ଆଚାର୍ଯ୍ୟ ଦେବୋ ଭବ
ଆଚାର୍ଯ୍ୟ ଦେବୋ ଭବ
ସୃଷ୍ଟି-ସ୍ଥିତି-ପ୍ରଳୟର ଯେ ତ୍ରିଦେବ ବ୍ରହ୍ମା-ବିଷ୍ଣୁ-ମହେଶ୍ୱର ।
ସାକ୍ଷାତ ତ୍ରିନାଥ ସ୍ୱରୂପ ଯେ ଗୁରୁ ଅଟନ୍ତି ଏ ସଂସାରର ।।
ଗୁରୁ ତ ସର୍ବଦା ଦେବତା ସଦୃଶ ହୁଅନ୍ତି ମର୍ତ୍ତ୍ୟେ ଜନମ ।
ସଂସାର କଲ୍ୟାଣ କରିବା ନିମନ୍ତେ ପାଳନ୍ତି ତାଙ୍କ ଧରମ ।।
ଶ୍ରୀଗୁରୁଙ୍କ ପଦ ପଙ୍କଜେ ମୁଁ ନିତ୍ୟ କରୁଥିବି ପ୍ରଣିପାତ ।
ସଦବୁଦ୍ଧି ଦେଇ ଜ୍ଞାନର ପଥକୁ କରାନ୍ତୁ ସେ ଯେ ପ୍ରଶସ୍ତ ।।
ଏ ବିଶ୍ୱ ବ୍ରହ୍ମାଣ୍ଡେ ବହୁବିଧ ଗୁରୁ ହୋଇଥାନ୍ତି ଦୃଶ୍ୟମାନ ।
ଗୁରୁ-ସଦଗୁରୁ-ଆଦିଗୁରୁ ସହ ଜଗତଗୁରୁ ବିଭିନ୍ନ ।।
ପରମଗୁରୁ ଓ ପରାତ୍ପରଗୁରୁ ପରମେଷ୍ଠୀ ଗୁରୁ ଆଦି ।
ସମଗ୍ର ବିଶ୍ୱର ହିତ ସାଧନାରେ ଗୁରୁ ଯେ ବାଟ ଦେଖାନ୍ତି ।।
ଗୁରୁଦେବ ସ୍ୱୟଂ ମଙ୍ଗଳମୟ ଯେ ତାଙ୍କ ଵିନୁ ମୁକ୍ତି ନାହିଁ ।
ଈଶ୍ୱରପ୍ରାପ୍ତିରେ ହୁଅନ୍ତି ସହାୟ ସଦଗତିର ପଥ ସେହି ।।
ଜୀବନଯାତ୍ରାର ସେ ମାର୍ଗଦର୍ଶକ ଅଜ୍ଞାନ ତମୋ ନାଶକ ।
ଜାଡ୍ୟାନ୍ଧର ଜ୍ଞାନାଞ୍ଜନ ଶଳାକରେ ଗୁରୁ ଦେଖାନ୍ତି ଆଲୋକ ।।
ମାତା ପାର୍ବତୀଙ୍କୁ ଦେବ ମହାଦେବ କହିଲେ ଗୁରୁ ମହିମା
ଭବସିନ୍ଧୁ ତରୀ ଅଟନ୍ତି ଶ୍ରୀଗୁରୁ ସେହି ଶିଷ୍ୟଙ୍କ ବାପା-ମା ।।
ଗୁରୁ ଶଦ୍ଦ ଅଟେ ଅତି ଓଜନିଆ ସେ ନିଜେ ଅଟନ୍ତି ଭାରି ।
ଶିଷ୍ୟ ସମସ୍ୟାକୁ କରନ୍ତି ଲାଘବ ନିଜେ ଭାର ବୋହିକରି ।।
ଦେବତା-ମାନବ-ଦାନବଙ୍କ ଗୁରୁ ଅଟନ୍ତି ଭିନ୍ନ ପ୍ରକାର ।
ଦେବତାଙ୍କ ଗୁରୁ ବୃହସ୍ପତି ସ୍ୱୟଂ ଶୁକ୍ରାଚାର୍ଯ୍ୟ ଦୈତ୍ୟଙ୍କର ।।
ପ୍ରକାର ଭେଦରେ ଗୁରୁସମ୍ପ୍ରଦାୟ ରହିଅଛି ମାନବର ।
ଯେପରି ଶିଷ୍ୟଙ୍କୁ ସେହିପରି ଗୁରୁ ଈଶ୍ୱର କରନ୍ତି ସ୍ଥିର ।।
ବିଦ୍ୟା ଗୁରୁ, ଶିକ୍ଷା ଗୁରୁ, ଜ୍ଞାନ ଗୁରୁ ପୁଣି ଛନ୍ତି ଦୀକ୍ଷା ଗୁରୁ ।
ମନ୍ତ୍ର-ତନ୍ତ୍ର ସହ କର୍ଣ୍ଣଗୁରୁ ପୁଣି ଅଛନ୍ତି ଯେ ଯୋଗଗୁରୁ ।।
ଚବିଶ ପ୍ରକାର ଗୁରୁ କରିଥିଲେ ସାଧୁଶ୍ରେଷ୍ଠ ଅବଧୂତ ।
ଗୁରୁଙ୍କଠୁ ଜ୍ଞାନ କରି ଆହରଣ ହୋଇଗଲେ ପୂଜ୍ୟ ସନ୍ଥ ।।
ଯୋଗ୍ୟଗୁରୁଙ୍କରସୁଯୋଗ୍ୟ ଶିଷ୍ୟ ଯେଥିଲେଏକଲବ୍ୟ ବୀର ।
ପ୍ରତ୍ୟକ୍ଷ ଶିକ୍ଷା ନ ପାଇ ଗୁରୁଠୁ ଦେଲେ ଅଙ୍ଗୁଷ୍ଠ ଉପହାର ।।
ଗୁରୁଙ୍କ ପରୀକ୍ଷା ଅତୀବ କଠିନ ଥିଲା ଉପମନ୍ଯୁ ପାଇଁ ।
ଭକ୍ତି, ନିଷ୍ଠା ବଳେ ହେଲେ କୃତକାର୍ଯ୍ୟ ଧୌମ୍ୟଙ୍କ ଆଶିଷପାଇ ।।
ଗୋବିନ୍ଦ ଚନ୍ଦ୍ର ଯେ ରାଜପୁତ୍ର ହୋଇ ଗୁରୁଙ୍କ ଶରଣ ଗଲେ ।
ମାତାଙ୍କ ଆଦେଶେ ସେବି ହାଡିପାଙ୍କୁ ଆୟୁଷ୍ମାନ ହୋଇଥିଲେ ।।
ଗୁରୁଙ୍କୁ ସର୍ବଦା କରିବା ସ୍ମରଣ ପୂଜା କରି ତାଙ୍କ ପାଦ ।
ଗୁରୁଙ୍କ ବାକ୍ୟକୁ କଲେ ମନ୍ତ୍ରଜପ ସେ କୃପାରୁ ମୋକ୍ଷପ୍ରାପ୍ତ ।।
ସ୍ୱୟଂ ବାସୁଦେବ ଜଗତଗୁରୁ ଯେ ସେ ପୁଣି ଜଗଦୀଶ୍ୱର ।
ସଭକ୍ତି ପ୍ରଣତି ତାଙ୍କ ଶ୍ରୀପୟରେ କରୁଅଛି ନିରନ୍ତର ।।
ଅଦ୍ୱେତ ବାଦର ଆଦ୍ୟପ୍ରବର୍ତ୍ତକ ଆଚାର୍ଯ୍ୟ ଆଦି ଶଙ୍କର ।
ସନାତନ ଧର୍ମ ସୁରକ୍ଷା ନିମନ୍ତେ ସ୍ଥାପିଲେ ପୀଠ ଚତ୍ୱାର ।।
ଗୁରୁ ହିଁ ପରମ ଈଶ୍ୱର ମାନନ୍ତି ଶିଖ ଧର୍ମ ପରମ୍ପରା ।
ଗୁରୁ ଗୋବିନ୍ଦ ଓ ଗୁରୁ ନାନକଙ୍କୁ ପ୍ରାର୍ଥନା କରନ୍ତି ପରା ।।
ବିବେକାନନ୍ଦଙ୍କ ଗୁରୁଜୀ ଥିଲେ ରାମକୃଷ୍ଣ ପରମହଂସ ।
ଧର୍ମର ସୁରକ୍ଷା,ଦରିଦ୍ରଙ୍କ ସେବା ପାଇଁ ଦେଲେ ଉପଦେଶ ।।
ଛତ୍ରପତି ଶିବାଜୀଙ୍କ ଗୁରୁ ଥିଲେ ସମରଥ ରାମଦାସ ।
ନୀତି-ଉପଦେଶ ଦେଇ ଶିବାଜୀଙ୍କୁ କରୁଥିଲେ ମନ ତୋଷ ।।
ଉପାଧ୍ୟାୟ, ଗୁରୁ, ଆଚାର୍ଯ୍ୟ ଅଟନ୍ତି ସର୍ବେ ସମାର୍ଥବୋଧକ ।
ଅବଧାନ ଥିଲେ ଚାଟଶାଳୀରେ ବିଦ୍ୟାଳୟରେ ଯେ ଶିକ୍ଷକ ।।
ବ୍ରହ୍ମଜ୍ଞାନୀ ଶୁକଦେବ ଗୋସ୍ୱାମୀ ଥିଲେ ବ୍ୟାସଦେବଙ୍କ ସୁତ ।
ଅଭିଶପ୍ତ ପରୀକ୍ଷିତଙ୍କୁ ଶୁଣାଇଲେ ଯେ ତତ୍ତ୍ୱ ଭାଗବତ ।।
ଜ୍ଞାନମହାଦ୍ରୁମ ଅଟନ୍ତି ଶ୍ରୀ ଗୁରୁ ଦିଅନ୍ତି ଶୀତଳ ଛାୟା ।
ତାଙ୍କ ଶ୍ରୀ ଚରଣେ ପଶିଲେ ଶରଣ ତୁଟିଯିବ ଭବ ମାୟା ।।
ଆର୍ଯ୍ୟାବର୍ତ୍ତର ଏ ମହତୀସଂସ୍କୃତି ପବିତ୍ର ଗୁରୁ ଶିଷ୍ୟର ।
ଯୁଗେ ଯୁଗେ ଏହା ରହିବ ଅକ୍ଷୂର୍ଣ୍ଣ ଏ ଅଟେ ଶ୍ରେଷ୍ଠ ସ୍ୱାକ୍ଷର ।।
ପୂଜା-ପାର୍ବଣରେ ଶ୍ରୀଗୁରୁ ଵନ୍ଦନା ଏହା ଯେ ପୂଜାର ବିଧି ।
ଗୁରୁ ଧ୍ୟାନ ବିନା ପୂଜାଦି କାର୍ଯ୍ୟର ହୋଇଥାଏ ଯେ ଅଶୁଦ୍ଧି ।।
ଶ୍ରୀଗୁରୁଙ୍କ ସତ୍ତା ସର୍ବ ବିଦ୍ୟମାନ ଅଟନ୍ତି ସର୍ବବ୍ୟାପକ ।
ଗୁରୁ ହେଲେ ତୁଷ୍ଟ ଈଶ୍ୱର ସନ୍ତୁଷ୍ଟ ଗୁରୁ ଯେ ସିଦ୍ଧିସାଧକ ।।
ବିଶ୍ୱାସ-ଶ୍ରଦ୍ଧା ଓ ଭକତି ସମ୍ମାନରେ ଗୁରୁଙ୍କ ଶ୍ରୀପଦ ଧ୍ୟାୟି ।
ଭବବନ୍ଧନରୁ ମିଳିବ ଯେ ମୁକ୍ତି ଏଥିରେ ସନ୍ଦେହ ନାହିଁ ।।
ବେଦୋପନିଷଦରେ ଗୁରୁଜୀ ଶିଷ୍ୟଙ୍କୁ ଦେଇଥାନ୍ତି ନୀତିବାଣୀ ।
ସଂସାରେ 'ଆଚାର୍ଯ୍ୟ ଦେବୋ ଭବ'ତୁମେ ଦିଅନ୍ତି ଆଶିଷ ପୁଣି ।।
ସତ୍ୟ-ଶିବ-ସୁନ୍ଦର ସ୍ୱରୂପ ଯେ ଅଟନ୍ତି ସ୍ୱୟଂ ଗୁରୁଦେବ ।
'ତସ୍ମୈ ଶ୍ରୀ ଗୁରବେ ନମଃ' ଭକ୍ତି-ଭାବନା ହେଉଥାଉ ତବ ।।