ମଧୁର ମାଆର ନାମ
ମଧୁର ମାଆର ନାମ
ମାଆର ନାମ ଅମୃତ ବୋଳା
ମଧୁର ତାର ଡାକ
ନିର୍ମଳ ସ୍ୱଚ୍ଛ ପ୍ରଶାନ୍ତ ମୁଖେ
ଭରା ସୋହାଗ ସୁଖ
ଅନୁପମ ତା କୋଳ
ନାହିଁ ବିପଦ ସଂସାରେ ସାର
ନିର୍ଭର ସୁକୋମଳ ।
ଥରଇ ଯାର ହୃଦୟ ତନ୍ତ୍ରୀ
ଦୁଃଖ କଷଣ କାଳେ
ସୁଖ ସମ୍ପଦ ମନାସି ଲୁହ
ଦିଅଁ ଚରଣେ ଢାଳେ
ମାଆଟି ପରି କିଏ
ମମତାମୟୀ ଜନମଦାତ୍ରୀ
ଚଳନ୍ତି ଦେବୀ ସିଏ ।
ଜନମ ଭୂଇଁ ଜନମ ମାଟି
ତା ଲିପି କଥା ଗୀତ
ନିବିଡ଼ ତାର ସ୍ନେହ ବନ୍ଧନେ
ଜୀବନ ପ୍ରତିଭାତ
ମଧୁର ମାତୃଭାଷା
ଜାତି ଉନ୍ନତି ମୂଳ ମନ୍ତର
କରିବି ନିତି ଘୋଷା ।
ମା ବିନା ସର୍ବେ ମୁଁ ତୁମ୍ଭେ ଆମ୍ଭେ
ସୃଷ୍ଟି ହିଁ ଅସମ୍ଭବ
ଈଶ୍ୱରୀ ମାଆ ପାଦେ ତା ସ୍ବର୍ଗ
ସୁଖଶାନ୍ତି ବୈଭବ
ମା ହିଁ ପରମାରାଧ୍ୟା
ଜୟ ମାତୃଶକ୍ତି ମାଟି ମାତୃଭାଷା
ବରଦା ପୂଜ୍ୟା ସର୍ବଦା ।
ଜ୍ଞାନ ବିଜ୍ଞାନ ତପସ୍ୟା ସେବା
ମହତ ଅନୁଭବ
ମୋର ଜୀବନ ସ୍ପନ୍ଦନ ଶକ୍ତି
ନିତ୍ୟ ସଞ୍ଚରି ଭାବ
ଯୋଗ ସାଧନ ମୂଳ
ଉନ୍ନତି ତାର ଚରମ ଲକ୍ଷ୍ୟ
ଅଟେ ମୋ ଜୀବନର ।
