STORYMIRROR

Minakshi Samal

Romance

4  

Minakshi Samal

Romance

ଆହୁତି

ଆହୁତି

1 min
397

କୁହୁଡିଆ ସକାଳର

କୁତୁକୁତିଆ ଶୀତରେ

କୁଙ୍କୁରି କାଙ୍କୁରି ହୋଇ 

ରେଜେଇର ଉଷ୍ଣତାରେ

ତୁମକୁ ଖୋଜେ ତନୁମନ,

ଅଙ୍ଗରେ ଅଙ୍ଗ ଜଡାଇ 

ତୁମରି ବାସ୍ନାରେ ବିଭୋର ହୋଇ

ତୁମରି କାୟାରେ ହେବାକୁ ଚାହେଁ ବିଲୀନ।


ପବିତ୍ର ସେ ମାହେନ୍ଦ୍ର ବେଳା

ଅକସ୍ମାତ ଭେଟ ହେଲା

ଅଚିନ୍ହା ଆତ୍ମାଙ୍କର ବେନି ନୟନ

କରିଥିଲେ ପରଷ୍ପରକୁ ଦର୍ଶନ,

ବହଳ ସ୍ମୃତିର ପରସ୍ତ ପରସ୍ତ

ଉତାରି ରୋମନ୍ଥନ କରିବାକୁ 

ହୁଏ ଏବେ ପ୍ରୀତି ପରଶର ମଧୁର କ୍ଷଣ।


ମିଳନର ମଧୁବେଳା

ଅପାସୋରା ସେ ମୁହୁର୍ତ୍ତ

ପ୍ରଥମ ଛୁଆଁରେ ତଡିତ୍ ସମ

ଲହୁ ଭିତରର ସୃଷ୍ଟ ଅସଂଖ୍ୟ ଚମକ

ଲୋମକୂପ ମାନଙ୍କର ଉଦବେଳନ,

ତରଙ୍ଗାୟିତ ସ୍ବପ୍ନରେ

ଅମାନିଆ ହୋଇ ଢେଉ ଖେଳେ

ମସଗୁଲ ମସ୍ତିଷ୍କର ସ୍ନାୟୁ ମାନ।


ଅତୀତକୁ ପଖାଳି କରି

ସାଉଁଟି ବାକୁ ହୁଏ ଚୁନା ଚୁନା ଖୁସି

ବାସର ଶେଜର ପ୍ରତିଟି ପ୍ରତିଜ୍ଞା 

କାୟ ମନୋବାକ୍ୟେ କରିବାକୁ ପୂର୍ଣ୍ଣ

ପ୍ରିୟତମର ରୂପ ନୟନ କରେ ଦର୍ଶନ,

ଅସୁମାରି ଇଛା ମନତଳେ 

ପୋତି ହୋଇ ସମାଧି ନିଏ 

ଆଶା ସବୁ ପଡିଯାଏ ମହଳଣ।


ପ୍ରିୟ ତୁମେ ଜୀବନ ଜୀବିକା ଅର୍ଥେ 

ଅଛ ଏବେ ସୁଦୂର ରାଇଜେ

ତନୁବଲ୍ଲରୀକୁ ବୁଝାଇ ଦିଏ ମୁଁ

କରିଦିଏ ନିଜକୁ ଏକଦମ ସହଜ

ବିରହର ବିଷ ଜ୍ବାଳା କରି ପାନ,

ଭୂଲିଯାଏ ମାନ ଅଭିମାନ

ପତିଙ୍କର ପରିଣୀତା ସାଜି

ଆହୁତି ଦିଏ ମୁଁ ମୋ ମନର ସବୁ ଓରିମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance