସମ୍ବିଧାନଟି ହେଲା ପ୍ରଣୟନ।।
ଏକତା ସୂତ୍ରରେ ବାନ୍ଧି ହୋଇଅଛୁ
ତ୍ରିରଙ୍ଗା ପତାକା ଉଡେ ସଧୀର
ଜାତୀୟ ସଂହତି ଦେଶର ପ୍ରଗତି
ଅବରୋଧ ଆଜି ଜନତା ସ୍ୱର।।
ଆଜି ଏ ସାଧାରଣତନ୍ତ୍ର ଦିବସେ
ବାସ୍ତବତା କିଛି ରହିଛି ଭିନ୍ନ
ନାରୀ ନିର୍ଯାତନା ଭ୍ରଷ୍ଟାଚାର ବଢ଼ି
ଗଣତନ୍ତ୍ର ଏବେ ହୋଇଛି କ୍ଷୁର୍ଣ୍ଣ।।
ଅନ୍ୟାୟ ଅନୀତି ସ୍ୱାର୍ଥ ହିଂସା ପାଇଁ
ରାମ ରାଜ୍ୟ ସ୍ଵପ୍ନ ହଜିଯାଇଛି
ରକତ ନିଗାଡି ସ୍ଵାଧୀନତା ଦେଲେ
ତାଙ୍କ ଗାଥା ଇତିହାସ ହୋଇଛି।
ଅହିଂସାର ମନ୍ତ୍ର ପାଲଟିଛି ହିଂସା
ବଢୁଛି ଦେଶରେ ଦୁର୍ନୀତି ସ୍ଥିତି
ରାଜନୀତି ଠାରୁ କୂଟନୀତି ବଳି
ଗଣତନ୍ତ୍ର ମୂଲ୍ୟବୋଧ ହାରିଛି।।
ଶାନ୍ତି ମୈତ୍ରୀ ପ୍ରୀତି ପଥ ଅନୁସରି
ଦେଶର ବିକାଶ ଯଦି କରିବା
ଜାତୀୟ ସଂହତି ଅକ୍ଷୁର୍ଣ୍ଣ ରହିବ
ଜାଗୃତିର ସ୍ୱର ଆମେ ତୋଳିବା।।
