ଆଜି ବି ମନେହୁଅ ନିଜର ନିଜର
ଆଜି ବି ମନେହୁଅ ନିଜର ନିଜର
ଚାଲିଯିବାକୁ ଚାହଁ ଯଦି ତୁମେ
ନିର୍ଦ୍ଵନ୍ଦରେ ଯାଇପାର
ରୋକିବିନି ଏ ପ୍ରସ୍ଥର ଚଟାଣ ତୁମକୁ,
ବାଧା ଦେଇ ତୁମ ଗତିପଥ ବଦଳାଇବାକୁ
କରିବନି ଅତୀତର ପ୍ରୟାସ ।
ହଁ..... ମୁକ୍ତ ତୁମେ ଆଜି
ବନ୍ଧନ ପରିତ୍ୟାଗ କରି,
ଫେରିଯିବାକୁ ବ୍ଯଗ୍ର
ତଥାପି କହିବିନି ରହିଯାଅ କ୍ଷଣେ !
ଅନୁଭବ କରିବାକୁ ଚେଷ୍ଟାକର
ମୌସୁମୀ ପ୍ରସ୍ଥାନର ପବନ.....
ପ୍ରକୃତିର ଦୃଢ ଆକର୍ଷଣ
ବାଧାଦେଇ ଝରିଯିବାକୁ କହିବିନି
ହେଲେ ପ୍ରତୀକ୍ଷାରେ ଥିବି !
ତଥାପି କହୁଛି ଫେରିଯାଅ
ନିର୍ମମ ଆଘାତ ଦେଇ ପ୍ରାଣେ
ଦୀକ୍ଷା ଦେଇ ଯାଅ ମୋତେ
ଯେମିତି ବିଶ୍ୱାସ ଶତବାର ନ ହାରେ ।
ଦଣ୍ଡିତ କରିଯାଅ ଏ ମନକୁ
ଯେମିତି ସେ ଚେଷ୍ଟା ନକରିବ
ଆପଣା ମୋହରେ ବଶକରିବାକୁ,
ଭୟ ଭରିଦେଇଯାଅ ମନେ
ଯେମିତି ନିଜର କହିବାର ଅହଂକାର ନ ଆସୁ ।
ଭାଙ୍ଗି ଦେଇଯାଅ ରାଜପ୍ରାସାଦକୁ
ଯେମିତି ସ୍ୱପ୍ନ ଦେଖିବାକୁ ଡରିବ ଏ ଆଖି।
ଜାଳିଦେଇ ଯାଅ ଏ ଚିତାକୁ
ଯେ ନିଜେ କାମନାରେ ଦଗ୍ଧ ,
ବିଛିନ୍ନ କରିଯାଅ ପ୍ରବେଶ ଦ୍ୱାରକୁ
ଆଉ କେହି କେବେ ପ୍ରବେଶ ନ କରୁ।
ହଁ ଫେରିଯାଅ କହୁଛି ମୁଁ
ଚାଲିଯାଅ ଏହି କ୍ଷଣେ
ମୋ ଭାବନାର ମୋଡ ବଦଳୁ ବଦଳୁ ।
କହିଯାଅ ଶେଷ ଥର ପାଇଁ
ମୋ ଭାବନା ମୂଲ୍ୟହୀନ ,
ପ୍ରତିଶ୍ରୁତି ଦେଇ ଯାଅ.....
ମୋ ମୃତ୍ୟୁରେ ମର୍ମାହତ ହେବନି
ହେଲେ ଶେଷ ଦର୍ଶନ ପାଇଁ ଆସିପାର
ମନାକରିବାର ପ୍ରୟାସ କରିବିନି ।
ଚରମ ଆଘାତ ଦେଇଯାଅ ପ୍ରାଣେ
ବୃଥା କଳ୍ପନା ଆଉ ଭାବନା ନେଇ
ଏ ମନ କେବେ ପରିଜାତ ନ ଚାହୁଁ ।
ଜ୍ୟୋତ୍ସ୍ନା ବିହୀନ ଗହନ ବନରେ
ନିର୍ଜନ ଏ ମନ ବିଳାପିତ
ସବୁ ପ୍ରତୀକ୍ଷାର ଅନ୍ତଘଟାଇ
କେବେ ଥର ଆସ ପଥବାହୁଡି।
ଦେଖିଯାଅ ବାରେ ତୁମ ଅଲକ୍ଷ୍ଯରେ
ଅଶ୍ରୁଶୁଷ୍କ ନୟନ ତୁମକୁ ଝୁରେ,
ପ୍ରଶ୍ନ ଉଠେ ମନେ ଶତବାର
ଆଜି ବି ମନେ ହୁଅ ନିଜର ନିଜର ।