ଆଧୁନିକତା
ଆଧୁନିକତା
ନାହିଁ ଆଉ ମାଟି ରାସ୍ତା ନୁଆଁଣିଆ ଚାଳ
ନାହିଁତ କିଆ ଗୋହିରି ଦଣ୍ଡା କି ଗୋଚର ।
ନାହିଁ ବଣ ବୁଦା କିବା ଶାଳ ଆମ୍ବ ତୋଟା
ସବୁଠାରେ ଶୋଭାପାଏ ବଡ଼ ବଡ଼ କୋଠା ।
ନାହିଁ କେଉଁ ପୁଣ୍ୟ ପର୍ବ ଆମ ସଂସ୍କୃତିର
ପାଶ୍ଚାତ ସଂସ୍କୃତି ସର୍ବେ କରନ୍ତି ଆଦର ।
ନାହିଁ ଚୁଡା ମୁଢି ଅବା ଢ଼ିଙ୍କି କୁଟା ଭାତ
ନାହିଁ ଡିବିରି ଲଣ୍ଠନ ହୁଏ ଆଲୋକିତ ।
ନାହିଁ ସେ ଶଗଡ଼ ଗାଡି ନାହାନ୍ତି ବଳଦ
ଯନ୍ତ୍ରେ ସବୁ କାର୍ଯ୍ୟ ହୁଏ ରୋଗେ ସ୍ୱାସ୍ଥ୍ୟ ସମ୍ପଦ ।
ନାହିଁ ସେହି ଡାକବାଲା ବିଦେଶର ଚିଠି
ଘଡିକେ ମୋବାଇଲ ଫୋନ ବାର୍ତ୍ତା ଦିଏ ଲେଖି ।
ଅଛି ଭାଗବତ ଟୁଙ୍ଗି ନାହିଁ ସମାଗମ
ଫିଟେ ନାହିଁ ପୋଥି ଡୋରି ସିରିଏଲେ ମନ ।
କେତେ କେତେ ପ୍ରଥା ଏଠି
ଥିଲା ପୁରେ ପୁରେ
ସବୁ ପ୍ରଥା ଡୁବିଯାଏ ଆଧୁନିକତାରେ ।
ନିଶା ଦ୍ରବ୍ୟେ ପାନ ବିଡି ଗଂଜେଇ ଓ ଭାଙ୍ଗ
ଆଜିକାଲି ଦେଖ ଭାଇ ମଦୁଆଙ୍କ ଢଙ୍ଗ ।
ହିରୋଇନ ଚରଷ ପୁଣି ବ୍ରାଉନ ସୁଗାର
ତଳ ମୁହାଁ କରିଲାଣି ଯୁବ ଗୋଷ୍ଟିଙ୍କର ।
ନାହିଁ ସେ ଓଢଣୀ ପ୍ରଥା ନୂଆ ବୋହୁଙ୍କର
ହାଏ ବାଏ କହି ଯାଏ ସେହୁ ଶାଶୁ ଘର ।
ପିତାମାତା ପାଶେ ଭକ୍ତି ନାହିଁ ସନ୍ତାନର
ଶାଶୁ ଓ ଶ୍ୱଶୁର ପୂଜ୍ୟ ହୁଏ ନିତି ତାର ।
ନାହିଁ ବଡ଼ ସାନ ଏଠି ସର୍ବେ ଏକାକାର
ଭଲ ମନ୍ଦରେ କହିଲେ ପାଇବ ଉତ୍ତର ।
ନାହିଁ ନାରୀ ସୁରକ୍ଷତା ପଡେ ବିପଦରେ
ଦୋଷୀ ଏଠି ଖସିଯାଏ ଆଇନ ଆଖିରେ ।
ରାହାଜାନି ନରହତ୍ୟା ବାଆଁ ହାତ ଖେଳ
ଚୋରି ଗୁଣ୍ଡାରାଜ ପୁଣି ଥେଲାଵାଲାଙ୍କର ।