ଆହେ ମଣିଷ ଜାତି
ଆହେ ମଣିଷ ଜାତି
କାଆ କାଆ କରି କାଉ ରାବଇ
ପାହିଲେ ପରା ରାତି
ଅଳସ ଛାଡି କରମ କର
ଆହେ ମଣିଷ ଜାତି ।
କୁହୁ କୁହୁ ସୁରେ ରାବେ କୋଇଲି
ବସନ୍ତ ବେଳ ତିଥି
ମନରୁ ହିଂସା କପଟ କାଢି
ବାଣ୍ଟିବା ସ୍ନେହ ପ୍ରୀତି ।
ଘୁମୁ ଘୁମୁ ଗାଏ ଲୋଟଣୀ ପାରା
ବସାରେ ତା'ର ଶାନ୍ତି
ବିନା ଦୋଷରେ ରାଗରୁଷାରେ
କର ନା କା'ର କ୍ଷତି ।
କିଚିରି ମିଚିରି ଘର ଚଟିଆ
କିବା ଦିନ ଓ ରାତି
ପାଠପଢ଼ାରୁ ହଟିବା ନାହିଁ
ଖେଳାଖେଳିରେ ମାତି ।
ପଞ୍ଜୁରୀରେ ଯେ ଶୁଆ ଗାଉଛି
ରାମ ରାମର ଗୀତି
ବାନ୍ଧି ରଖନା ପଶୁ ପକ୍ଷୀଙ୍କୁ
ସିଏ ବି ଚାହେଁ ମୁକ୍ତି ।
କକ କକ କଅ କୁକୁଡ଼ା କହେ
ଅସନା ଖାଇ ନିତି
ଗରବ କେବେ କରିବା ନାହିଁ
ଅତିରୁ ହୁଏ ଇତି ।
