ଆହେ ହରିହର
ଆହେ ହରିହର
ଲୀଳା ପାଇଁ ପ୍ରଭୁ ଖେଳା ଲଗାଇଛ
ତୁମେ ହରି ତୁମେ ହର,
ତୁମେ ହିଁ ଅନନ୍ତ ନାହିଁ ଆଦିଅନ୍ତ
ନାହିଁ ଭେଦର ବିଚାର ।
ନାମର ମହିମା ନାମୀର ଗାରିମା
ଆନ କେ ପାରିବ ଜାଣି,
ମୂଳେ ବ୍ରହ୍ମା, ମଧ୍ୟେ ବିଷ୍ଣୁ ଅଗ୍ରେ ଶିବ
ଲିଙ୍ଗରେ ଅପୂର୍ବ ଠାଣି ।
ସେହି ଲିଙ୍ଗରାଜ ଅର୍ଦ୍ଧ ନାରୀଶ୍ୱର
ଶିବଶକ୍ତି ଶ୍ରଦ୍ଧା, ଭକ୍ତି,
ଭେଦନାହିଁ ରୂପଭେଦ ଯେ ତାଙ୍କର
ହରିହର ଭାବପ୍ରୀତି ।
ବୈକୁଣ୍ଠରେ ବିଷ୍ଣୁ କୈଳାସରେ ଶିବ
ରୂପଭେଦ ନେଇଅଛ,
ଯେଉଁଠି ନିବାସ ଆହେ ହରିହର
ସେହି ବୈକୁଣ୍ଠ, କୈଳାସ ।
ପାଞ୍ଚୋଟି 'ବ'କୁ ହିଁ ତ୍ୟାଗ କରିଅ
(ବପୁ, ବସ୍ତ୍ର, ବାସସ୍ଥାନ, ବିଦ୍ୟା, ବିଭବ )
ବୈରାଗ୍ୟ ଭାବକୁ ଧରି,
ପ୍ରେମମୟ ହର ରୂପ ଲୁଚାଇଛ
ଭସ୍ମଅଙ୍ଗେ ଦେହଧାରୀ ।
ଜଗନ୍ନାଥ ରୂପ ଆକର୍ଷିତ ହେଉ
ପ୍ରତେକ ପ୍ରାଣୀଙ୍କ ଠାରେ,
ମୋର ରୂପ ଦେଖି ଭଳି କେ ନ ଯାଉ
ଆହା ସୁନ୍ଦର ବିଚାରେ ।
ଗୁରୁବାରେ ମାଆ ଲକ୍ଷ୍ମୀସାଆନ୍ତାଣୀ
ଶିବଙ୍କ ମନ୍ଦିରେ ରହି,
ଶିବାଳୟ ଦର୍ଶନେ ଶ୍ରୀ ସମ୍ପଦା ବୃଦ୍ଧି
ପରମ ପ୍ରସନ୍ନ ହୋଇ ।
ଗୋଲକେ ମା,ଲକ୍ଷ୍ମୀ କୈଳାସେ ପାର୍ବତୀ
ଆହେ ମୋର ମାତା,ପିତା,
ଉପାସନା ତଵ ଜାଣେନାହିଁ କିଛି
ଭାବମୂଳ ତଵ ଶ୍ରଦ୍ଧା ।
ଶ୍ରୀଚରଣେ ଅଳି ଆହେ ବନମାଳି
କେତେ ରୂପ ରହସ୍ୟର,
କେଉଁଠି ରୁଦ୍ର ତ, ଶାନ୍ତରୂପେ ଭଳି
ଚେତନାକୁ ସୃଷ୍ଟିକର ।
ଭେଦଯେ ଦେଖଇ ତର୍କଯେ କରଇ
ପତନର ଦ୍ୱାରେ ସେହି,
ସ୍ୱୟଂ ମହାପ୍ରଭୁ ଉଭୟେ ଚିନ୍ତନ୍ତି
ନାମରେ ନାମୀଯେ ହୋଇ ।
କଳିଯୁଗେ ହରି ବ୍ରହ୍ମ ସ୍ୱରୂପରେ
ହୃଦୟେ ଧରିଛ ତାଙ୍କୁ,
ଶୂନ୍ୟରୁ ଆସିଲ ସ୍ଥାପନା ବ୍ରହ୍ମରେ
କଳିଖେଳ ଗୁପ୍ତଭାବୁ ।
ହୃଦୟର ଦ୍ୱାରେ ଚେତନା ମନ୍ଦିରେ
ନିତ୍ୟରାସ ମହାଭାବ,
ଅଜ୍ଞାନୀ ପ୍ରଣତି ଦେଉଛ ଇଚ୍ଛାରେ
ଜାଣେନି କିଛି ମାଧବ ।
ଅଚ୍ୟୁତ ପ୍ରମାଣ ଆହେ ନାରାୟଣ
ଠାର, ଗାରେ ଲେଖାଅଛି,
ନିଜେ ବସିଅଛ କଳ୍କୀ ସ୍ବରୁପେଣ
ଭାବଲୀଳାକୁ ଲେଖୁଛି ।
ଚାହିଁଛ ବୋଲିତ ପ୍ରଣତି ବାଢୁଛି
ମୂର୍ଖପ୍ରାଣ ସଦା ମୋର,
ତଵ ଅନୁଗ୍ରହ ଧ୍ୟାନରେ ଭାବୁଛି
ଲୟ ପ୍ରତି ମୁହୂର୍ତ୍ତର ।
ଜାଣିବାର ଯିଏ ଜାଣିଛି ହେପ୍ରଭୁ
ବିଶ୍ୱାସେ ନିଶ୍ୱାସ ତାର,
ମୁଁ 'ଅଂହ ଆଜିଏ ପୂର୍ଣ୍ଣତା ସଂସାରୁ
ଆଖିପାଖେ ହରିହର ।
ଏହି ଗୁଢତତ୍ତ୍ୱ ଚକ୍ରତୀର୍ଥେ ଆଜି
କଳିବଶେ ନିରବରେ,
ଉଇଁଲାଣି ଜାଗୀ ପାହିଲାଣି ନିଶି
ଏକଅଙ୍ଗେ ସର୍ବେସ୍ଥିରେ ।
