STORYMIRROR

Niranjan Mishra

Inspirational Others

4  

Niranjan Mishra

Inspirational Others

ଆଦର୍ଶ ଜୀବନ

ଆଦର୍ଶ ଜୀବନ

2 mins
334

ବଣର ଶବରୀ ଅତି ଅସୁନ୍ଦରୀ

କଅଁଳ ବୟସ ତାର।

ବାହା ଦେଲେ ବାପା ରାତି ପାହୁ ପାହୁ

ପତି କଲା ସାତ ପର।।୧।।


ଦଣ୍ଡକାରଣ୍ଯରେ ରହୁଥିଲା ସିଏ

ବଣ ଫଳ ମୂଳ ଖାଇ ।

ମାତଙ୍ଗ ମୁନିଙ୍କ ଆଶ୍ରମ ନିକଟେ

ରାତିରେ ମିଳିଲା ଯାଇ।।୨।।


ମନରେ ଜାଗିଲା ସେବା କେଉଁପରି

କରିବ ସେ ମୁନିଙ୍କର ।

ଆଶ୍ରମ ବାଟିକା ଓଳାଓଳି କରି

କରିଲା ସେ ପରିଷ୍କାର ।।୩।।


ଅରଣ୍ୟ ଭିତରୁ କାଠ ବିଡା ବାନ୍ଧି

ଆଶ୍ରମରେ ରଖୁଥାଏ ।

କେହି କେବେ ତାକୁ ଦେଖି ନ ପାରନ୍ତି

ରାତିରୁ ସେ ଯାଉଥାଏ ।। ୪।।


କିଏ ସବୁ ସଫା ରାତିରୁ କରୁଛି

କାଠ ଆଣି କେ ରଖୁଛି ।

ରହସ୍ୟ ଜାଣିବା ପାଇଁ ମୁନି ଦିନେ

କହିଲେ ଶିଷ୍ୟଙ୍କୁ ବାଛି।।୫।।


ଜଗିଲେ ରାତିରେ ଦେଖିଲେ ଶବରୀ

କରୁଅଛି ଏହିପରି ।

ମୁନିଙ୍କ ପାଖକୁ ଶିଷ୍ୟମାନେ ବେଗେ

ନେଇଗଲେ ତାକୁ ଧରି।। ୬।।


କିଏ ତୁମେ ମା ପରିଚୟ ଦିଅ

କିଆଁ କରୁଛ ଏପରି ।

ପତି ମୋତେ ସାତପର କରିଛନ୍ତି

ମୁହିଁ ବଣର ଶବରୀ ।। ୭।।


ରୂପ ନାହିଁ ମୋର ଅତି ଅସୁନ୍ଦର

ବଣରେ ରହୁଛି ମୁହିଁ ।

ପିତା ପତି ପରିତ୍ୟକ୍ତା ବଞ୍ଚିଛି ମୁଁ

ବଣ ଫଳମୂଳ ଖାଇ।। ୮।।


ଦିନରେ ମୋହର କୁରୁପ ଦେଖିଲେ

ମୋତେ ବା ସେବା ନ ଦେବେ।

ସେଥିପାଇଁ ଆସି ରାତିରୁ କରୁଛି

ମୁନି ଖୁସି ହେଲେ ତେବେ ।।୯।।


ଶିଷ୍ଯଙ୍କୁ କହିଲେ କୁଡିଆ ଗୋଟିଏ

କରିଦିଅ ଏହାପାଇଁ।

ଆଜିଠାରୁ ଇଏ ଆଶ୍ରମେ ରହିବ

ଶିଷ୍ଯା ମୋର ହେବ ଏହି।। ୧୦।।


ମନ୍ତ୍ର ଦାନ କଲେ ଶବରୀ ମୁନିଙ୍କ

ସେବାରେ ଲାଗି ରହିଲେ ।

ଏଇ ଜନମରେ ରାମଙ୍କ ଦର୍ଶନ

ପାଇବୁ ତାକୁ କହିଲେ ।।୧୧।।


ମୁନି ଚାଲିଗଲେ ପ୍ରୟାଣ ପଥରେ

ବାଟକୁ ରାମଙ୍କ ଚାହିଁ ।

ନିତି ପରିଷ୍କାର ଆଶ୍ରମକୁ କରି

ଶବରୀ ଫଳ ଆଣଇ।।୧୨।।


ଆଦର୍ଶ ଜୀବନ ବିତାଏ ଶବରୀ

ଅନୁସରି ଗୁରୁ ବାଣୀ।

ମନ୍ତ୍ର ଜପ କରି ରାମଙ୍କୁ ସୁମରି

ରହିଥାଏ ଦିନ ଗଣି ।।୧୩।।


ସୁଦିନ ଆସିଲା ଶ୍ରୀରାମ ଲକ୍ଷ୍ମଣ

ଆଶ୍ରମେ ଆସି ମଳିଲେ ।

ଶବରୀ ହାତ ଚାଖଣା ମିଠା ମିଠା

ଫଳ ଖାଇ ତୃପ୍ତ ହେଲେ ।।୧୪।।


କିପରି ଅଛ ମା ବୋଲି ପଚାରିଲେ

ଶବରୀ ଦେଲା ଉତ୍ତର ।

ସବୁଠାରୁ ଆଜି ଆନନ୍ଦ ଦିନ ମୋ

ଧନ୍ୟ ପ୍ରଭୁ ଗୁରୁ ମୋର ।। ୧୫।।

ରୂପ ଗୁଣ ବଂଶ ପଦ ବା ପ୍ରତିଷ୍ଠା

କିଛି ଲୋଡା ନାହିଁ ମାନ ।

ଈଶ୍ବର ଅର୍ପିତ ମନ ବୁଦ୍ଧି ହେଲେ

ହେବ ଆଦର୍ଶ ଜୀବନ ।।୧୬।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational